ଶୁଭଶ୍ରୀ ନାୟକ

ପଦ୍ମଶ୍ରୀ ଡକ୍ଟର ଶ୍ୟାମାମଣି ଦେବୀ ଓଡ଼ିଶୀ ସଂଗୀତ ଧାରାର ଏକ ବଳିଷ୍ଠ ଉଚ୍ଚାରଣ। ଓଡ଼ିଶୀ, ଛାନ୍ଦ, ଚମ୍ପୂ, ଲୋକଗୀତ ତଥା ଭକ୍ତି ସଂଗୀତର ଏକ ପରିଚିତ ଶୁଦ୍ଧ ଓ ଶ୍ରୁତି ମଧୁର ସ୍ଵର। ଶ୍ୟାମାମଣି ଦେବୀଙ୍କ ଆଦ୍ୟ ଜୀବନ, ସଙ୍ଗୀତ ସାଧନା ଓ ବମ୍ବେରେ କରିଥିବା ସଂଘର୍ଷର କଥା ଦେଖନ୍ତୁ ଓଡ଼ିଶାଲାଇଭ୍‌ର ଏହି ସାକ୍ଷାତକାରରେ।…

ଶ୍ୟାମାମଣି ଦେବୀଙ୍କର ଜନ୍ମ ୧୯୩୮ ମସିହା ଡିସେମ୍ବର ୨୧ ତାରିଖରେ କଟକ ଜିଲ୍ଲା ବାଙ୍କୀଠାରେ ହୋଇଥିଲା। ବାପା ରାଜେନ୍ଦ୍ର ମୋହନ ପଟ୍ଟନାୟକ ଓ ମା’ ନିଶାମଣି ଦେବୀଙ୍କ ସୁପୁତ୍ରୀ ହେଉଛନ୍ତି ଶ୍ୟାମାମଣି ଦେବୀ। ବଡ଼ ବାପା କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ଜଣେ ସଂଗୀତ ଶିଳ୍ପୀ ଥିଲେ। ପିଲାଟି ବେଳରୁ ପରିବାରର ଆଶୀର୍ବାଦ ତାଙ୍କୁ ସଂଗୀତ ଓ ସଂସ୍କୃତି ସହ ଯୋଡ଼ିଥିଲା। ଶାସ୍ତ୍ରୀୟ ସଂଗୀତ, ଓଡ଼ିଶୀ ଓ ଭଞ୍ଜ ସଂଗୀତର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି।

ଏକ ରକ୍ଷଣଶୀଳ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିବାରୁ ପିଲାବେଳେ ସଙ୍ଗୀତରେ ତାଙ୍କ ଆଗ୍ରହ ଯୋଗୁଁ ସେ ଅନେକ ନିନ୍ଦା ସହିଥିଲେ । ତତଳକାଳୀନ ରକ୍ଷଣଶୀଳ ସମାଜ ତାଙ୍କୁ ସଙ୍ଗୀତ ପାଇଁ ସ୍ୱୀକୃତି ଦେଇନଥିଲା। କିନ୍ତୁ ବାପା ଓ ବଡ଼ବାପାଙ୍କ ତତ୍ତ୍ୱାବଧାନ ଓ ପ୍ରୋତ୍ସାହନ କ୍ରମେ ସେ ସଙ୍ଗୀତ ଅଧ୍ୟୟନ କରିପାରିଲେ।

‘‘ସେତେବେଳେ ଏକ କାର୍ଯ୍ୟକ୍ରମରେ ଅକ୍ଷୟ ମହାନ୍ତିଙ୍କ ସହ ମୁଁ ଭଲ ଗୀତ ଗାଇଥିଲି ବୋଲି ମୋ ନାଁ ‘ସମାଜ’ ଖବରକାଗଜରେ ବାହାରିଥିଲା। ସେଇଥିପାଇଁ ମତେ ଦୋଳ ପୂର୍ଣ୍ଣିମାରେ ଠାକୁର ବିମାନ ଛୁଇଁବାକୁ ବାରଣ କରାଯାଇଥିଲା। ଏବେ ବି ସେ କଥା ମନେ ପଡ଼ିଲେ ଦୁଃଖ ଲାଗେ’’, ଓଡ଼ିଶାଲାଇଭ୍ ସହ ସାକ୍ଷାତକାର ବେଳେ କହିଛନ୍ତି ପଦ୍ମଶ୍ରୀ ଡକ୍ଟର ଶ୍ୟାମାମଣି ଦେବୀ।

