ଓଡ଼ିଶାଲାଇଭ୍ ବ୍ୟୁରୋ

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ୨୦୨୩ରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟରର ଖେଳାଳିମାନେ ଅତି ଉନ୍ନତ ପ୍ରଦର୍ଶନ କରିଛନ୍ତି। ଏହି ଯୁବ କ୍ରୀଡ଼ା ପ୍ରତିଯୋଗିତାର ୫ମ ସଂସ୍କରଣରେ ଓଡ଼ିଶାର ଆଥଲେଟମାନେ ୪ଟି ସ୍ଵର୍ଣ୍ଣ ସହ ଜିତିଛନ୍ତି ମୋଟ ୭ଟି ପଦକ। ଜାତୀୟ ସ୍ତରର ପ୍ରତିଯୋଗିତାରେ ଖେଳାଳିମାନଙ୍କ ଉତ୍ତମ ପ୍ରଦର୍ଶନ ରାଜ୍ୟ ପାଇଁ ଆଣିଛି ଆଉ ଏକ ଗୌରବ।

ମଧ୍ୟପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ୨୦୨୩ରେ ଓଡ଼ିଶାର ଖେଳାଳିମାନେ ଚାରିଟି ସ୍ଵର୍ଣ୍ଣ, ଗୋଟିଏ ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ଜିତିଛନ୍ତି। ଭିନ୍ନ ଭିନ୍ନ ଇଭେଣ୍ଟରୁ ଖେଳାଳିମା‌ନେ ୭ଟି ପଦକ ଜିତି ଆଥଲେଟମାନେ ନିଜ ଦକ୍ଷତାକୁ ପ୍ରମାଣିତ କରିଛନ୍ତି।

୨୦୨୩ର ଏହି ପ୍ରତିଯୋଗିତାରେ ଆଥଲେଟମାନେ ପୂର୍ବ ବର୍ଷର ପ୍ରଦର୍ଶନକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ୨୦୨୨ରେ ଓଡ଼ିଶାର ଖେଳାଳିମାନେ ଗୋଟିଏ ରୌପ୍ୟ ପଦକ ସହ ମାତ୍ର ୩ ପଦକ ଜିତିଥିଲେ।

“ଖେଳାଳିଙ୍କ ପ୍ରଦର୍ଶନରେ ଆମେ ଅତ୍ୟନ୍ତ ଆନନ୍ଦିତ। ଏହା ଓଡ଼ିଶା ଓ ଭାରତର ଅନ୍ୟ କ୍ରୀଡ଼ାବିତଙ୍କୁ ନିଶ୍ଚିତ ଭାବରେ ପ୍ରେରଣା ଦେବ। ଭବିଷ୍ୟତରେ କ୍ରୀଡ଼ା କ୍ଷେତ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ଆମେ ରିଲାଏନ୍‌ସ ଫାଉଣ୍ଡେସନ ସହିତ ସହଭାଗିତା କରିଥିବାରୁ ଅତ୍ୟନ୍ତ ଆନନ୍ଦିତ। ଫାଉଣ୍ଡେସନ ତରଫରୁ ଯୁବ କ୍ରୀଡ଼ାବିତମାନଙ୍କୁ ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମି, ଉନ୍ନତ ତାଲିମ ଓ ସହାୟତା ପ୍ରଦାନ କରାଯାଉଛି। ଫଳରେ ସେମାନେ କ୍ରୀଡ଼ାକ୍ଷେତ୍ରରେ ଉତ୍କର୍ଷ ହାସଲ କରିପାରୁଛନ୍ତି”, କହିଛନ୍ତି ଓଡ଼ିଶା କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ଆର୍ ଭିନିଲକ୍ରୀଷ୍ଣା।

“ଆମ ଖେଳାଳିମାନେ ଚଳିତବର୍ଷ ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଛନ୍ତି। ସେମାନେ ୪ଟି ସ୍ୱର୍ଣ୍ଣ ପଦକ ସହ ମୋଟ ୭ଟି ପଦକ ହାସଲ କରିଛନ୍ତି। ଏହି ଉଲ୍ଲେଖନୀୟ ସଫଳତା ଖେଳାଳିମାନଙ୍କ ପ୍ରତିଭା, ଓଡ଼ିଶା ସରକାର ଓ ରିଲାଏନ୍ସ ଫାଉଣ୍ଡେସନର ଅତୁଳନୀୟ ପ୍ରଚେଷ୍ଟା କାରଣରୁ ସମ୍ଭବ ହୋଇପାରିଛି। ହାଇ ପରଫରମାନ୍ସ ସେଣ୍ଟରରେ ଉନ୍ନତ ପ୍ରଶିକ୍ଷଣ ଆଥଲେଟମାନଙ୍କ କ୍ରୀଡ଼ାର ମାନକୁ ବୃଦ୍ଧି କରିଛି। ଆଗକୁ ସେମାନେ ଆହୁରି ଭଲ ପ୍ରଦର୍ଶନ କରିବେ”, କହିଛନ୍ତି ହାଇ ପରଫରମାନ୍ସ ସେଣ୍ଟରର କୋଚ୍ ମାର୍ଟିନ ୱେନ୍ସ।

୨୦୨୩ ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ସୁନ୍ଦରଗଡ଼ ଜିଲ୍ଲାର ସବିତା ଟପ୍ପୋ ବାଳିକା ୧୦୦ ମିଟର ହର୍ଡଲ୍ସ ଓ ଲଙ୍ଗ ଜମ୍ପରେ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହାଛଡ଼ା ସେ ୪x୧୦୦ ମିଟର ରିଲେ ରେସରେ କାଂସ୍ୟ ପଦକ ହାସଲ କରି ବ୍ୟକ୍ତିଗତ ଭାବେ ୩ଟି ପଦକ ଅର୍ଜନ କରିଛନ୍ତି।

ଏହି ବର୍ଷର ଗେମ୍ସରେ ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ଦୁଣ୍ଡାପତି ମୂର୍ତ୍ତି ଜୟରାମ। ସେ ୧୦.୫୩ ସେକେଣ୍ଡରେ ୧୦୦ ମିଟର ଦୌଡ଼ ଜିତି ଏକ ନୂତନ ଖେଲୋ ଇଣ୍ଡିଆ ରେକର୍ଡ଼ ସ୍ଥାପନ କରିଛନ୍ତି ଏବଂ ସ୍ୱର୍ଣ୍ଣ ପଦକ ବିଜେତା ମଧ୍ୟ ହୋଇଛନ୍ତି।

ଜୟରାମଙ୍କ ସହିତ ରାଜେନ୍ଦ୍ର ସିଧୁ, ମହମ୍ମଦ ରେୟାନ ବାସା ଓ ନିତିଶ କୁଲ୍ଲୁ ପୁଅମାନଙ୍କ ୪x୧୦୦ ମିଟର ରିଲେ ରେସରେ ଓଡ଼ିଶା ପାଇଁ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି। ସେହିପରି ଟ୍ରିପଲ୍ ଜମ୍ପରେ ସ୍ଵାଗତ ବେ‌ହେରା ରୌପ୍ୟ ପଦକ ଜିତିଛନ୍ତି।

Tags: #KheloIndiaYouthGames #OdishaRelianceFoundationAthleticsHPC #Athletes #Odisha

LEAVE A REPLY

Please enter your comment!
Please enter your name here