ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): କଳି ତୁଟାଇବାକୁ ଯାଇ ଠେଲାପେଲା ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ଥାନା ଅନ୍ତର୍ଗତ ବାରିଣିପୁଟ ଗାଁରେ। ମୃତ ମହିଳା ହେଲେ ନର୍ଗିସ ନାୟକ।
ବୁଧବାର ଦିନ ବାରିଣିପୁଟ ଗ୍ରାମର ଉପେନ୍ଦ୍ର ଭଣ୍ଡାରି ଏବଂ ତାଙ୍କ ପତ୍ନୀ ସର୍ମିଳାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ସର୍ମିଳାଙ୍କ ବଡ଼ ଭଉଣୀ ନର୍ଗିସ ସେମାନଙ୍କ ଝଗଡ଼ା ବନ୍ଦ କରିବାକୁ ଚେଷ୍ଟା କରିଥିଲେ। ତିନି ଜଣଙ୍କ ମଧ୍ୟରେ ଠେଲାପେଲା ଯୋଗୁଁ ନର୍ଗିସ ତଳେ ପଡ଼ିଯାଇଥିଲେ। କାନ୍ଥରେ ତାଙ୍କ ମୁଣ୍ଡ ଜୋରସେ ପିଟି ହୋଇ ସେ ଗୁରୁତର ଆହତ ହୋଇଥିଲେ।
ଗୁରୁତର ଅବସ୍ଥାରେ ନର୍ଗିସଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜୟପୁର ସଦର ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା କହିଛନ୍ତି ଥାନା ଅଧିକାରୀ ନବୀନ ଟପ୍ପୋ।
Tags: #Koraput #Joypure #Accident #Death