ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ଲୋକସେବା ଭବନର କନ୍ଭେନସନ ହଲରେ ମୁଖ୍ୟମନ୍ତ୍ରୀ ୫-ଟି ଉପକ୍ରମରେ ରାଜ୍ୟର ୧୯ଟି ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହି ସହର ଗୁଡିକ ହେଲା – ଭୁବନେଶ୍ଵର, କଟକ, ନିମାପଡ଼ା, ବ୍ରହ୍ମପୁର, ଗୋପାଳପୁର, ରାଉରକେଲା, ସୁନ୍ଦରଗଡ, ବୀରମିତ୍ରପୁର, ରାଜଗାଙ୍ଗପୁର, କେନ୍ଦୁଝର, ଯୋଡା, ବଡବିଲ୍, ଚମ୍ପୁଆ, ଆନନ୍ଦପୁର, ବାରିପଦା, ରାଇରଙ୍ଗପୁର, ଉଦଳା, କରଞ୍ଜିଆ ଓ ବ୍ୟାସନଗର। ଏହିପରେ ସହରର ୫.୫୦ ଲକ୍ଷ ଲୋକ ଏଥିରୁ ଉପକାର ପାଇବେ।
ପୂର୍ବରୁ ୫-ଟି ଉପକ୍ରମରେ ପୁରୀରେ ସବୁ ଲୋକଙ୍କୁ ଡ୍ରିଙ୍କ ଫ୍ରମ ଟ୍ୟାପ ସୁବିଧା ମିଳିଥିଲା। ବୁଧବାର ଗୋପାଳପୁରରେ ମଧ୍ୟ, ରାଜ୍ୟର ଦ୍ଵିତୀୟ ସହର ଭାବରେ ଶତ ପ୍ରତିଶତ ଲୋକଙ୍କୁ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ବ୍ୟବସ୍ଥାର ସୁବିଧା ମିଳିଲା। ଏହାବ୍ୟତୀତ ଖୋର୍ଦ୍ଧା, ଜଟଣୀ ଓ ହିଞ୍ଜିଳିକାଟୁ ସହର ପାଇଁ ମୁଖ୍ୟମନ୍ତ୍ରୀ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମର ଆରମ୍ଭ ଘୋଷଣା କରିଥିଲେ। ଏହାଦ୍ଵାରା, ଏହି ୩ଟି ସହରର ୧.୫୦ ଲକ୍ଷ ଲୋକ ଉପକାର ପାଇବେ।
ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, “ପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇବା ମୋର ବହୁତ ଦିନର ସ୍ଵପ୍ନ ଏବଂ ଏହା ସବୁବେଳେ ମୋ ସରକାରର ପ୍ରାଥମିକତା ହୋଇ ରହିଛି। ଆଜି ଏକ ଐତିହାସିକ ଦିନ। ଜଳ ଆମ ସମସ୍ତଙ୍କ ପାଇଁ ଅମୂଲ୍ୟ। ତେଣୁ ଆମେ ଏହାକୁ ଉପଯୁକ୍ତ ଭାବେ ବ୍ୟବହାର କରିବା ଉଚିତ।”
ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି, “ଜଳ ହେଉଛି ଜୀବନ। ଜନସ୍ଵାସ୍ଥ୍ୟ ଓ ଦୈନନ୍ଦିନ ଜୀବନର ସୁବିଧା ପାଇଁ ସ୍ଵଚ୍ଛ ଜଳ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ। ୫-ଟି ଉପକ୍ରମ ରେ ଏହି ସୁବିଧା ଦ୍ଵାରା ଜନସାଧାରଣଙ୍କ ଜୀବନ ଧାରଣ ମାନରେ ପ୍ରଭୂତ ଉନ୍ନତି ଆଣିବ। ବିଶ୍ଵର ବଡ଼ ବଡ଼ ସହରର ବ୍ୟବସ୍ଥା ସହିତ ଆଜି ଓଡିଶାର ସହର ଗୁଡ଼ିକ ମଧ୍ୟ ଯୋଡ଼ି ହୋଇଛନ୍ତି ଏବଂ Bureau of Indian Standardsର ମାନ ଅନୁଯାୟୀ ଉତ୍ତମ ଓ ସ୍ଵଚ୍ଛ ଜଳ ପାଇପାରୁଛନ୍ତି। ଏଥିପାଇଁ ମୁଁ ୱାଟ୍କୋକୁ ଧନ୍ୟବାଦ ଜଣାଉଛି।”
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଓମ୍ବାଡସିର ଓଭରସାଇଟ୍ ଅଥରିଟି ଜଷ୍ଟିସ ଅନନ୍ତ ପଟ୍ଟନାୟକ ସ୍ଵଚ୍ଛ ପାନୀୟ ଜଳ ଯୋଗାଣ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମ ବୋଲି ପ୍ରକାଶ କରି ବିଭାଗୀୟ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ ସ୍ଵାଗତ ଭାଷଣ ଦେଇଥିଲେ ଓ ୱାଟକୋର ସିଇଓ ପି.କେ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ଵର ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହା ସହିତ ୧୯ଟି ସହରର ନେତୃବୃନ୍ଦ, ଅଧିକାରୀଗଣ ଓ ଜନସାଧାରଣ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଡ଼ି ହୋଇଥିଲେ।
Tags: #DrinkFromTap #24HourWaterSupply #NaveenPatnaik #Gopalpur #19Cities #Odisha