ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟରେ ୩୫ ବେସିସ୍ ପଏଣ୍ଟ(୦.୩୫ ପ୍ରତିଶତ) ବୃଦ୍ଧି କରିଛନ୍ତି। ଏବେ ରେପୋ ରେଟ୍ ୫.୯୦ ପ୍ରତିଶତରୁ ବଢ଼ି ୬.୨୫ ପ୍ରତିଶତ ହୋଇଛି। ରିଜର୍ଭ ବ୍ୟାଙ୍କ ମନିଟାରି ପଲିସି କମିଟିର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମନିଟାରି ପଲିସି କମିଟିର ୬ ଜଣରୁ ୫ ଜଣ ସଦସ୍ୟ ଏହି ରେପୋ ରେଟ୍ ବୃଦ୍ଧି ସପକ୍ଷରେ ସହମତ ହୋଇଥିଲେ। ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି।

ଏବେ ଏହି ରେପୋ ରେଟ୍ ବୃଦ୍ଧି ପାଇବା ଫଳରେ ସାଧାରଣ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କଠାରୁ ଋଣ ଆଣିବା ମହଙ୍ଗା ପଡ଼ିବ।  ଯାହାଫଳରେ ବ୍ୟାଙ୍କମାନେ ସାଧାରଣ ଲୋକମାନଙ୍କୁ ଦେଉଥିବା ବିଭିନ୍ନ ପ୍ରକରର ଋଣ ଯଥା ଗୃହ ଋଣ, କାର ଋଣ ଆଦିର  ସୁଧହାର ବୃଦ୍ଧି ପାଇବ।

ନଭେମ୍ବର ମାସରେ ରିଜର୍ଭ ବ୍ୟାଙ୍କ ମନିଟାରି ପଲିସି କମିଟିର ବୈଠକ ହୋଇଥିଲା। ବୈଠକରେ ହୋଇଥବା ନିଷ୍ପତ୍ତିଗୁଡିକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠା ଯାଇଥିଲା। କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଆଜି ଏହାକୁ ଘୋଷଣା କରାଯାଇଛି।

ଦେଶର ଆର୍ଥିକ ଅବସ୍ଥାରେ ମୁଦ୍ରାସ୍ଫୀତିର ହାରକୁ କମ କରିବା ପାଇଁ ଏହି ରେପୋ ରେଟ ବୃଦ୍ଧି କରଯାଇଛି। ରିଜର୍ଭ ବ୍ୟାଙ୍କ ୨୦୨୧ ଅକ୍ଟୋବର ମାସଠାରୁ ଏ ପର୍ଯ୍ୟନ୍ତ ଲଗାତର ୫ ଥର ଏହି ରେପୋ ରେଟ୍ ବୃଦ୍ଧି କରିଛନ୍ତି। ଏବେ ଦେଶରେ ମୁଦ୍ରାସ୍ଫୀତିର ହାର ୬.୭୭ ପ୍ରତିଶତ ରହିଛି, ଯାହା ଆଗରୁ ୭.୪୧ ପ୍ରତିଶତ ରହିଥିଲା। ବିଶ୍ଵର ଅନେକ ଦେଶରେ ମୁଦ୍ରାସ୍ଫୀତି ବହୁ ଅଧିକ ରହୁଥିବାରୁ ଏହାର ପ୍ରଭାବ ଭାରତ ଉପରେ ପଡ଼ୁଛି। ରିଜର୍ଭ ବ୍ୟାଙ୍କ ୨୦୧୬ ମସିହାରେ ଦେଶରେ ମୁଦ୍ରାସ୍ଫୀତିର ହାରକୁ ୨ ରୁ ୬ ପ୍ରତିଶତ ଭିତରେ ରଖିବାକୁ ନିଷ୍ପତ୍ତି ନେଇଥିଲା।

ଦେଶର ଆର୍ଥିକ ସ୍ଥିତି ତଥା ମୁଦ୍ରାସ୍ଫୀତିର ଆକଳନ କରିବା ପାଇଁ ରିଜର୍ଭ ବ୍ୟାଙ୍କ ମନିଟାରି ପଲିସି କମିଟି ପ୍ରତି ୨ ମାସରେ ଥରେ ବୈଠକ କରିଥାଏ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଆକ୍ଟ ୧୯୩୪ର ଅନୁଚ୍ଛେଦ ୪୫ ଅନୁସାରେ ଏହି ବୈଠକ ହୋଇଥାଏ।

ରେପୋ ରେଟ୍ ଓ ରଭର୍ସ ରେପୋ ରେଟ୍ କ’ଣ ?

ରେପୋ ରେଟ୍ ହେଉଛି ଏକପ୍ରକାର ସୁଧହାର, ଯାହାକୁ ନେଇ ରିଜର୍ଭ ବ୍ୟାଙ୍କ ଅନ୍ୟ ବ୍ୟାଙ୍କଗୁଡିକୁ ଋଣ ଦେଇଥାଏ। ଯେତେବେଳେ ରିଜର୍ଭ ବ୍ୟାଙ୍କ ଅନ୍ୟ ବ୍ୟାଙ୍କଗୁଡିକଠାରୁ ଟଙ୍କା ଅଣେ, ତାହାର ସୁଧହାରକୁ ରିଭର୍ସ ରେପୋ ରେଟ୍ କୁହାଯାଏ। ଦେଶର ଆର୍ଥିକ ଅବସ୍ଥାକୁ ସୁଦୃଢ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ଅନେକ ପନ୍ଥା ଆପଣେଇ ଥାଏ, ସେଥିମଧ୍ୟରୁ ଏହି ରେପୋ ରେଟ୍ ଓ ରଭର୍ସ ରେପୋ ରେଟ୍ ହେଉଛି ଦୁଇଟି ମୁଖ୍ୟ ଉପାୟ।

ଯେତେବେଳେ ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ପାଏ ସେତେବେଳେ ରିଜର୍ଭ ବ୍ୟାଙ୍କ ଏହାକୁ କମ୍ କରିବା ପାଇଁ ରେପୋ ରେଟ୍ ବୃଦ୍ଧି କରିଥାଏ। ସେହିଭଳି ଭାବେ ଯେତେବେଳେ ମୁଦ୍ରାସ୍ଫୀତି କମିଥାଏ ବା ସ୍ଥିର ରହେ ସେତେବେଳେ ରିଜର୍ଭ ବ୍ୟାଙ୍କ ତରଫରୁ ଦେଶରେ ଆର୍ଥିକ କାରବାର ବୃଦ୍ଧି କରିବା ଉଦ୍ଦେଶ୍ୟରେ ରେପୋ ରେଟ୍ କମ୍ କରିଥାଏ। ଏହାଦ୍ଵାରା ସାଧାରଣ ବ୍ୟାଙ୍କଗୁଡିକୁ ରିଜର୍ଭ ବ୍ୟାଙ୍କଠାରୁ ଋଣ ଆଣିବା ଶସ୍ତା ପଡ଼େ, ଯାହାର ଫାଇଦା ପରବର୍ତ୍ତୀ ସମୟରେ ସାଧାରଣ ଲୋକମାନଙ୍କୁ ମିଳିଥାଏ।

Tags: #RBI #Reporate #35basispointrise #Inflation #MonetaryPolicyCommitte #India

Comment