 ଶ୍ୟାମାମଣି ଦେବୀଙ୍କ ଗୁରୁ

ଶ୍ୟାମାମଣି ଦେବୀଙ୍କ ଗୁରୁ ଥିଲେ ଗୁରୁ ସିଂହାରି ଶ୍ୟାମସୁନ୍ଦର କର ଏବଂ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ। ଏହି ଦୁଇ ବିଶିଷ୍ଟ ଗୁରୁଙ୍କଠାରୁ ସେ ଓଡ଼ିଶୀ କଣ୍ଠ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ। ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ଉଚ୍ଚତର ଶିକ୍ଷାକୁ ଆୟତ କରିଥିଲେ ଶ୍ୟାମାମଣି ଦେବୀ। ବମ୍ବେରେ ପ୍ରଫେସର ବି. ଆର ନବରଙ୍ଗ ଓ ବି. ଆର ଦେଓଧରଙ୍କ ତତ୍ତ୍ଵାବଧାନରେ ସଙ୍ଗୀତ ଶିକ୍ଷା କରିଥିଲେ। ତାଙ୍କର ସଂଗୀତ ଶିକ୍ଷା ଜୀବନକୁ ଗୁରୁ କୁଣ୍ଡଳା ଆଦିନାରାୟଣ ରାଓ, ପଣ୍ଡିତ ଲକ୍ଷ୍ମୀ ଶଙ୍କର ତଥା ପଣ୍ଡିତ ନିର୍ମଳା ଦେବୀଙ୍କ ଅବଦାନ ସ୍ମରଣୀୟ।

 ମାତ୍ର ୧୨ ବର୍ଷରେ ଆକାଶବାଣୀର ଶିଶୁ କଣ୍ଠଶିଳ୍ପୀ

ଓଡ଼ିଶୀ ସଙ୍ଗୀତର ଅତି ସମ୍ମାନସ୍ପଦ ସ୍ଵର ଶ୍ୟାମାମଣି ଦେବୀ ମାତ୍ର ୧୨ ବର୍ଷ ବୟସରେ ଆକାଶବାଣୀର ଶିଶୁ କଣ୍ଠଶିଳ୍ପୀ ଭାବେ ସଙ୍ଗୀତ ଜଗତରେ ପାଦ ଥାପି ଥିଲେ। ୧୯୫୦ ମସିହାରୁ ଆକାଶବାଣୀ ମାଧ୍ୟମରେ ଓଡ଼ିଶା ତଥା ରାଜ୍ୟ ବାହାରେ ସଂଗୀତ ପରିବେଷଣ କରି ଆସୁଛନ୍ତି। ୧୯୬୦-୬୬ ମସିହା ମଧ୍ୟରେ ବମ୍ବେ ଆକାଶବାଣୀରୁ ଗୀତ, ଗଜଲ ଓ ଭଜନ ପରିବେଷଣ କରିଛନ୍ତି। ଓଡ଼ିଆ ସହ ହିନ୍ଦୀ, ମରାଠୀ, ବଙ୍ଗଳା ଓ ଗୁଜୁରାଟି ଆଦି ଚଳଚ୍ଚିତ୍ରରେ କଣ୍ଠଦାନ ତାଙ୍କ ପ୍ରତିଭାକୁ ସର୍ବଭାରତୀୟ ସ୍ତରରେ ପହଞ୍ଚାଇ ପାରିଛି।

ଶ୍ୟାମାମଣି ଦେବୀଙ୍କ ଶିକ୍ଷା

ଶ୍ୟାମାମଣି କଟକସ୍ଥିତ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ସ୍ନାତକ ଉପାଧୀ ଲାଭ କରିଥିଲେ। ସେ କଟକ ସ୍ଥିତ ସଙ୍ଗୀତ ନାଟକ ଏକାଡେମୀରୁ ‘ସଙ୍ଗୀତ ବିଶାରଦ’ କରିଥିଲେ । ୧୯୮୫ ମସିହାରେ ପୁଣେ ସ୍ଥିତ ଗନ୍ଧର୍ବ ମହାବିଦ୍ୟାଳୟଠାରୁ ‘ସଙ୍ଗୀତ ଅଳଙ୍କାର’ ଲାଭ କରିଥିଲେ ।

