ଓଡ଼ିଶାଲାଇଭ୍ ବ୍ୟୁରୋ
ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା ପାଇଁ ଓଡ଼ିଶାକୁ ମିଳିଛି ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର। ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାକୁ ସମ୍ମାନିତ କରାଯାଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ନିକୁଞ୍ଜ ବିହାରୀଙ୍କ ଧଳଙ୍କ ଉପସ୍ଥିତିରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ଏହି ଅବସରରେ ମୋଦୀ କହିଥିଲେ, ‘‘ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ବିଶେଷକରି ବାତ୍ୟା ସମୟରେ ଓଡ଼ିଶାର ପଦକ୍ଷେପ ପ୍ରଶଂସନୀୟ। ଏହି ଟିମ୍ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ଲୋକଙ୍କ ଜୀବନ ବଞ୍ଚାଇ ପାରୁଛନ୍ତି।’’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ସମୟରେ ବାତ୍ୟା ଆଶ୍ରୟସ୍ଥଳ, ବନ୍ୟା ଓ ବାତ୍ୟା ପୂର୍ବରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ, ଛାତ୍ରଛାତ୍ରୀଙ୍କ ବିପର୍ଯ୍ୟୟ ମୁକାବିଲା ପ୍ରଶିକ୍ଷଣ ନେଇ ଓଡ଼ିଶାର ଫଟୋ ମଧ୍ୟ ନିଜର ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି।
ପୁରସ୍କାର ପାଇବା ଓଡ଼ିଶାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଗଣମାଧ୍ୟମକୁ କହିଥିଲେ, ‘‘ଏହି ପୁରସ୍କାର ଓଡ଼ିଶାକୁ ଉତ୍ସାହିତ କରିଛି। ଏହା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆଗକୁ ଆହୁରି ପ୍ରେରଣା ଦେବ।’’