ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀରେ ପୂଜା ମାହୋଲ। ବନ୍ଧା ଚାଲିଛି ବାଉଁଶ,ପ୍ରସ୍ତୁତ ହେବ ଆକର୍ଷଣୀୟ ତୋରଣ। ଆଖି ଝଲସିଲା ଭଳି ଆଲୋକମାଳା ସାଙ୍ଗକୁ ରାବଣପୋଡିର ଆତସବାଜିରେ ଗୁଞ୍ଜରିତ ହେବ ସହର। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିବେ ଦର୍ଶକ। ମୀନାବଜାରରେ ଜମିବ କିଣାବିକା।
୧୯୯୦ ମସିହାରୁ ଭୁବନେଶ୍ୱର ଜୟଦେବ ବିହାର ପୂଜା ସମିତି ପକ୍ଷରୁ ଦୁର୍ଗା ପୂଜା ଆୟୋଜନ କରାଯାଉଛି। ପ୍ରତିବର୍ଷ ପୂଜା ମଣ୍ଡପକୁ ଆକର୍ଷଣୀୟ କରିବା ପାଇଁ ଆକର୍ଷଣୀୟ ମେଢ଼ ସହ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଉପରେ ଗୁରୁତ୍ୱ ଦିଆଯାଇଥାଏ। ଚଳିତବର୍ଷ ପୂଜା କମିଟି ୩୨ ବର୍ଷରେ ପଦାର୍ପଣ କରିଥିବାବେଳେ ଏଠାରେ ସ୍ୱତନ୍ତ୍ର ଢ଼ଙ୍ଗରେ ତୋରଣ ପ୍ରସ୍ତୁତ କରାଯିବ। ଏହି ତୋରଣର ବିଶେଷତ୍ୱ ଏହା ଯେ ତୋରଣଟି ଅବିକଳ ‘ରାଷ୍ଟ୍ରପତି ଭବନ’ ସଦୃଶ ଗଢାଯିବ।
ପୂଜା ଆୟୋଜନ ପାଇଁ ୭ରୁ ୮ଲକ୍ଷ ଟଙ୍କା ବଜେଟ୍ ସ୍ଥିର କରାଯାଇଥିବାବେଳେ କେବଳ ତୋରଣ ପ୍ରସ୍ତୁତିରେ ସାଢ଼େ ୩ଲକ୍ଷ ଖର୍ଚ୍ଚ ହେବ ବୋଲି ପୂଜା ସମିତିର କର୍ମକର୍ତ୍ତା କହିଛନ୍ତି। ପଶ୍ଚିମବଙ୍ଗର ୧୦ ଜଣ କାରିଗର ୧୦ ଦିନ ମଧ୍ୟରେ ଏହି ତୋରଣ ପ୍ରସ୍ତୁତ କରିବେ।
ପୂଜା ପାଇବାକୁ ଥିବା ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ୧୯ ଫୁଟ୍ ରହିବ। କଟକ ଚୌଦ୍ଵାର ଅଞ୍ଚଳର ମୂର୍ତ୍ତି କାରିଗର ଏହି ମୂର୍ତ୍ତି ପ୍ରସ୍ତୁତି କରିବା ଦାୟିତ୍ୱରେ ଅଛନ୍ତି । ମା’ଙ୍କ ମୂର୍ତ୍ତିକୁ ଆହୁରି ଆକର୍ଷଣୀୟ କରିବ ସୁନା ରୂପାର ଗହଣା। ମୂର୍ତ୍ତିକୁ ଶୋଭା ପାଇବା ପରି ଆକର୍ଷଣୀୟ ମେଢ଼ ତିଆରିରେ ବ୍ୟସ୍ତ କାରିଗର।
ତେବେ ସମସ୍ତ ଆଡ଼ମ୍ବରରେ ପୂଜା ପରମ୍ପରା ଯେପରି କୈଣସି ବ୍ୟତିକ୍ରମ ନହୁଏ ସେଥିପ୍ରତି କମିଟି ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯିବ। ଷଷ୍ଠୀ ଅବସରରେ ବିଲ୍ୱବରଣୀ ସହ ପୂଜା ଆରମ୍ଭ ହେବ। ମହାସପ୍ତମୀ ଓ ମହାଷ୍ଟମୀ ପୂଜା ଯଥା ରୀତିନୀତି ଅନୁଷ୍ଠିତ ହେବ। ପୂଜା କାର୍ଯ୍ୟ ପାଇଁ ୧୦ଜଣ ବ୍ରାହ୍ମଣ ନିୟୋଜିତ ହେବେ। ମନ୍ତ୍ରପାଠରେ ସ୍ଥାନୀୟ ଅଞ୍ଚଳ ଗୁଞ୍ଜରିତ ହେବ।
ସେହପରି ଦର୍ଶକଙ୍କ ମନୋରଞ୍ଜନ ପାଇଁ ତିନିଦିନିଆ ଭଜନ ସମାରୋହ ଅନୁଷ୍ଠିତ ହେବ। ୨ବର୍ଷ କରୋନା କଟକଣା ମଧ୍ୟରେ ପୂଜା ଆୟୋଜନ ଫିକା ପଡ଼ିଥିବାବେଳେ ଚଳିତବର୍ଷ ଅଧିକରୁ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେବ ବୋଲି ଆୟୋଜକ ଆଶା ରଖିଛନ୍ତି। ଏଥିପାଇଁ ଅଷ୍ଟମୀ ଠାରୁ ଦଶମୀ ପ୍ରତିଦିନ ପ୍ରାୟ ୨ ହଜାର ଭକ୍ତଙ୍କ ପାଇଁ ମା’ଙ୍କ ପ୍ରସାଦ ସେବନର ମଧ୍ୟ ବନ୍ଦୋବସ୍ତ କରାଯାଇଛି।
ସେହିପରି ଭକ୍ତଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି ସମିତିର କର୍ମକର୍ତ୍ତା କହିଛନ୍ତି। ମା’ଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯିବ। ସେହିପରି ମହିଳା ଶ୍ରଦ୍ଧାଳୁଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ।
Tags: #Culture #Festival #Durgapuja2022 #BBSRDussera#TankapaniroadDurgapuja #RastrapatiBhawan