ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀରେ ଜଳସ୍ତର ବଢ଼ୁଥିବାରୁ ହୀରାକୁଦର ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ଉପର ମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢ଼ିବା କାରଣରୁ ପୂର୍ବରୁ ୩୪ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଥିଲା। କିନ୍ତୁ ନଦୀ ଅବବାହିକାରେ ରହିଥିବା ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ଏହାକୁ ଦୃଷ୍ଟିରେ ରଖି ବିଭାଗୀୟ ନିଷ୍ପତ୍ତି କ୍ରମେ ଗତକାଲି ୮ଟି ଗେଟ ବନ୍ଦ କରାଯାଇଥିଲା। ଆଜି ବନ୍ୟା ସ୍ଥିତିର ସମୀକ୍ଷା ପରେ ହୀରାକୁଦର ଆଉ ୧୪ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଥିବା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ହୀରାକୁଦର ୨୬ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଜଳ ସମ୍ପଦ ବିଭାଗର ନିଷ୍ପତ୍ତି କ୍ରମେ ଆଉ ୧୪ଟି ଗେଟ ଖୋଲାଗଲେ ମୋଟ ୪୦ଟି ଗେଟରେ ହୀରାକୁଦରୁ ଜଳ ନିଷ୍କାସିତ ହେବ। ଏକା ଥରକେ ନଖୋଲି ପର୍ଯ୍ୟୟ କ୍ରମେ ଗେଟଗୁଡ଼ିକୂ ଖୋଲିବାକୁ ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯାଇଛି। ଏହା ପରେ ଆଜି ୯ଟା ସୁଦ୍ଧା ଅନ୍ୟ ଗେଟଗୁଡ଼ିକ ଖୋଲାଯିବ ବୋଲି ବିଜୟ ମିଶ୍ର ସୂଚନା ଦେଇଛନ୍ତି।

ଗୋଟିଏ ପଟେ ହୀରାକୁଦ ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯିବା ଫଳରେ ତଳିଆ ଅଞ୍ଚଳଗୁଡ଼ିକ ପ୍ରାଭବିତ ହୋଇଥିଲେ। ବିଭିନ୍ନ ଜିଲ୍ଲାରେ ବନ୍ୟା ଜଳ ପଶିବା ସହିତ ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଏହି ପରିସ୍ଥିତିରେ ପୁଣି ୧୪ଟି ଗେଟ ଖୋଲାଯିବା ନିଷ୍ପତ୍ତି ପରେ ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି ବନ୍ୟା ପ୍ରଭାବିତ ଅଞ୍ଚଳବାସୀ।

ଏପଟେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ବର୍ଷା ନଥିବାରୁ ଏହା ଗେଟ୍ ଖୋଲିବା ପାଇଁ ପ୍ରକୃଷ୍ଟ ସମୟ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବନ୍ୟ ସ୍ଥିତିର ବିଭିନ୍ନ ଦିନକୁ ଦୃଷ୍ଟିରେ ରଖି ଗେଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଯଦି ଆଗକୁ ବର୍ଷା ଲାଗି ରହିବ ତେବେ ପରିସ୍ଥିତି ଦେଖି ଗେଟ ବନ୍ଦ କରିବା ଉପରେ ବିଚାର କରାଯିବ ବୋଲି ସେ କହିଛନ୍ତି।

Tags: #FloodSituation #FloodInOdisha #HirakudGate #Mahanadi

Comment