ସେ ମୁମ୍ବାଇରୁ ସଙ୍ଗୀତ ଶିକ୍ଷାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ପୁନେର ଗନ୍ଧର୍ବ ମହାବିଦ୍ୟାଳୟର ପ୍ରଫେସର ବି. ଆର ନବରଙ୍କଗଠାରୁ ହିନ୍ଦୁସ୍ଥାନୀ ଭୋକାଲ ଓ ପ୍ରଫେସର ବି ଆର ଦେଓଧରଙ୍କଠାରୁ ଠୁମୁରି, ମୁମ୍ବାଇର ନର୍ମଳା ଦେବୀ ଓ ପଣ୍ଡିତ ଲକ୍ଷ୍ମୀଶଙ୍କରଙ୍କଠାରୁ ଲାଇଟ କ୍ଲାସିକାଲ ସଂଗୀତ ଶିକ୍ଷା କରିଥିଲେ। ଏହା ସହ ସେ ଲତା ମଙ୍ଗେସ୍କର, ନୁରଜାହାନ, ରାଜକୁମାରୀ ଦେବୀଙ୍କଠାରୁ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ।

ବମ୍ବେରେ ଶ୍ୟାମାମଣିଙ୍କ ସଂଘର୍ଷ

ଯେତେବେଳେ ଶ୍ୟାମାମଣି ଦେବୀ ବମ୍ବେ ଯାଇଥିଲେ, ସେତେବେଳେ ତାଙ୍କ ବାପା ତାଙ୍କୁ ୫ ଶହ ଟଙ୍କା ପଠାଉଥିଲେ। କିନ୍ତୁ ଶ୍ୟାମାମଣି ଦେବୀ ସେ ଟଙ୍କା ରଖୁନଥିଲେ, ବରଂ ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ସଂଘର୍ଷ କରୁଥିଲେ। ସଙ୍ଗୀତ ଶିକ୍ଷା କରିବାର ଭୋକ ଏତେ ଥିଲା ଯେ ସେ ପେଟର ଭୋକକୁ ଭୁଲି ଯାଉଥିଲେ। ଏମିତି ସଂଘର୍ଷ ପରେ ସେ ଧୀରେ ଧୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଗୀତ ଗାଇ ପଇସା ରୋଜଗାର କଲେ।

ସେ ଦିନର ସ୍ମୃତିକୁ ମନେ ପକାଇ ଶ୍ୟାମାମଣି ଏମିତି କହନ୍ତି, ‘‘ବଡ଼ ବାପା କବିଚନ୍ଦ୍ର କାଳି ଚରଣ ପଟ୍ଟନାୟକ ଥରେ ଗୋଟେ ଗୀତ ଲେଖିଥିଲେ। ମୁଁ ତାକୁ ସ୍ୱରରେ ସଜେଇଥିଲି। ସେ ଦିନ ବଡ଼ ବାପା ମତେ କହିଥିଲେ ଯେ ମୋ ବମ୍ବେ ଯିବା ଯଥାର୍ଥ ହୋଇଛି। ବଡ଼ବାପାଙ୍କ ସେଇ ପଦେ କଥା ମତେ ବେଶ ଉତ୍ସାହିତ କରିଥିଲା’’।

ଅକ୍ଷୟ ମହାନ୍ତିଙ୍କ ସହ ଅନୁଭୂତି

ଖୋକା ଭାଇ ଓରଫ ଅକ୍ଷୟ ମହାନ୍ତି ଶ୍ୟାମାମଣି ଦେବୀଙ୍କ ଦୂର ସମ୍ପର୍କୀୟ ଭାଇ। ଉଭୟ ସେ ସମୟରେ ଏକାଠି ବିଭିନ୍ନ କାର୍ଯ୍ୟକ୍ରମ ଗୀତ ଗାଇଥିଲେ। ତେଣୁ ଖୋକା ଭାଇଙ୍କ ସହ ସ୍ମୃତିକୁ ଏଭଳି ମନେ ପକାଇଛନ୍ତି ଶ୍ୟାମାମଣି, ‘‘କାଚ କାନ୍ଥର ଦୁଇ ପଟେ ଆମେ ଦୁହେଁ, କେହି ତ କାହାରିକୁ ଛୁଇଁ ପାରୁନା, ଖାଲି ନିତି ନିତି ଦେଖା ହୁଏ…ଏଇ ଗୀତ ଗାଇବା ପରେ ଅକ୍ଷୟ ମହାନ୍ତି ମତେ ଗୋଟିଏ ଟଗର ଫୁଲ ଦେଇଥିଲେ। ସେ ଟଗର ଆଗରେ ଏବେର ଗୋଲାପ ଫୁଲ କିଛି ନୁହେଁ’’।

