ଓଡ଼ିଶାଲାଇଭ୍ ବ୍ୟୁରୋ

ଲର୍ଣ୍ଣର ଲାଇସେନ୍ସ କିମ୍ବା ଡ୍ରାଇଭିଂ ଲାଇସେନ୍ସ ନବୀକରଣ ପାଇଁ ଆବେଦନ କରୁଥିବା ୪୦ ବର୍ଷ ବୟସରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ପାଇଁ ଆସିଛି ନୂଆ ନିୟମ। ଆସିଥିବା ନିୟମ ଅନୁଯାୟୀ ସେମାନଙ୍କୁ ଏବେ ଅନଲାଇନ୍ ଡାକ୍ତରୀ ପ୍ରମାଣପତ୍ର ଦେବାକୁ ପଡ଼ିବ। ଜାନୁଆରି ୨୬ ତାରିଖରୁ ଏହି ନିୟମ କାର୍ଯ୍ୟକାରୀ ହେବ। ଓଡ଼ିଶା ପରିବହନ ବିଭାଗ ପକ୍ଷରୁ ଏନେଇ ମଙ୍ଗଳବାର ସୂଚନା ଦିଆଯାଇଛି।
ନୂତନ ପ୍ରକ୍ରିୟା ପାଇଁ ରାଜ୍ୟ ପରିବହନ ବିଭାଗ ଏକ ନୂତନ ଅନ୍ଲାଇନ୍ ଡାକ୍ତର ପଞ୍ଜୀକରଣ ପୋର୍ଟାଲ୍ ପ୍ରସ୍ତୁତ କରିଛନ୍ତି। ଏଥିରେ ପ୍ରାୟ ୧୬୭ଜଣ ଏମ୍ବିବିଏସ୍ ଡାକ୍ତର ପଞ୍ଜୀକୃତ ହୋଇଛନ୍ତି। ସେମାନେ ଅନ୍ଲାଇନ୍ରେ ସାରଥୀ ପୋର୍ଟାଲ୍ ମାଧ୍ୟମରେ ଡିଏଲ୍ ଓ ଏଲ୍ଏଲ୍ ଆବେଦନକାରୀଙ୍କୁ ଡାକ୍ତରୀ ପ୍ରମାଣପତ୍ର ପ୍ରଦାନ କରିବେ।
କେନ୍ଦ୍ରୀୟ ମୋଟରଯାନ ଆଇନ ୧୯୮୯ ଅନୁସାରେ ୪୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଲାଇସେନ୍ସ ପାଇଁ ଆବେଦନ ବେଳେ ଡାକ୍ତରୀ ପ୍ରମାଣପତ୍ର ଦେବା ବାଧ୍ୟତାମୂଳକ ଅଟେ। ଏବେ ଆବେଦନକାରୀମାନେ ଏକ କାଗଜ ଫର୍ମାଟ୍ରେ ଏହି ପ୍ରମାଣ ପତ୍ର ଦେଉଛନ୍ତି। ଏହି ପ୍ରକ୍ରିୟାରେ ଡାକ୍ତରୀ ପ୍ରମାଣପତ୍ରର ସଠିକତା ରହୁନାହିଁ। ଅଧିକାଂଶ ସମୟରେ ନକଲି ପ୍ରମାଣପତ୍ର ଅପ୍ଲୋଡ୍ ହେଉଥିବା ଦେଖିବାକୁ ମିଳୁଛି।
ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବା ପ୍ରକ୍ରିୟାରେ ସଂସ୍କାର ଓ ସ୍ଵଚ୍ଛତା ଆଣିବା ପାଇଁ ପରିବହନ ବିଭାଗ ପ୍ରକୃତ ଡାକ୍ତରଙ୍କ ଦ୍ୱାରା ଉପଯୁକ୍ତ ଡାକ୍ତରୀ ପରୀକ୍ଷା କରିବା ପାଇଁ ଏଭଳି ବ୍ୟବସ୍ଥା କରିଛି।
Tags: #Drivinglicence #Learninglicence #Newrule #People #Above40yearsage #StateTransportAuthority #Odisha



















