ଓଡ଼ିଶାଲାଇଭ୍ ବ୍ୟୁରୋ

  • ବିଦାୟ ନେଲେ ସୌରଭ ଗାଙ୍ଗୁଲି
  • ବିସିସିଆଇକୁ ମିଳିଲା ନୂଆ ସଭାପତି
  • ୧୯୮୩ ବିଶ୍ଵ କପ ବିଜେତା ଟିମ୍ ସଦସ୍ୟ ଥିଲେ ରୋଜର ବିନ୍ନୀ
  • ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଲେ ବିନ୍ନୀ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ମିଳିଲା ନୂଆ ସଭାପତି। ବିସିସିଆଇ ସଭାପତି ପଦବୀରୁ ସୌରଭ ଗାଙ୍ଗୁଲି ଅବସର ନେବା ପରେ ଏବେ ଏହି ସ୍ଥାନରେ ନିଯୁକ୍ତ ହୋଇଛନ୍ତି ରୋଜର ବିନ୍ନୀ। ମଙ୍ଗଳବାର ଦିନ ଅନୁଷ୍ଠିତ ବିସିସିଆଇର ସାଧାରଣ ବୈଠକରେ ସଭାପତି ପଦ ପାଇଁ ରୋଜନ ବିନ୍ନୀଙ୍କ ନାଁରେ ମୋହର ବାଜିଥିଲା। ୧୯୮୩ ବିଶ୍ଵ କପ ବିଜେତା ଟିମର ସଦସ୍ୟ ଥିଲେ ରୋଜର।
ବର୍ତ୍ତମାନ ଏହି ନିଯୁକ୍ତି ପରେ ରୋଜର ବିନ୍ନୀ ହୋଇଛନ୍ତି ବିସିସିଆଇର ୩୬ ତମ ସଭାପତି। ଏହା ପୂର୍ବରୁ ଗତ ୨୦୧୯ ମସିହାଠାରୁ ସୌରଭ ଗାଙ୍ଗୁଲି ଏହି ପଦବୀ ସମ୍ଭାଳୁ ଥିଲେ। କିଛି ଦିନ ପୂର୍ବରୁ ସୌରଭ ଗାଙ୍ଗୁଲିଙ୍କର କାର୍ଯ୍ୟକାଳ ବୃଦ୍ଧି ହେବା ନେଇ ଚର୍ଚ୍ଚା ହେଉଥିଲା।

କୁହାଯାଉଛି ରୋଜର ବିନ୍ନୀ ବିସିସିଆଇ ସଭାପତି ପଦବୀ ଲାଗି ଏକମାତ୍ର ପ୍ରାର୍ଥୀ ଥିଲେ। ଅନ୍ୟ କେହି ଏହି ପଦବୀ ଲାଗି ପ୍ରାର୍ଥିପତ୍ର ଦାଖଲ କରିନଥିବାରୁ ରୋଜର ନିର୍ଦ୍ଵନ୍ଦ୍ଵରେ ସଭାପତି ନିର୍ବାଚିତ ହୋଇଛନ୍ତି। ଏହା ସହିତ ଜୟ ଶାହଙ୍କୁ ଲଗାତର ଦ୍ଵିତୀୟ ଥର ପାଇଁ ସଚିବ ଭାବେ ନିଯୁକ୍ତ କରାଯାଇଛି।

କର୍ଣ୍ଣାଟକର ରାଜ୍ୟ କ୍ରିକେଟ ଆସୋସିଏସନର ସଭାପତି ଥିଲେ ବିନ୍ନୀ

ରୋଜର ବିନ୍ନୀ କର୍ଣ୍ଣାଟକର ରାଜ୍ୟ କ୍ରିକେଟ ଆସୋସିଏସନର ସଭାପତି ଥିଲେ। ବିସିସିଆଇ ସଭାପତି ନିର୍ବାଚିତ ହେବା ପରେ ସେ ଏହି ପଦବୀରୁ ଇସ୍ତଫା ଦେଇଛନ୍ତି। ନିଜ କ୍ରିକେଟ କ୍ୟାରିୟରରେ ବିନ୍ନୀ ମିଡିୟମ ପେସ ବୋଲର ଥିଲେ। ସେ ୧୯୮୩ ମସିହା ବିଶ୍ଵ କପରେ ୮ଟି ମ୍ୟାଚ ଖେଳିବା ସହ ୧୮ଟି ୱିକେଟ ନେଇଥିଲେ।

ରୋଜର ବିନ୍ନୀଙ୍କ ଅନ୍ତର୍ଜାତୀୟ ରେକର୍ଡ

ରୋଜର ବିନ୍ନୀ ୧୯୭୯-୮୭ ମଧ୍ୟରେ ଭାରତ ପାଇଁ ୨୭ଟି ଟେଷ୍ଟ ଏବଂ ୭୨ଟି ୱାନ ଡେ’ ଇଣ୍ଟରନ୍ୟାସନାଲ ମ୍ୟାଚରେ ଅଂଶ ଗ୍ରହଣ କରିଛନ୍ତି। ସେ ୧୯୭୯ରେ ପାକିସ୍ତାନ ବିପକ୍ଷରେ ବେଙ୍ଗାଳୁରୁ ଟେଷ୍ଟ ଜରିଆରେ ନିଜର ଇଣ୍ଟରନ୍ୟାସନାଲ ଡେବ୍ୟୁ କରିଥିଲେ। ନିଜ ଟେଷ୍ଟ କ୍ୟାରିୟରରେ ୪୭ଟି ୱିକେଟ ନେଇଥିବାବେଳେ ୱାନଡେ’ ଇଣ୍ଟନ୍ୟାସନାଲରେ ପ୍ରାୟ ୭୭ଟି ୱିକେଟ ହାସଲ କରିଥିଲେ। ସେ ଟେଷ୍ଟରେ ୮୩୦ ଏବଂ ୱାନଡେ’ ଇଣ୍ଟରନ୍ୟାସନାଲରେ ୬୨୯ ରନ ସ୍କୋର କରିଥିଲେ।

Tags: #RogerBinny #BCCI #President #Cricket

LEAVE A REPLY

Please enter your comment!
Please enter your name here