ଓଡ଼ିଶାଲାଇଭ୍ ବ୍ୟୁରୋ

ସମଗ୍ର ରାଜ୍ୟରେ ଏବେ ପ୍ରବଳ ଶୀତଲହରି ଜାରି ରହିଛି। ରାଜ୍ୟର ହାରାହାରି ତାପମାତ୍ରା ୩ଡିଗ୍ରୀ ତଳକୁ ଖସିଛି। ରାଜ୍ୟକୁ କ୍ରମାଗତ ଭାବେ ବହୁଥିବା ଶୁଷ୍କ ଓ ଥଣ୍ଡା ବାୟୁର ମାତ୍ରା ବୃଦ୍ଧି ପାଇଥିବାରୁ ଶୀତ ବଢିଛି। ଆହୁରି ଦୁଇଦିନ ଶୀତ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବାସହ ରାତିର ତାପମାତ୍ରା ସ୍ଵାଭାବିକଠାରୁ ୩ରୁ ୫ ଡିଗ୍ରୀ ଯାଏଁ ହ୍ରାସ ପାଇବ। ଏଥିପାଇଁ ୫ଟି ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି।

ରାଜ୍ୟରେ ଏବେ ଶୀତଲହରି ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲା ପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି। ରାତି ଓ ପାହାନ୍ତା ସମୟରେ ଶୀତକୁ ନ ବାହାରିବାକୁ ଏବଂ ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ରବିବାର ସକାଳେ ଶିମିଳିପାଳ, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ତୁଷାରପାତ ଯୋଗୁଁ ଭୂମି ଉପରେ ବରଫର ଛୋଟ ଆସ୍ତରଣ ପଡ଼ିଥିବାର ଦେଖାଦେଇଛି। ସେହିପରି ରବିବାର ରାତିରେ ରାଜ୍ୟର ୧୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିଲା। ସେମିଳିଗୁଡ଼ାରେ ୩.୭ ଡିଗ୍ରୀ ରାଜ୍ୟର ସର୍ବନିମ୍ନ ରେକର୍ଡ କରାଯାଇଛି।

ଓଡ଼ିଶାର ଅନ୍ୟ ସ୍ଥାନଗୁଡ଼ିକ ମଧ୍ୟରେ କିରେଇରେ ୪.୩ ଡିଗ୍ରୀ, ଫୁଲବାଣୀରେ ୪.୯ ଡିଗ୍ରୀ, ଜି.ଉଦୟଗିରିରେ ୫ ଡିଗ୍ରୀ, ରାଉରକେଲାରେ ୬.୪ ଡିଗ୍ରୀ, କୋରାପୁଟରେ ୬.୫ ଡିଗ୍ରୀ, ସୁନ୍ଦରଗଡ଼‌ରେ ୭ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଛି। ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା  ୧୨.୫ ଡିଗ୍ରୀକୁ ଖସି ଯାଇଥିବା ବେଳେ କଟକର ସର୍ବନିମ୍ନ ତାପମାତ୍ରା ୧୨.୪ ଡିଗ୍ରୀ ରେକର୍ଡ କରାଯାଇଛି।

Tags: #WeatherUpdate #Winterwave #Odisha #MetrologicalCenter #NightTemperature #meteorologicalcentre #Bhubaneswar

 

LEAVE A REPLY

Please enter your comment!
Please enter your name here