ଓଡ଼ିଶାଲାଇଭ୍ ବ୍ୟୁରୋ
(ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ବଛା ହେଉଛନ୍ତି କଳାକାର। ବୁଧବାର ଦିନ କଳାକାର ଚୟନର ଦ୍ଵିତୀୟ ପର୍ଯ୍ୟାୟ ଅଡିସନ ଚାଲିଥିବାବେଳେ ଏଥିରେ ଅଂଶ ଗ୍ରହଣ କରିଛନ୍ତି ପ୍ରାୟ ୫୨ ଜଣ କଳାକାର। ଆଜି ମହାମନ୍ତ୍ରୀ, ଅକ୍ରୁର, ସାତ୍ୟକି ଏବଂ ଚାଣୁର ମୁଷ୍ଟିକ ଚରିତ୍ର ପାଇଁ ଚାଲିଛି ଅଡିସନ। ଏଥିରେ ଚିୟନ ହୋଇଥିବା କଳାକାର ଖୋଲାମଞ୍ଚରେ ଅଭିନୟ କରିବାର ସୁଯୋଗ ପାଇବେ।
ଆସନ୍ତା ଡିସେମ୍ବର ୨୭ ତାରିଖରୁ ୨୦୨୩ ଜାନୁଆରି ୬ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବ। ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ସୋମବାରଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ କଳାକାର ଚୟନ ପ୍ରକ୍ରିୟା। ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଏବଂ ଧନୁଯାତ୍ର ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ପ୍ରଥମ ଦିବସରେ ଉଗ୍ରସେନ, ବସୁଦେବ, ଦେବକୀ, ନାରଦ ଏବଂ ସେନାପତି ଭୂମିକାରେ ଅଭିନୟ କରିବା ପାଇଁ କଳାକାରମାନଙ୍କ ଅଭିନୟ ଦକ୍ଷତା ପରଖି ଥିଲେ ଚୟନକର୍ତ୍ତା। ଉଗ୍ରସେନ ଚରିତ୍ର ପାଇଁ ୭ ଜଣ ଆବେଦନ କରିଥିବାବେଳେ ୬ ଜଣ କଳାକାର ଚୟନ ପ୍ରକ୍ରିୟାରେ ଭାଗ ନେଇଥିଲେ। ଚଳିତ ବର୍ଷ ଧନୁଯାତ୍ରାରେ ଅଭିନୟ କରିବା ପାଇଁ ଅଭିଜ୍ଞ ଯୁବ କଳାକାରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।
Tags: #BargarhDhanujatra #BargarhDhanujatra2022 #Audition #Actor