ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଦୁଇ ପଇସା ରୋଜଗାର କରି ପରିବାର ଚଳାଇବାକୁ ବାହାର ଜିଲ୍ଲାରେ କାମ କରିବାକୁ ଯାଇଥିଲେ, ହେଲେ ସେଠାରୁ ଭିନ୍ନକ୍ଷମ ହୋଇ ଫେରିଲେ କୋରାପୁଟ ଜିଲ୍ଲା ରେଙ୍ଗଳଗୁଡ଼ା ଗ୍ରାମର ଜଗବନ୍ଧୁ। ବିବାହର ମାତ୍ର ଚାରି ମାସ ପରେ ଘରୁ ଗୋଡ଼କାଢ଼ି ଦାଦନ ଖଟିବାକୁ ଯାଇଥିଲେ ଜଗବନ୍ଧୁ। ଏକ ଗାଡ଼ି ଧକ୍କାରେ ଅଚଳ ହୋଇଯାଇଛି ତାଙ୍କ ଶରୀରର ଅଧା ଅଂଶ। ସୁଖରେ ସଂସାର କରିବାକୁ ସ୍ଵପ୍ନ ସାଇତିଥିବା ଜଗବନ୍ଧୁଙ୍କର ସବୁ ଖୁସି ଧୂଳିସାତ ହୋଇଗଲା।

୪ ବର୍ଷ ତଳେ ଜଗବନ୍ଧୁଙ୍କ ସାଙ୍ଗରେ ଘଟିଥିଲା ଦୁଃଖଦ ଘଟଣା। ବିବାହର  ଚାରିମାସ ପରେ ରୋଜଗାର କରିବାରୁ ଘରୁ ବାହାରି ଥିଲେ ଜଗବନ୍ଧୁ। କାମକୁ ଯିବା ସମୟରେ ଗୋଟିଏ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସା ସମୟରେ ଜଣାପଡ଼ିଥିଲା ତାଙ୍କ ଅଣ୍ଟାରୁ ତଳ ଭାଗ ଅଚଳ ହୋଇପଡ଼ିଛି।

ପରେ ନିଜ ଗାଁକୁ ଫେରିଥିଲେ ଜଗବନ୍ଧୁ। ସେବେଠାରୁ ଘରେ ଅଚଳ ଅବସ୍ଥାରେ ପଡ଼ି ରହିଛନ୍ତି। ସ୍ତ୍ରୀ ତାଙ୍କର ସମସ୍ତ କଥା ବୁଝନ୍ତି। ରୋଜଗାରର କୌଣସି ଉପାୟ ନଥିବାରୁ ଅଧେ ଦିନ ଭୋକ ଉପାସରେ ତାଙ୍କ ଦିନ କଟୁଥିବା କୁହନ୍ତି ଜଗବନ୍ଧୁ।

ଅର୍ଥ ଅବଭାବରୁ ଚିକିତ୍ସା କରିବାକୁ ଡାକ୍ତରଖାନାକୁ ମଧ୍ୟ ଯାଇପାରୁ ନାହାନ୍ତି ସେ।  ବର୍ତ୍ତମାନ ପର୍ଯ୍ୟନ୍ତ ଜଗବନ୍ଧୁଙ୍କୁ ଭିନ୍ନକ୍ଷମ ଭତ୍ତା ମଧ୍ୟ ଦିଆଯାଉ ନାହିଁ। ବାରମ୍ବାର ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଜଗବନ୍ଧୁଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ପ୍ରଶାସନ ପକ୍ଷରୁ ଜଗବନ୍ଧୁଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଗ୍ରାମବାସୀ ଦାବି କରିଛନ୍ତି।

Tags: #Koraput #DailyWageLaboure #Paralysed #Jagabandhu

Comment