ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ବାଲଡ଼ା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମରୁ ପ୍ରାୟ ୩୨ ଲକ୍ଷ ଟଙ୍କା ଲୁଟି ନେଇ ଏଟିଏମକୁ ଜାଳି ଦେଇଛନ୍ତି ଦୁର୍ବୃତ୍ତ। ଏହି ଘଟଣା ଘଟିଛି ଶୁକ୍ରବାର ବିଳମ୍ବିତ ରାତିରେ।
ଶୁକ୍ରବାର ରାତି ୩ଟା ୩୦ରୁ ୩ଟା ୪୫ ମିନିଟ। ବାଲଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଥିବା ଏଟିଏମ ଲୁଟର ଦୃଶ୍ୟ କଏଦ କରିଥିଲା ସିସିଟିଭି କ୍ୟାମେରା। ବାଲଡ଼ା ଏସବିଆଇ ଏଟିଏମ ସାମ୍ନାରେ ଦୁଇଟି ନମ୍ବର ବିହୀନ କାର ଅଟକି ଥିଲା। କାରରୁ ବନ୍ଧୁକ ଏବଂ କଟର ମେସିନ ସାଙ୍ଗରେ ଧରି ୫ ଜଣ ଦୁର୍ବୃତ୍ତ ଏଟିଏମ ଭିତରକୁ ପଶିଥିଲେ।
ଏଟିମଟିକୁ କଟର ମେସିନ ସାହାୟତାରେ କାଟି ସେଥିରେ ଥିବା ଟଙ୍କା ତକ ଲୁଟି ନେଇଥିଲେ ଦୁର୍ବୃତ୍ତ। ଏହା ପରେ ଏଟିଏମରେ ନିଆଁ ଲଗାଇ ଚମ୍ପଟ ମାରିଥିଲେ।
ଶନିବାର ସକାଳେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ଏବଂ ପାଡ଼ୁଆ ଥାନା ଅଧିକାରୀ ସବ୍ୟସାଚୀ ଶତପଥି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସିସିଟିଭି ଫୁଟେଜ ଆଧାରରେ ଖୁବ ଶୀଘ୍ର ଦୁର୍ବୃତ୍ତମାନଙ୍କୁ କାବୁ କରାଯିବ ବୋଲି କହିଛନ୍ତି ଏସଡିପିଓ ସଞ୍ଜୟ କୁମାର ମହାପାତ୍ର। ପୋଲିସ ପକ୍ଷରୁ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ ହୋଇଥିବାବେଳେ ସୀମାନ୍ତ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି।
Tags: #ATMLoot #ATMRobbery #Koraput #BaladaStateBankofIndiaATM


















