ଓଡ଼ିଶାଲାଇଭ୍ ବ୍ୟୁରୋ

“ଓଡ଼ିଶା ସହ ମୋର ସଂପର୍କ ୧୯୯୪ ମସିହାରୁ। ବିଜୁ ବାବୁଙ୍କ ସ୍ଵପ୍ନ ଥିଲା ମୌଳିକ ଅଧିକାରରୁ ବଞ୍ଚିତ କଳାହାଣ୍ଡି ଜିଲ୍ଲାର ବିକାଶ। ତାଙ୍କ ସହ ଯେବେ ମୋର ଦେଖା ହୋଇଥିଲା, ଏ ବିଷୟରେ ଆମେ ଆଲୋଚନା କରିଥିଲୁ। ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାପରେ ଆମେ ଦୁହେଁ କଳାହାଣ୍ଡିର ବିକାଶ ପାଇଁ ପଦକ୍ଷେପ ନେଇଥିଲୁ। କଳାହାଣ୍ଡିରେ ବେଦାନ୍ତ ୨୦ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିଛି। ମୁଁ ଖୁବ ଗର୍ବ ଅନୁଭବ କରେ ଯେ କଳାହାଣ୍ଡିର ବିକାଶ ଧାରାରେ ଯୋଡ଼ିହୋଇ ଏହାକୁ ମୁଖ୍ୟ ସ୍ରୋତରେ ଆଣିବାରେ ବେଦାନ୍ତ ମୁଖ୍ୟ ଭୂମିକା ଗ୍ରହଣ କରିଛି”, ମେକ୍ ଇନ୍‌ ଓଡ଼ିଶା କନକ୍ଲେଭର ବିଜନେସ ଲିଡରସିପ୍ ସମିଟରେ ଯୋଗ ଦେଇ କହିଛନ୍ତି ବେଦାନ୍ତର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଅନିଲ ଅଗ୍ରଓ୍ଵାଲ।

ଦେଶ ବିଦେଶର ପୁଞ୍ଜି ନିବେଶକାରୀଙ୍କୁ ଓଡ଼ିଶାକୁ ଆକର୍ଷିତ କରିବା ଲାଗି ରାଜ୍ୟ ସରକାରଙ୍କର ଏକ ଅନନ୍ୟ ପ୍ରୟାସ ହେଉଛି ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ। ୨୦୧୬ ମସିହାରୁ ଭୁବନେଶ୍ୱରଠାରେ ଆରମ୍ଭ ହୋଇଥିବା ଏହି ଶିଳ୍ପ ମହାକୁମ୍ଭ ପ୍ରତି ଦୁଇବର୍ଷରେ ଥରେ ଆୟୋଜନ କରାଯାଉଛି। ୨୦୨୨ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ‘ମେକ୍ ଇନ୍ ଓଡ଼ିଶା’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ।

ଓଡ଼ିଶାରେ ଯେଉଁ ଦ୍ରୁତ ଶିଳ୍ପାୟନର ଯାତ୍ରା ଆରମ୍ଭ ହୋଇଛି ତାହାକୁ ଆହୁରି ସମୃଦ୍ଧ କରିବାରେ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ର ତୃତୀୟ ସଂସ୍କରଣ ବିଶେଷ ସହାୟକ ହେବ। ଓଡ଼ିଶାର ଶିଳ୍ପାୟନକୁ ଆଗକୁ ନେବା ପାଇଁ ଏହି ମହାକୁମ୍ଭରେ ମନ୍ଥନ ହେବ। ତେଣୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଦେଶ ବିଦେଶର ନିବେଶକାରୀମାନଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୨୦୧୬ ଏବଂ ୨୦୧୮ରେ ମେକ୍ ଇନ୍ ଓଡ଼ିଶାର ସଫଳତା ପରେ ରାଜ୍ୟ ସରକାର ତୃତୀୟ ସଂସ୍କରଣ ଆୟୋଜନ କରୁଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଦୁବାଇ ଏବଂ ଭାରତର କେତେକ ପ୍ରମୁଖ ସହରରେ ରୋଡ୍ ସୋ’ କରିବା ସହିତ ବିଭିନ୍ନ ନିବେଶକଙ୍କ ସହ ଆଲୋଚନା କରିଥିଲେ।

ନିକଟରେ ‘ଇଜ୍ ଅଫ୍ ଡୁଇଙ୍ଗ’ ବିଜନେସ୍ ତାଲିକାରେ ଓଡ଼ିଶାକୁ ‘ଆଚିଭର୍ସ’ ରାଜ୍ୟର ମାନ୍ୟତା ମିଳିବା ସହ ଶିଳ୍ପ ନିବେଶ କ୍ଷେତ୍ରରେ ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି। ଫଳରେ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨’ରେ  ଅନେକ ନିବେଶକାରୀ ଓଡ଼ିଶା ଆସିବେ ବୋଲି ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

ମେକ୍ ଇନ୍ ଓଡ଼ିଶା–୨୦୧୮ରେ ଦେଶ ବିଦେଶରୁ ପ୍ରମୁଖ ଶିଳ୍ପପତି, ଉଦ୍ୟୋଗୀ, ବ୍ୟାଙ୍କର୍ସ, ପଲିସି ମେକରଙ୍କ ସହିତ ବିଭିନ୍ନ ଅଂଶୀଦାରମାନେ ଯୋଗ ଦେଇଥିଲେ। ଏହି କନକ୍ଲେଭକୁ ନେଇ ଓଡ଼ିଶାଲାଇଭ୍ ପକ୍ଷରୁ ସ୍ୱତନ୍ତ୍ର ଭିଡିଓ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା।

Tags: #MakeInOdishaConclave #AnilAgrawal #VedantaResourcesLimited #Odisha #CMO #NaveenPatnaik #BijuPatnaik

LEAVE A REPLY

Please enter your comment!
Please enter your name here