ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁର ଜିଲ୍ଲା ଅଦାଲତ ଓ ଜିଲ୍ଲା ମୁଖ୍ୟାଳୟ ଅଞ୍ଚଳରେ ଗତ ୬ ଦିନ ହେଲା ଲାଗିଥିବା ଧାରା ୧୪୪ ରବିବାର ଉଠାଇ ଦିଆଯାଇଛି। ମୁତୟନ ହୋଇଥିବା ପୋଲିସ ସଂଖ୍ୟା ମଧ୍ୟ ହ୍ରାସ କରାଯାଇଛି। ନିଷେଧାଦେଶ ହଟିବା ପରେ ଏହି ଅଞ୍ଚଳରେ ଯାତାୟତ ସ୍ଵାଭାବିକ ହୋଇପାରିଛି। କିନ୍ତୁ ୩୬ ଜଣଙ୍କ ଗିରଫଦାରି ଓ ୫୪ ଓକିଲଙ୍କ ନିଲମ୍ବନ ଯୋଗୁଁ କୋର୍ଟ କାର୍ଯ୍ୟ ଅଚଳ ହୋଇରହିଛି।
ନିଲମ୍ବନ ପ୍ରତ୍ୟାହାର ହୋଇଥିବା ଓକିଲ ମଧ୍ୟ କୋର୍ଟକୁ ଆସୁନାହାନ୍ତି। ଗିରଫ ଓକିଲମାନଙ୍କୁ ନିଃସର୍ତ୍ତରେ ଜାମିନ ନମିଳିବା ପର୍ଯ୍ୟନ୍ତ ନିଲମ୍ବନ ପ୍ରତ୍ୟାହାର ହୋଇଥିବା ଓକିଲମାନେ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି। ଅନ୍ୟପଟେ ପୋଲିସ ପକ୍ଷରୁ ଗିରଫଦାବି ଜାରି ରହିଛି। ଗଣ୍ଡଗୋଳ ସମୟର ସିସିଟିଭି ଦୃଶ୍ୟରୁ ପୋଲିସ ଅନ୍ୟମାନଙ୍କୁ ଚିହ୍ନଟ କରି ଗିରଫଦାରି ଜାରି ରଖିଛି।
ଅନୁଗୋଳ, ବରଗଡ଼ ଜିଲ୍ଲାର କେତେଜଣ ଆଇନଜୀବୀ ସମ୍ବଲପୁର ଆସି କୋର୍ଟ କାମରେ ସହଯୋଗ କରୁଛନ୍ତି। କୋର୍ଟ ମୁଖ୍ୟ ଫାଟକରେ ହେଲପ ଡେସ୍କ ଖୋଲାଯାଇ ଦୂରଦୂରାନ୍ତରୁ ଆସୁଥିବା ମହକିଲମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି।
ଗତ ଡିସେମ୍ବର ୧୨ ତାରିଖରେ ଅଧିକ ଗଣ୍ଡଗୋଳ ଆଶଙ୍କା କରି ଉପଜିଲ୍ଲାପାଳ ତଥା ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ୍ ଅଦାଲତର ୨୦୦ ମିଟର ପରିସରରେ ୧୪୪ ଧାରା ଲାଗୁ କରିଥିଲେ।
Tags: #HighCourtBench #SambalpurDistrictCourt #Section144 #Withdrawal #SupremeCourt #Odisha



















