ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିରରେ ଆଜିଠାରୁ ତିନି ଦିନ ବ୍ୟାପି ମହାପ୍ରଭୁଙ୍କ ଦେବ ଦୀପାବଳି ନୀତି ଆରମ୍ଭ ହୋଇଛି। ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ କରି ଶ୍ରାଦ୍ଧ ବେଶରେ ଵିଭୂଷିତ ହେବେ। ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହିଆସିଛି ।
ଆଜି ପ୍ରଥମ ଦିନରେ ମହାପ୍ରଭୁ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ଆଦିତି ଓ କଶ୍ୟପଙ୍କ ଉଦେଶ୍ୟରେ ଦୀପ ଦାନ ଓ ଶ୍ରାଦ୍ଧ ଦେଇଥାନ୍ତି। ତେବେ ଦ୍ଵିତୀୟ ଦିନ ଅମାବାସ୍ୟା ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଧେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେବା ସହ ତୃତୀୟ ଦିନ ଅର୍ଥାତ ପ୍ରତିପଦା ତିଥିରେ ମହାପ୍ରଭୁ ଦେବକୀ, ବାସୁଦେବ,ନନ୍ଦ,ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାରାଣୀଙ୍କୁ ଦୀପଦାନ କରିବା ସହ ଶ୍ରାଦ୍ଧ ତର୍ପଣ ଦେବାର ପରମ୍ପରା ରହିଛି।
ଏହି ଦିନମାନଙ୍କରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରାଦ୍ଧ ବେଶରେ ଶ୍ରାଦ୍ଧ ତର୍ପଣ କରାଯିବା ସହ ମହାଦୀପ ମଧ୍ୟ ପ୍ରଜ୍ଵଳିତ ହୋଇଥାଏ । ସେପଟେ ଆଜି ଦୀପରେ ସଜେଇ ହେବ ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିସର। ଏଥିପାଇଁ ଶ୍ରୀମନ୍ଦିର ପକ୍ଷରୁ ସମସ୍ତ ଆୟୋଜନ କରାଯାଇଛି।
Tags: #Devdewali #SriJagannathTemple #Puri #Odisha



















