ଓଡ଼ିଶାଲାଇଭ୍ ବ୍ୟୁରୋ
ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳକୃଷ୍ଣ ଦାସଙ୍କୁ ରିମାଣ୍ଡରେ ନେଇ କ୍ରାଇବ୍ରାଞ୍ଚ ଖୋଳତାଡ଼ କରିଥିବାବେଳେ ଶନିବାର ୪ ଦିନିଆ ରିମାଣ୍ଡର ଅବଧି ଶେଷ ହୋଇଛି। ରିମାଣ୍ଡ ସମୟ ମଧ୍ୟରେ ଅଭିଯୁକ୍ତ ଗୋପାଳ ଦାସ କ୍ରାଇମବ୍ରାଞ୍ଚକୁ ଅନେକ ତଥ୍ୟ ଦେଇଥିବା କୁହାଯାଉଛି। ତେବେ ମନ୍ତ୍ରୀଙ୍କୁ ହତ୍ୟା କରାଯିବା ପଛର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଗୋପାଳ ଦାସଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ମିଳିଛି।
ବର୍ତ୍ତମାନ ପର୍ଯ୍ୟନ୍ତ ପାଇଖାନାରୁ ଗୋପାଳଙ୍କ ହାତ ଲେଖା ଚିଠିର କିଛି ଟୁକୁଡ଼ା, ଗୋପାଳଙ୍କ ଡାଏରୀ ଜବତ କରାଯାଇଥିବା କୁହାଯାଉଛି। ରିମାଣ୍ଡ ଅବଧି ମଧ୍ୟରେ ଅନେକ ଗୁରୁତ୍ଵପୂର୍ଣ୍ଣ କଥା ରହିଯାଇଥିବାରୁ ପୁଣି ଥରେ ଗୋପାଳ ଦାସଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ।
ଶନିବାର ଦିନ ଅଭିଯୁକ୍ତ ଗୋପାଳଙ୍କ ବ୍ରହ୍ମପୁର ସ୍ଥିତ ବାସଭବନରେ କ୍ରାଇମବ୍ରାଞ୍ଚ ଟିମ୍ ଖୋଳତାଡ଼ କରିଥିବାବେଳେ ଗୋପାଳଙ୍କ ପତ୍ନୀ ଏବଂ ପୁତୁରାକୁ ପଚରାଉଚରା କରିଛି। ଏହା ପୂର୍ବରୁ ଗୋପାଳଙ୍କ ଭାଇ, ପତ୍ନୀ, ସାଙ୍ଗ ଏବଂ ସମ୍ପର୍କୀଙ୍କୁ ପଚରାଉଚରା କରିସାରିଛି କ୍ରାଇମବ୍ରାଞ୍ଚ।
ଏହାରି ମଧ୍ୟରେ ଆଜି ଆଉ ଏକ ନୂଆ କଥା ସାମ୍ନାକୁ ଆସିଛି। ବ୍ରଜରାଜନଗର ଗାନ୍ଧୀଛକ ପାଣ୍ଡରେ ରହିଥିବା କାରଟି କାହାର ବୋଲି ଖୋଳତାଡ଼ କରାଯାଇଥିଲା। ବହୁ ସମୟ ତନାଘନା ପରେ ଅଭିଯୁକ୍ତ ଗୋପାଳ ଦାସ ଏହି କାର ବ୍ୟବହାର କରୁଥିବା ଜଣାପଡ଼ିଛି।
ଗତ ଜନୁଆରି ୨୯ ତାରିଖରେ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରିଥିଲେ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡି ଏଏସଆଇ ଗୋପାଳକୃଷ୍ଣ ଦାସ। ମନ୍ତ୍ରୀ ନବ ଦାସଙ୍କର ମୃତ୍ୟୁ ହେବା ପରେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳକୁ ଗିରଫ କରାଯାଇଥିଲା। ଗୋପାଳଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବାବେଳେ ୪ ଦିନ ପାଇଁ ଅନୁମତି ମିଳିଥିଲା। ଆଜି ରିମାଣ୍ଡ ଅବଧି ଶେଷ ହୋଇଥିବାବେଳେ ପୁଣି ୪ ଦିନ ଗୋପାଳଙ୍କୁ ରିମାଣ୍ଡରେ ନେବାକୁ କ୍ରାଇବ୍ରାଞ୍ଚକୁ ଅନୁମତି ମିଳିଛି। ଏହି ସମୟ ମଧ୍ୟରେ ଗୋପାଳ ଦାସଙ୍କଠାରୁ କ୍ରାଇମବ୍ରାଞ୍ଚ ବାକି ରହିଯାଇଥିବା ତଥ୍ୟ ହାସଲ କରିବ ବୋଲି କୁହାଯାଉଛି।
Tags: #OdishaPolitics #NabaKishorDas #Death #Murder #GopalKrishnaDas #CrimeBranchInvestigation #Remand