ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ। ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ପ୍ରାୟ ଏକ ମାସ ବିଳମ୍ବରେ ଆରମ୍ଭ ହେଉଥିବା ଏହି ଶୀତ ଅଧିବେଶନ ଡିସେମ୍ବର ୨୯ ତାରିଖ ଯାଏଁ ଚାଲିବ। ଏହା ପୂର୍ବରୁ ମଙ୍ଗଳବାର ସର୍ବାଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅଧିବେଶନର କାର୍ଯ୍ୟସୂଚୀ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ସର୍ବଦଳୀୟ ବୈଠକ ଲାଗି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ବିଭିନ୍ନ ଦଳର ଗୃହ ନେତାଙ୍କୁ ଆମନ୍ତ୍ରଣ କରିଥିଲେ।

ଶୀତକାଳୀନ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଉଭୟ ଲୋକସଭା ଓ ରାଜ୍ୟସଭାର ସେକ୍ରେଟେରିଏଟ୍ ସାଂସଦଙ୍କ ଲାଗି ଆଚରଣ ବିଧି ଜାରି କରିଛନ୍ତି। ଶୀତ ଅଧିବେଶନରେ କେନ୍ଦ୍ର ସରକାର ୧୬ଟି ନୂଆ ବିଲ୍‌ ଆଣିବା ଲାଗି ଗତ ସପ୍ତାହରେ ତାଲିକାଭୁକ୍ତ କରିଥିଲେ। ଏଥର ରାଜ୍ୟସଭାରେ ପ୍ରଥମ କରି ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଅଧ୍ୟକ୍ଷତା କରିବେ।

ଆଜି ହୋଇଥିବା ସର୍ବାଦଳୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ, ଡିଏମକେ ସାଂସଦ ଟି ଆର୍ ବାଲୁ, ଶିରୋମଣି ଅକାଳୀ ଦଳର ହରସିମରତ କୌର ବାଦଲ, କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ଟିଏମସି ସାଂସଦ ଡେରିକ ଓ’ବ୍ରାଏନ୍ ପ୍ରମୁଖ ଯୋଗ ଦେଇଥିଲେ।

ଚଳିତବର୍ଷ ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୮ ତାରିଖରୁ ଅଗଷ୍ଟ ୮ ତାରିଖ ଯାଏଁ ହୋଇଥିଲା।

Tags: #Parliament #LokSabha #RajyaSabha #Wintersession #AllPartyMeeting

LEAVE A REPLY

Please enter your comment!
Please enter your name here