ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଏବେ ଅନେକ ରାଜ୍ୟର ଜଙ୍ଗଲରେ ନିଆଁ ଲାଗିବାର ଦେଖିବାକୁ ମିଳୁଛି। ଦେଶର ପ୍ରାୟ ୬୫୦ଟି ସ୍ଥାନରେ ବଡ଼ଧରଣର ବନାଗ୍ନି ହୋଇଛି। ସେଥିମଧ୍ୟରୁ କେବଳ ଓଡ଼ିଶାରେ ୨୦୦ ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଛି। ଫଳରେ ଓଡ଼ିଶା ଏବେ ବନାଗ୍ନି ମାମଲାରେ ଦେଶରେ ହଟସ୍ପଟ୍ ପାଲଟିଛି। ଏହା ରାଜ୍ୟ ବନ ବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି।
ଓଡ଼ିଶାର ଶିମିଳିପାଳଠାରୁ ଆରମ୍ଭ କରି ମାଲକାନିଗିରିର ଚିତ୍ରକୋଣ୍ଡା ବନଖଣ୍ଡ ପର୍ଯ୍ୟନ୍ତ ଏହି ଜଙ୍ଗଲ ନିଆଁ ବ୍ୟାପିଛି। କେଉଁଠି ଦୁଇ ଦିନ ତ ଆଉ କେଉଁଠି ୪ ଦିନରୁ ଅଧିକ ହେଲା ନିଆଁ ଲାଗିଛି। ଓଡ଼ିଶାର କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାର ଅଧିକ ସ୍ଥାନରେ ବନାଗ୍ନି ହୋଇଥିବାର ଦେଖିବାକୁ ମିଳିଛି। ନିଆଁ ଲଭାଇବା ପାଇଁ ବନ ବିଭାଗ କର୍ମଚାରୀଙ୍କ ପ୍ରୟାସ ଫଳପ୍ରଦ ହେଉନାହିଁ। ଏହି ଜଙ୍ଗଲ ନିଆଁ ଗୋଟେ ପରେ ଗୋଟେ ରେଞ୍ଜକୁ ମାଡ଼ି ଚାଲିଛି।
ସୋମବାର ନାସା ସାଟେଲାଇଟ ଚିତ୍ରରେ ଅଧା ଭାରତର ଜଙ୍ଗଲ ଜଳୁଥିବାର ଚିତ୍ର ସାମ୍ନାକୁ ଆସିଛି। ଯେଉଁଥିରେ ଓଡ଼ିଶାରେ ବନାଗ୍ନିର ସ୍ଥିତି ସାଂଘାତିକ ଦର୍ଶାଯାଇଛି।
“ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗୁଥିବା ନିଆଁକୁ ଆୟତ୍ତ କରାଯାଉଛି। ଆମେ ଅନେକ ମାତ୍ରାରେ ନିଆଁକୁ ଲିଭାଇବାରେ ସକ୍ଷମ ହୋଇଛୁ। ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବାରୁ ଆଗକୁ ବର୍ଷା ନହେଲେ ସାଂଘାତିକ ସ୍ଥିତି ଉପୁଜିବ। ଏବେ ଜଙ୍ଗଲ ନିଆଁକୁ ପ୍ରତିରୋଧ କରିବା ପାଇଁ ୧୬ ହଜାର ବନ ସୁରକ୍ଷା ସମିତି ଓ ୨୮୦ଟି ସ୍ୱତନ୍ତ୍ର ଅଗ୍ନି ନିରୋଧକ ଟିମ୍ ନିୟୋଜିତ ହୋଇଛନ୍ତି। ଜଙ୍ଗଲ ନିଆଁ ପ୍ରତି ଲୋକଙ୍କୁ ସଚେତନ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି”, କହିଛନ୍ତି ଓଡ଼ିଶାର ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ଵାଳ।
ରାଜ୍ୟରେ ଏବେ ଶୁଷ୍କ ପାଣିପାଗ, ଖରାର ପ୍ରଭାବ ତଥା ଅନେକ ଦିନ ଧରି ବର୍ଷା ନହେବାରୁ ଜଙ୍ଗଲରେ ନିଆଁ ଲାଗିବା ଘଟଣା ବଢ଼ିବାରେ ଲାଗିଛି। କେତେକ ସ୍ଥାନରେ ମନୁଷ୍ୟକୃତ କାରଣରୁ ଜଙ୍ଗଲରେ ନିଆଁ ଲାଗୁଥିବାର ଅଭିଯୋଗ ହୋଇଛି।
ରବିବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ୧୫୮ଟି ସ୍ଥାନରେ ବଡ଼ଧରଣ ବନାଗ୍ନି ହୋଇଥିବାର ସୂଚନା ମିଳିଥିଲା। ମାତ୍ର ୨୪ ଘଣ୍ଟା ମଧ୍ୟରେ ଆଉ ୪୨ଟି ସ୍ଥାନରେ ନିଆଁ ଲାଗିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଗତ ୭ ଦିନରେ ଭାରତରେ ସର୍ବାଧିକ ଜଙ୍ଗଲରେ ନିଆଁ ଲାଗିବା ଓଡ଼ିଶାରେ ହିଁ ଦେଖାଯାଇଛି। ଦେଶରେ ଓଡ଼ିଶା ପଛକୁ କର୍ଣ୍ଣାଟକରେ ସର୍ବାଧିକ ବନାଗ୍ନି ହୋଇଛି।
Tags: #ForestFire #ForestRange #Summer #OdishaForestDept
















