ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ ହୋଇଛି ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨। ଏହି ମେଗା ଇଭେଣ୍ଟର ଦ୍ଵିତୀୟ କାର୍ଯ୍ୟ ଦିବସରେ ଓଡ଼ିଶାକୁ ପୁଣି ମିଳିଛି ନିବେଶ ପ୍ରସ୍ତାବ। ୨୨ଟି ଶିଳ୍ପ ସହଯୋଗୀ ସଂସ୍ଥାଙ୍କଠାରୁ ୧.୭୫ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ନିବେଶ ପ୍ରସ୍ତାବ ପାଇଛନ୍ତି ରାଜ୍ୟ ସରକାର। ସବୁଜ ଶକ୍ତି ଓ ବୈଦ୍ୟୁତିକ ଉପକରଣ ଉତ୍ପାଦନ କ୍ଷେତ୍ରରେ ଏହି ନିବେଶ ପ୍ରସ୍ତାବ ଆସିଛି।

ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ, ପମ୍ପ ଷ୍ଟୋରେଜ ଜଳ ବିଦ୍ୟୁତ୍ ପ୍ରକଳ୍ପ, ଭାସମାନ ସୋଲାର ଏବଂ ପବନ ତଥା ଅକ୍ଷୟଶକ୍ତି ସମ୍ବନ୍ଧୀତ ଉପକରଣ କ୍ଷେତ୍ରରେ ୨୨ଟି ଶିଳ୍ପ ସହଯୋଗୀ ସଂସ୍ଥାଙ୍କଠାରୁ ୧.୭୫ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ପ୍ରସ୍ତାବ ମିଳିଛି।

ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ଵିତୀୟ କାର୍ଯ୍ୟ ଦିବସରେ ଶକ୍ତି ବିଭାଗ ଦ୍ଵାରା ବୈଦ୍ୟୁତିକ ଉପକରଣ ଏବଂ ଗ୍ରୀନ ହାଇଡ୍ରୋଜେନ ଶୀର୍ଷକକୁ ନେଇ ଦୁଇଟି ପ୍ୟାନେଲ ବୈଠକ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ବୈଦ୍ୟୁତିକ ଉପକରଣ ଉତ୍ପାଦନ ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ଗ୍ରୀନ ହାଇଡ୍ରୋଜେନ ଉତ୍ପାଦନ ଲାଗି ରାଜ୍ୟରେ ଏକ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ବୈଠକରେ ଆଲୋଚନା ହୋଇଥିଲା।

ଆୟୋଜିତ ପ୍ୟାନେଲ ବୈଠକରେ ଉଦ୍ୟୋଗ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ତଥା ଭାରତୀୟ ଅକ୍ଷୟଶକ୍ତି ବିଭାଗ ସଂସ୍ଥାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ଓ୍ଵାରୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଏଏମପି ଏନର୍ଜୀର ପରିଚାଳନା ନିର୍ଦ୍ଦେଶକ, ଆଇ ଫରେଷ୍ଟର ସଭାପତି, ଭାରତୀୟ ତୈଳ ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ରିନ୍ୟୁ ପାଓ୍ଵାରର ସଭାପତି, ଏଜୁର ପାଓ୍ଵାରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଅଭଡା ଏନର୍ଜୀର ମୁଖ୍ୟ ପରିଚାଳନା ଅଧିକାରୀ, ଆଦିତ୍ୟ ବିର୍ଲା ରିନ୍ୟୁଏବେଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବିଶ୍ଵବ୍ୟାଙ୍କର ଗ୍ରୀନ ହାଇଡ୍ରୋଜେନ ବିଶେଷଜ୍ଞ ପ୍ରମୁଖ ଯୋଗ ଦେଇଥିଲେ।

ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସ୍ଵାଗତ ଭାଷଣ ଦେଇଥିବାବେଳେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓଡ଼ିଶାର ଶକ୍ତି କ୍ଷେତ୍ର ଉପରେ ଆଧାରିତ ଏକ କଫି ଟେବୁଲ ବୁକ ଉନ୍ମୋଚନ କରିଥିଲେ।

ଏହି ଅବସରରେ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଅକ୍ଷୟ ଶକ୍ତି ଚମ୍ପିୟନ ପୁରସ୍କରରେ ଦୁଇଟି କମ୍ପାନିକୁ ସମ୍ମାନିତ କରିଥିଲେ। ମିନାକ୍ଷୀ ପାଓ୍ଵାର ଲିମିଟେଡକୁ ରାଜ୍ୟରେ ପ୍ରଥମ ଓ ସବୁଠାରୁ କମ୍ ମୂଲ୍ୟରେ ଜଳ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ଏବଂ ଆଦିତ୍ୟ ରିନ୍ୟୁଏବୁଲକୁ ଓଡ଼ିଶାରେ ସର୍ବାଧିକ ସୌରଶକ୍ତି ଉତ୍ପାଦନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟ ସରକାରଙ୍କ ତରଫରୁ ସବୁଜ ଶକ୍ତିର ବିକାଶ ନିମନ୍ତେ ସମସ୍ତ ପ୍ରଶାସନିକ ଓ ଆନୁଷଙ୍ଗିକ ସୁବିଧା ପ୍ରଦାନ କରାଯିବ ବୋଲି ଶକ୍ତି ମନ୍ତ୍ରୀ କହିଥିଲେ।

ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁଜ ଶକ୍ତିର ବ୍ୟବହାର ଓଡ଼ିଶାରେ ବ୍ୟାପକ ନିବେଶ ସୁଯୋଜ ସୃଷ୍ଟି କରିଛି ବୋଲି ଉଦ୍ୟୋଗୀମାନଙ୍କୁ ନିଜ ଉଦବୋଧନରେ କହିଥିଲେ। ଏହି ଅବସରରେ ରାଜ୍ୟ ଶିଳ୍ପନୀତି କିପରି ରାଜ୍ୟରେ ଅକ୍ଷୟ ଶକ୍ତିର ବିକାଶ ପାଇଁ ସହାୟକ ହୋଇପାରିବ ତାହା ଉପରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଗୁରୁତ୍ଵାରୋପ କରିଥିଲେ।

Tags: #MakeInOdishaConclave2022 #InvestOdisha #BusinessLeaders #Odisha #CMO #NaveenPatnaik #Proposal #PratapKeshariDev

LEAVE A REPLY

Please enter your comment!
Please enter your name here