ଓଡ଼ିଶାଲାଇଭ୍ ବ୍ୟୁରୋ
- ପୁରୀରେ ହବିଷ୍ୟାଳି ମା’ଙ୍କ କାର୍ତ୍ତିକ ବ୍ରତ ଆରମ୍ଭ
- ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଲେ ହବିଷ୍ୟାଳି
ପୁରୀରେ ହବିଷ୍ୟାଳି ମା’ମାନଙ୍କର କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି। ଏଣିକି ସେମାନଙ୍କର ଖାଇବା ଏବଂ ରହିବା ପାଇଁ କୌଣସି ଅସୁବିଧା ହେବ ନାହିଁ। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହବିଷ୍ୟାଳି ମା’ମାନଙ୍କ ଲାଗି ଲୋକାର୍ପିତ କରିଛନ୍ତି ‘ବୃନ୍ଦାବତୀ ନିବାସ’। ଏହି ଅବସରରେ ସବୁ ହବିଷ୍ୟାଳି ମା’ଙ୍କୁ ମୁଖ୍ୟମନ୍ତ୍ରୀ ସ୍ଵାଗତ କରିବା ସହ ଗୋଟିଏ ଗୋଟିଏ ଶାଲ୍ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଲୋକାର୍ପଣ ଅବସରରେ ହୁଳହଳିରେ ପ୍ରକମ୍ପିତ ହୋଇଥିଲା ସମ୍ପୃକ୍ତ ଅଞ୍ଚଳ। ମୁଖ୍ୟମନ୍ତ୍ରୀଙ୍କୁ ଦୀର୍ଘାୟୁ ହେବାର ଆଶୀର୍ବାଦ ଦେଇଥିଲେ ହବିଷ୍ୟାଳି।
ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ଵିନୀ ପାତ୍ର ଓ ସାଂସଦ ପିନାକୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ୩ ଜଣ ହବିଷ୍ୟାଳି ଗଞ୍ଜାମର ଉର୍ମିଳା ପଟ୍ଟନାୟକ, ମୟୁରଭଞ୍ଜର ସାବିତ୍ରୀ ବିନ୍ଧାଣି ଓ ପୁରୀର ଡଲିମଣି ନାଇଡ଼ୁ ସେମାନଙ୍କ ପାଇଁ ରାଜ୍ୟ ସରକାର ଯୋଗାଉ ଥିବା ସମସ୍ତ ସୁବିଧା ସମ୍ପର୍କରେ କହିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଏବେ ଅଭିଷ୍ୟାଳିଙ୍କର ରହିବା, ଖାଇବା ଏବଂ ଶୋଇବା ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ହଭିଷ୍ୟାଳିମାନେ।
୫-ଟି ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୁରୀ ଜିଲ୍ଲାପାଳ ସ୍ଵାଗତ ଭାଷଣ ଦେଇଥିବାବେଳେ ଅତିରିକ୍ତି ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ। ପୁରୀ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପରିଚାଳନା କମିଟିର ସଦସ୍ୟଗଣ ଓ ଅନ୍ୟ ବରିଷ୍ଠ ବ୍ୟକ୍ତି ବିଶେଷ ଏହି ଅବସରରେ ଯୋଗ ଦେଇଥିଲେ।
Tags: #Puri #Habisyali #CMNaveenPatnaik #BrundabatiNiwas