ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସର ମିଳିତ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକ ତଥା ଭକ୍ତଙ୍କ ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ନିଆଯାଇଛି। ନୂଆବର୍ଷ ଦିନ ରାତି ୧ ଟାରୁ ଶ୍ରୀମନ୍ଦିର ଦ୍ଵାରଫିଟା ନୀତି ଅନୁଷ୍ଠିତ ହେବ। ଏହାପରେ ଶ୍ରୀଜୀଉଙ୍କ ଅନ୍ୟାନ୍ୟ ନୀତିକାନ୍ତି ସହ ଭକ୍ତଙ୍କୁ ଦର୍ଶନ ସୁଯୋଗ ଦେବାକୁ ନିଷ୍ପତ୍ତି ହୋଇଛି। ଭକ୍ତଙ୍କ ପାଇଁ ସିଂହଦ୍ଵାରରୁ ମାର୍କେଟ୍ ଛକ ପର୍ଯ୍ୟନ୍ତ ଛାୟାପ୍ରଦ ସେଡ୍‌ ସହ ପିଇବା ପାଣିର ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି। ‌

ଡିସେମ୍ବର ୩୧, ଜାନୁଆରି ୧ ଓ ୨ ତାରିଖ, ଏଭଳି ୩ ଦିନ ସିଂହଦ୍ଵାରରୁ ମାର୍କେଟ୍‌ ଛକ ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନୀଙ୍କୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅଞ୍ଚଳକୁ ନୋ ଭେଣ୍ଡିଂ ଜୋନ୍‌ କରିବାକୁ ନିଷ୍ପତ୍ତି ହୋଇଛି। ସେ‌ପଟେ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିବା ଏସ୍‌ପି କେ. ବିଶାଲ ସିଂହ କହିଛନ୍ତି।

ସେହିଭଳି ଟ୍ରାଫିକ ବ୍ୟବସ୍ଥା ଓ ବେଳାଭୂମି ଭିଡ଼ ଉପରେ ବି ସ୍ଵତନ୍ତ୍ର ନଜର ରଖାଯାଇଥିବା ଏସ୍‌ପି କହିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପାଇଁ ନିୟୋଜିତ ଭାରିଯାନ ଚଳାଚଳ ୩୧ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

ସିଂହଦ୍ଵାରରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ଵତନ୍ତ୍ର ସେଡ୍‌ ହେବ। ମାର୍କେଟ ଛକରେ ଏକ ଅସ୍ଥାୟୀ ଜୋତାଷ୍ଟାଣ୍ଡ ମଧ୍ୟ କରାଯିବ। ନୀତିକାନ୍ତି ଜାଣିବା ପାଇଁ ଏଲ୍‌ଇଡି ଲଗାଯିବ। ଭକ୍ତ ତଥା ପର୍ଯ୍ୟଟକମାନେ ଜଗନ୍ନାଥବଲ୍ଲଭ, ଶରଧାବାଲି, ଏସ୍‌ସିଏସ କଲେଜ ଛକ, ବାରବାଟୀ ଜାଗା, ଲୋକନାଥ ରୋଡ୍‌ରେ ଗାଡ଼ି ପାର୍କିଂ କରିବେ। ଏହି ଜାଗାରେ ଗାଡ଼ି ରଖିବାକୁ ସ୍ଥାନ ନ ହେଲେ ତାଳବଣିଆକୁ ଅତିରିକ୍ତ ଗାଡ଼ିକୁ ପାର୍କିଂ ପାଇଁ ପଠାଯିବ।

ପ୍ରଶାସନର ଏହି ପାର୍କିଂ ଜାଗାରେ ପର୍ଯ୍ୟଟକମାନେ ମାଗଣାରେ ଗାଡ଼ି ରଖିପାରିବେ। ବାକି ପୌରସଂସ୍ଥାର ଯେଉଁ ପାର୍କିଂ ସ୍ଥାନ ‌ ରହିଛି, ସେଠାରେ ଦର ତାଲିକା ଲଗାଯିବ। କେଉଁ ଗାଡ଼ି ବାବଦକୁ କେତେ ଟଙ୍କା ଆଦାୟ ହେବ, ସେହି ଦର ତାଲିକା ପାର୍କିଂ ଜାଗାରେ ସ୍ପଷ୍ଟ ଦୃଶ୍ୟମାନ ହେଲା ଭଳି ଲଗାଯିବ। ଶ୍ରୀମନ୍ଦିର ଓ ଚତୁଃପାର୍ଶ୍ଵଃକୁ ପର୍ଯ୍ୟାପ୍ତ ଆଲୋକୀକରଣ କରାଯିବ। ବ୍ୟାପକ ଫୁଲସଜ୍ଜା କରାଯିବା ସହ ଆମ୍ବୁଲାନ୍ସର ବ୍ୟବସ୍ଥା ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସ୍‌ପି କେ ବିଶାଳ ସିଂହ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ଉପଜିଲ୍ଲାପାଳ ଭବତାରଣ ସାହୁ, ପୁରୀ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ଵାଇଁ, ଶ୍ରୀମନ୍ଦିର ପରିଚାଳନା କମିଟିର ୫ଜଣ ସେବାୟତ ପ୍ରତିନିଧିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Tags: #SriJagannathTemple #SriMandiraAdministration #SecurityArrangement #CrowdManagement #PuriAdministration  #Odisha

LEAVE A REPLY

Please enter your comment!
Please enter your name here