ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ମା’ ଓ ମାଟିର ପର୍ବ। କୃଷି ଏବଂ କୃଷକଙ୍କର ପର୍ବ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର। ଅପେକ୍ଷା ରହିଥିଲା ଶୁଭ ମୁହୂର୍ତ୍ତର। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପାଖରେ ସକାଳ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ନବାନ୍ନ ଲାଗି ହେବା ପରେ ଅନ୍ୟ ଦେବଦେବୀଙ୍କ ମନ୍ଦିରରେ ନବାନ୍ନ ଲାଗି ହୋଇଥିଲା। ଏହା ପରେ ପଶ୍ଚିମ ଓଡ଼ିଶାବାସୀ ଘରେ ଘରେ ନୂଆ ଖାଇଛନ୍ତି। ନୂଆ ବସ୍ତ୍ର ପରିଧାନ ସାଙ୍ଗକୁ ନାଚ ଗୀତ ଆସର ଜମିଛି ଚାରିଆଡ଼େ।

ନୂଆଖାଇ ପୂର୍ବଦିନ ମା’ ଙ୍କ ପାଖରେ ନବାନ୍ନ ଲାଗି ପାଇଁ ପହଞ୍ଚି ଥିଲା ପାହୁର ଭାର। ଏହି ପରିମ୍ପରା ସମ୍ପୂର୍ଣ୍ଣ ନିଆରା। ଏହି ଭାରରେ ମା’ଙ୍କ ମନ୍ଦିରରେ ନବାନ୍ନ ଲାଗି ପାଇଁ ସମସ୍ତ ଜିନିଷ ରହିଥାଏ। ନୂଆ ଧାନ, କୁରେଇ ପତ୍ର, ପଞ୍ଚାମୃତ, ମା’ଙ୍କ ଲାଗି ଚୁଡ଼, ଗହଣା, ଶାଢ଼ି ଏବଂ ପନିପରିବା ଆଦି। ମା’ ସମଲେଶ୍ୱରୀଙ୍କ ସମେତ ସମସ୍ତ ଦେବଦେବୀଙ୍କ ମନ୍ଦିରକୁ ମଧ୍ୟ ପାହୁର ଭାର ଯାଇଥାଏ।

ନୂଆଁଖାଇର ପୂର୍ବ ଦିନରୁ ହିଁ ସୁନ୍ଦରଗଡ଼ରେ ପର୍ବ ଆରମ୍ଭ ହୋଇଥିଲା। କୋଭିଡ ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ଠିକ୍ ଭାବେ ପଶ୍ଚିମ ଓଡ଼ିଶାବାସୀ ନୂଆଁଖାଇ ପର୍ବ ଧୁମଧାମର ସହ ପାଳନ କରିପାରୁ ନଥିଲେ। କେବଳ ବିଧି ପାଳନ ପୂର୍ବକୁ ନୂଆ ଖାଉଥିଲେ। ଚଳିତ ବର୍ଷ ଧୁମଧାମରେ ନୂଆଁଖାଇ ପାଳିବାକୁ ଲୋକଙ୍କ ମଧ୍ୟରେ ଭରପର ଉତ୍ସାହ ଦେଖିବାକୁ ମିଳିଛି। ବାହାରେ ରହିଥିବା ଲୋକେ ଘରକୁ ଫେରିଛନ୍ତି। ବନ୍ଧୁବାନ୍ଧବ ମଧ୍ୟ ଘରକୁ ଆସିଛନ୍ତି। ନୂଆ ବସ୍ତ୍ର ପିନ୍ଧି ପଶ୍ଚିମ ଓଡ଼ିଶା ବାସିନ୍ଦା ନୂଆ ଖାଇଛନ୍ତି। ପରସ୍ପରକୁ କହିଛନ୍ତି ନୂଆଁଖାଇ ଜୁହାର।

Tags: #Nuakhai #NuakhaiCelebration #NuakhaiJuhar

LEAVE A REPLY

Please enter your comment!
Please enter your name here