ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା। ଏହି ପରୀକ୍ଷା ୨୩ରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ନେଇ ଶୁକ୍ରବାର ଦିନ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ନଭେମ୍ବର ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା। ୩,୦୨୯ଟି ସେଣ୍ଟରରେ ପରୀକ୍ଷା ଦେବେ ମୋଟ ୫,୩୨,୭୧୨ ଛାତ୍ରଛାତ୍ରୀ। ସକାଳ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। ପରୀକ୍ଷାର ପ୍ରଥମ ଦିନରେ ଇଂରାଜୀ, ୨୫ ତାରିଖରେ ଗଣିତ, ୨୬ରେ ମାତୃଭାଷା, ୨୭ରେ ପ୍ରାକ୍ଟିକାଲ୍, ୨୮ରେ ସାଧାରଣ ବିଜ୍ଞାନ, ୨୯ରେ ସାମାଜିକ ବିଜ୍ଞାନ ଏବଂ ୩୦ ତରିଖରେ ତୃତୀୟ ଭାଷା ପରୀକ୍ଷା ଅନୁଷ୍ଠିତ ହେବ। କେବଳ ଗଣିତ ପରୀକ୍ଷା ଦିନ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ ସମୟ ମିଳିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା।
ବୋର୍ଡ ସଭାପତିଙ୍କ ସୂଚନା ଅନୁସାରେ ପରୀକ୍ଷା ଲାଗି ଆଜିଠାରୁ ବୋର୍ଡ ଓ୍ଵେବସାଟରୁ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ଛାତ୍ରଛାତ୍ରୀ। ୩୧୬ ନୋଡାଲ ସେଣ୍ଟରରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ରଖାଯିବ। ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ ଛାତ୍ରଛାତ୍ରୀ କେବଳ ପେନ ଓ ଅଡମିଟ କାର୍ଡ ସାଙ୍ଗରେ ନେବାକୁ ଅନୁମତି ରହିଛି।
Tags: #Education #Examination #MatricSummativeAssessmentExam

