ଏବେର ପିଲାଙ୍କ ପାଖେ ସାଧନା ପାଇଁ ଧୈର୍ଯ୍ୟ ନାହିଁ – ଶ୍ୟାମାମଣି

 ‘‘ମୁଁ ଦିନକୁ ପ୍ରାୟ ୮ ଘଣ୍ଟା ଅଭ୍ୟାସ କରେ। ଏବେ ବୟସ ବଢ଼ିଲାଣି ତେଣୁ ଆଉ କରିପାରୁନି। ତଥାପି ଦିନକୁ ୧ ଘଣ୍ଟା ଅଭ୍ୟାସ ନକଲେ ମତେ ଭଲ ଲାଗେନି। କିନ୍ତୁ ଆଜିର ନୂଆ ପିଢ଼ି ରାତାରାତି ତାରକା ହେବାକୁ ଚାହାଁନ୍ତି, କିନ୍ତୁ ଅଭ୍ୟାସ ପାଇଁ ଧୈର୍ଯ୍ୟ ନାହିଁ। ତେଣୁ ଗତ ୨ ବର୍ଷ ହେବା ସଙ୍ଗୀତ ଶିକ୍ଷା ଦେବା ମୁଁ ଛାଡ଼ି ଦେଇଛି। କାରଣ ଗୁରୁ ହିସାବରେ ମତେ ଆତ୍ମ ସନ୍ତୁଷ୍ଟି ମିଳିଲା ନାହିଁ। ତେଣୁ ଆଜିର ନୂଆ ପିଢ଼ିଙ୍କୁ ମୁଁ ଏତିକି କହିବି, ଅଭ୍ୟାସ କର, କଠିନ ପରିଶ୍ରମ କର, ଦୃଢ଼ ଇଚ୍ଛାଶକ୍ତି ରଖ। ତାହେଲେ ସଙ୍ଗୀତ ଭଳି ଏକ ବିଶାଳ ସମୁଦ୍ରରୁ ତମେ କିଛି ଟା ପାଇପାରିବ।

 ଉପାଧି ଓ ସମ୍ମାନ

ଭାବ ପ୍ରଧାନ ଓ ରାଗ ପ୍ରଧାନ ସଙ୍ଗୀତ ପାଇଁ ଅଧିକ ପରିଚିତ ଡକ୍ଟର ଶ୍ୟାମାମଣି ଦେବୀ। ପ୍ରାଚୀନ ଓ ପାରମ୍ପରିକ ସଙ୍ଗୀତ ତାଙ୍କର ପ୍ରାଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ଶାସ୍ତ୍ରୀୟ ସଂଗୀତ, ଓଡ଼ିଶୀ ଓ ଭଞ୍ଜ ସଙ୍ଗୀତର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ଏହି ଅବଦାନ ପାଇଁ ତାଙ୍କୁ ମିଳିଛି ଅନେକ ଉପାଧି ଓ ସମ୍ମାନ।

ଶ୍ୟାମାମଣି ଦେବୀଙ୍କୁ ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସାରଳା ସାରସ୍ଵତ ଉତ୍ସବରେ ୨୦୧୪ ମସିହା ପାଇଁ ସମ୍ବର୍ଦ୍ଧନା ଦିଆଯାଇଥିଲା। ୨୦୧୭ ମସିହାରେ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ସମ୍ମାନ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରଦାନ କରାଯାଇଥିଲା। ୮୪ ବର୍ଷ ବୟସରେ ତାଙ୍କୁ ଜୀବନବ୍ୟାପୀ ସଙ୍ଗୀତ ସାଧନ ପାଇଁ ୨୦୨୨ରେ ଭାରତର ସମ୍ମାନ ଜନକ ପଦ୍ମଶ୍ରୀ ପୁରସ୍କାର ମିଳିଛି।

Tags: #OdissiMusic #ClassicalMusic #DrShyamamaniDevi #Odisha #ଓଡ଼ିଶୀ ସଙ୍ଗୀତ #ଶ୍ୟାମାମଣି ଦେବୀ

Comment