ଓଡ଼ିଶାଲାଇଭ୍ ବ୍ୟୁରୋ
କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା। କୋଭିଡ ମହାମାରୀର ଦୁଇ ବର୍ଷ ପରେ ବାଲିଯାତ୍ରା ଆୟୋଜନ କରାଯାଇଥିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। କେବଳ କଟକ ନୁହେଁ ବାଲିଯାତ୍ରା ଦେଖିବାକୁ କାହିଁ କେତେ ଦୂରରୁ ଆସିଥିବା ଲୋକଙ୍କ ଭିଡ଼ ଜମିଛି ବାଲିଯାତ୍ରା ପଡ଼ିଆରେ।
ଆଜିଠାରୁ ଆରମ୍ଭ ହୋଇଛି କଟକଣା ମୁକ୍ତ ବାଲିଯାତ୍ରା। ନଭେମ୍ବର ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଐତିହାସିକ ଯାତ୍ରା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୁଇ ବର୍ଷ ଧରି ଖାଁ ଖାଁ ହୋଇ ପଡ଼ିଥିବା ପଡ଼ିଆରେ ଚଳିତ ବର୍ଷ ପ୍ରଥମ ଦିନରେ ଦେଖିବାକୁ ମିଳିଛି ଦର୍ଶକଙ୍କ ଖଚାଖଚ ଭିଡ଼। ଭିଡ ନିୟନ୍ତ୍ରଣ କରିବାକୁ ନିୟୋଜିତ ହୋଇଛନ୍ତି ପୋଲିସ ଫୋର୍ସ।
ଚଳିତ ବର୍ଷ ବାଲିଯାତ୍ରାର ଭରପୁର ମଜା ନେଉଛନ୍ତି ଦର୍ଶକ। କଟକର ଗଳିକନ୍ଦିରେ ରହୁଥିବା କଟକବାସୀ ନଈ କୂଳିଆ ପବନରେ ବୁଲିବା ସହ କିଣାକିଣି ଆରମ୍ଭ କରିଛନ୍ତି। କେବଳ କଟକ ନୁହେଁ ବାଲିଯାତ୍ରା ଦେଖିବାକୁ କାହିଁ କେତେ ଦୂରରୁ ଲୋକମାନେ ଚାଲି ଆସିଥାନ୍ତି କଟକ। ଏହାସହ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରର ଲୋକମାନେ ମଧ୍ୟ ଏଠାକୁ ବ୍ୟବସାୟ ପାଇଁ ଆସିଥିନ୍ତି।
ଦୁଇ ବର୍ଷ ପରେ କଟକଣା ମୁକ୍ତ ବାଲିଯାତ୍ରା
କୋଭିଡ ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ବନ୍ଦ ରହିଥିଲା ବାଲିଯାତ୍ରା। ଦୁଇ ବର୍ଷ ପରେ ଏଥର ଆୟୋଜନ ହୋଇଛି କଟକଣା ମୁକ୍ତ ବାଲିଯାତ୍ରା। ବାଲିଯାତ୍ରା ପଡ଼ିଆରେ ଭିଡ ଜମୁଛି। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ବାଲିଯାତ୍ରାର ମଜା ନେଉଛନ୍ତି। ଏଥର ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ସହ ବିଭିନ୍ନ ସୁଆଦିଆ ଖାଦ୍ୟର ପସରା ପଡ଼ିଛି। ଏହା ସାଙ୍ଗକୁ ଘରକରଣା ସାମଗ୍ରୀସାଙ୍ଗକୁ ବିଭିନ୍ନ ଦୋଳିର ମଜା ନେଉଛନ୍ତି ଦର୍ଶକ।
ଭିଡ଼ ନିୟନ୍ତ୍ରଣ ପାଇଁ ୫୦ ପ୍ଲାଟୁନ୍ ଫୋର୍ସ
ଏ ବର୍ଷ ଲୋକଙ୍କ ଭିଡ଼ ଜମିବାର ଯଥେଷ୍ଟ ସମ୍ଭାବନା ରହିଛି। ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଛି କମିଶନରେଟ ପୋଲିସ। ଭିଡ଼ ନିୟନ୍ତ୍ରଣ ଲାଗି କଟକ ସହର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ କେଉଁ ରାସ୍ତାରେ ଗାଡ଼ି ଯିବ ସେନେଇ ଗାଇଡ ଲାଇନ ମଧ୍ୟ ଜାରି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ତଳ ଏବଂ ଉପର ବାଲିଯାତ୍ରା ପଡ଼ିଆରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ନିୟୋଜିତ ହୋଇଛନ୍ତି ୫୦ ପ୍ଲାଟୁନ୍ ଫୋର୍ସ।
ଏଥର ବାଲିଯାତ୍ରାକଚୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପଡ଼ିଆ ଭିତରେ ୨୫ ଟଙ୍କା ଦେଇ ଦର୍ଶକ ପାଣି ବୋତଲ କିଣିପାରିବେ ଏବଂ ଏହି ବୋତଲକୁ ଫେରାଇଲେ ୫ ଟଙ୍କା ଫେରାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥିପାଇଁ ୨୪ଟି ଷ୍ଟଲ ଖୋଲାଯାଇଛି।
କିଣାବିକା ଲାଗି ୧,୬୦୦ ଷ୍ଟଲ
ମହାନଦୀ କୂଳରେ ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ଆୟୋଜନ ପାଇଁ ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଛି। ଚଳିତ ବର୍ଷ ମୋଟ ୧୦୦ ଏକର ଜାଗାରେ ବାଲିଯାତ୍ରାର ଆୟୋଜନ କରାଯାଇଛି। କିଣାବିକା ଲାଗି ୧,୬୦୦ ଷ୍ଟାଲ ଖୋଲାଯାଇଛି।
ଷ୍ଟଲଗୁଡ଼ିକରେ ହସ୍ତଶିଳ୍ପ, କାରୁକାର୍ଯ୍ୟ, ପାରମ୍ପାରିକ ସାମଗ୍ରୀ, ଘରୋଇ ଉପକରଣ ଏବଂ ଆସବାବ ସାଙ୍ଗକୁ ବିଭିନ୍ନ ସୁଆଦିଆ ଖାଦ୍ୟର ପସରା ମେଲିଛି। ପ୍ରଥମ ଦିନ ବାଲିଯାତ୍ରା ପଡ଼ିଆରେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥିବାବେଳେ ଆଗାମୀ ୬ ଦିନ ଆହୁରି ଭିଡ଼ ବଢ଼ିବ ବୋଲି ଆଶା କରାଯାଉଛି।
Tags: #Cuttack #Balijatra #Tradition #Culture