ଓଡ଼ିଶାଲାଇଭ୍ ବ୍ୟୁରୋ
ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ୫ ଦିନ ପରେ ଶୁକ୍ରବାର ଦିନ ମୁହଁ ଖୋଲିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, “ନିରପେକ୍ଷ ଭାବେ ତଦନ୍ତ ଚାଲିଛି, ତଦନ୍ତ ଶେଷ ହେବା ପାଇଁ ଟିକେ ସମୟ ଲାଗିବ।”
ପୋଲିସ ଡିଜି ସୁନିଲ ବଂଶଲ କହିଛନ୍ତି, ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ଏଡିଜି ଅରୁଣ ବୋଥ୍ରାଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି। ସିବିଆଇରେ କାମ କରିବାରେ ତାଙ୍କର ଅଭିଜ୍ଞତା ରହିଛି। ସେ ଦେଶର ଜଣେ ଭଲ ତଦନ୍ତକାରୀ ଅଫିସର ହୋଇଥିବାରୁ ଏହି ହତ୍ୟାକାଣ୍ଡର ରହସ୍ୟ ଖୋଜି ବାହାର କରିବେ। ଏହା ସହିତ କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରୁଛନ୍ତି ଜଣେ ଅବସରପ୍ରାପ୍ତ ଜଜ୍। ବର୍ତ୍ତମାନ ସୁଦ୍ଧା ତଦନ୍ତରୁ କିଛି ତଥ୍ୟ ଆସିଛି ଏବଂ ଆଉ କିଛି ତଥ୍ୟ ଆସିବାକୁ ଟିକେ ସମୟ ଲାଗିବ। ପୂରା ତଥ୍ୟ ଜାଣିବାକୁ ଫରେନ୍ସିକ ଲ୍ୟାବ ସହ ଯୋଗାଯୋଗ କରିଛୁ ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ତଦନ୍ତରେ ସ୍ଵଚ୍ଛତା ରକ୍ଷା କରିବା ଲାଗି ମନ୍ତ୍ରୀଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗାନ୍ଧୀଛକ ଫାଣ୍ଡି ଏଏସଆଇ ଗୋପାଳ ଦାସଙ୍କୁ ଗିରଫ କରାଯିବା ପରେ ପରେ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ଏହା ସହିତ ଦୁଇ ଜଣ ଅଧିକାରୀଙ୍କର ମଧ୍ୟ ବଦଳି କରାଯାଇଛି। ମନ୍ତ୍ରୀଙ୍କ ସୁରକ୍ଷା ଦାୟତ୍ଵରେ ଥିବା ପିଏସଓଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ଏଭଳି ଘଟଣାର ଯେମିତି ପୁନରାବୃତ୍ତି ନହୁଏ ସେଥିପାଇଁ ପଦକ୍ଷେପ ନିଆଯିବ ବୋଲି ଜିଡି କହିଛନ୍ତି।
Tags: #DGPSunilKumarBansal #OdishaPolitics #NabaKishorDas #Death #Murder #GopalKrishnaDas #CrimeBranchInvestigation