ଓଡ଼ିଶାଲାଇଭ୍ ବ୍ୟୁରୋ
ଡିସେମ୍ବର ୧୯ ତାରିଖରୁ ଆରମ୍ଭ ହେବ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ(ଏଲ୍ଆରପି)ର ଚୂଡ଼ାନ୍ତ ପରୀକ୍ଷା। କରୋନା ସମୟରେ ପାଠପଢ଼ା ପ୍ରଭାବିତ ହୋଇଥିବା ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ତୃତୀୟରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। ଡିସେମ୍ବର ୨୧ ତାରିଖ ଯାଏଁ ଚାଲିବ ଏହି ପରୀକ୍ଷା। ଏଥିଲାଗି ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି(ଓସେପା) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
୧୯ ତାରିଖରେ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଓଡ଼ିଆ ବିଷୟର ପରୀକ୍ଷା ହେବ ଏବଂ ଏହିଦିନ ଚତୁର୍ଥରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଇଂରାଜୀ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ। ୨୦ ତାରିଖରେ ତୃତୀୟରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ଗଣିତ ବିଷୟରେ ପରୀକ୍ଷା କରାଯିବ। ୨୧ ତାରିଖରେ ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପରିବେଶ ବିଜ୍ଞାନ ଓ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ବିଜ୍ଞାନ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ।
ଏହି ପରୀକ୍ଷାର ସୁପରିଚାଳନା ପାଇଁ ସ୍କୁଲ ପ୍ରଧାନ ଶିକ୍ଷକମାନଙ୍କୁ ଗୁରୁତ୍ୱ ଦେବାକୁ କୁହାଯାଇଛି। ଛାତ୍ରଛାତ୍ରୀ ନିଜ ନିଜ ସ୍କୁଲରେ ପରୀକ୍ଷା ଦେବେ। ପରୀକ୍ଷା ପାଇଁ ଧାର୍ଯ୍ୟ ସମୟରେ ଛାତ୍ରଛାତ୍ରୀଙ୍କ ପ୍ରଶ୍ନପତ୍ର ବଣ୍ଟନ ସହ ଉତ୍ତରଖାତା ଦିଆଯିବ। ପରୀକ୍ଷା ସରିବା ପରେ ପରୀକ୍ଷାର୍ଥୀଙ୍କଠାରୁ ଉତ୍ତର ଖାତାଗୁଡ଼ିକୁ ଆଦାୟ କରି ପ୍ରଧାନ ଶିକ୍ଷକମାନେ ତାହାକୁ ନିଜ ହେପାଜତରେ ରଖିବେ।
ଏହି ପରୀକ୍ଷାରେ ଯେପରି ଶତପ୍ରତିଶତ ଉପସ୍ଥାନ ହେବ, ସେ ଦିଗରେ ବି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଗୁରୁତ୍ୱ ଦେବାକୁ କୁହାଯାଇଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଆବଶ୍ୟକତା ଥିବାରୁ ଉତ୍ତର ଖାତାଗୁଡ଼ିକୁ ସୁରକ୍ଷିତ ଭାବେ ସାଇତି ରଖିବାକୁ ପରାମର୍ଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳକୁ ଏଲ୍ଆରପି ଡାସବୋର୍ଡରେ ଅପଲୋଡ କରିବାକୁ ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
କରୋନା ସମୟରେ ପାଠପଢା ପ୍ରଭାବିତ ହୋଇଥିବା ପିଲାଙ୍କ ଭବିଷ୍ୟତକୁ ସୁରକ୍ଷା କରିବା ଲାଗି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ୨୦୨୨ ମାର୍ଚ୍ଚ ମାସରେ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ ଆରମ୍ଭ କରଯାଇଥିଲା।
tags: #Learningrecoveryprogram #Finalexam #Students #OSEPA #Educationdepartment #Odisha