ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜରାସ୍ତାରେ ଓଡ଼ିଶାର ହଜାର ହଜାର ଡ୍ରାଇଭର। ଷ୍ଟିୟରିଂ ଛାଡ଼ି ଗତ ତିନି ଦିନ ହେଲା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଚାଲିଛି। ଫଳରେ ବଜାର ଉପରେ ଏହାର ବଡ଼ ପ୍ରଭାବ ପଡ଼ିଛି। ସାମାଜିକ ସୁରକ୍ଷା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଡ୍ରାଇଭରଙ୍କ ଏ ଆନ୍ଦୋଳନରେ ଏବେ ରାଜନୀତି ପଶିଛି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ହିଂସା ପଶିଛି ଓ ରକ୍ତପାତ ବି ହୋଇଛି। କିଛି ସମର୍ଥନ ମିଳିଛି, କିନ୍ତୁ ସାଧାରଣ ସେବା, ପରିବହନ ବାଧାପ୍ରାପ୍ତ ହୋଇଥିବାରୁ ବିଭିନ୍ନ ମହଲରୁ ବିରୋଧ ବି ହୋଇଛି। କ୍ଷୀର, ତେଲ, ପରିବା, ମାଛ, ଚିକେନ ସବୁ ପରିବହନ ଠପ୍ ହୋଇଯାଇଛି।
ବର୍ଷକ ତଳେ ବି ହଠାତ ରାଜଧାନୀରେ ଶହ ଶହ ଡ୍ରାଇଭର ପଶି ପୂରା ଅଖଚକ ବନ୍ଦ କରିଦେଇଥିଲେ। ଏବେ ପୁଣି ମାର୍ଚ୍ଚ ୧୫ରୁ ଆନ୍ଦୋଳନ ଆରମ୍ଭ କରି ସରକାରଙ୍କୁ ଚିନ୍ତାରେ ପକାଇଦେଇଛନ୍ତି।

କଣ ପାଇଁ ଏ ଷ୍ଟିୟରିଂ ଛାଡ଼?

କିଛି ମାସ ତଳେ ହଠାତ ରାଜଧାନୀକୁ ପଶିଆସିଥିଲେ ହଜାର ହଜାର ଡ୍ରାଇଭର। ଏଥିରେ ସାଧାରଣ ଜୀବନ ବ୍ୟାହତ ହୋଇଯାଇଥିଲା। ଲୋକେ ସ୍କୁଲ ଯାଇଥିବା ପିଲା ଘରକୁ ଫେରିବାକୁ ଘଣ୍ଟା ଘଣ୍ଟା ଲାଗିଯାଇଥିଲା। ଲୋକେ ଅଫିସରେ ପହଞ୍ଚିପାରି ନ ଥିଲେ। ରାଜଧାନୀର ରାଜରାସ୍ତା ଡ୍ରାଇଭରମୟ ହୋଇଯାଇଥିଲା। ହଠାତ୍ ପୁଣି ଗତ ୧୫ ତାରିଖରୁ ରାଜ୍ୟର ବିଭିନ୍ନ ବ୍ଲକ ଓ ସହରକୁ ଯୋଗାଯୋଗ କରୁଥିବା ରାସ୍ତା ଅବରୋଧ କରି ବସିଛନ୍ତି ଡ୍ରାଇଭର।

୧୦ ଦଫା ଦାବିରେ ଆନ୍ଦୋଳନ ଚଳାଇଛନ୍ତି ଡ୍ରାଇଭର। ସାମାଜିକ ସୁରକ୍ଷାଠାରୁ ଅର୍ଥନୈତିକ ସୁରକ୍ଷା ବି ଦାବି କରିଛନ୍ତି ଡ୍ରାଇଭରମାନେ। ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସରକାର ସ୍ଵତନ୍ତ୍ର ଆଇନ ଆଣନ୍ତୁ। ସ୍ଵତନ୍ତ୍ର ଡ୍ରାଇଭର କମିଶନ ଗଠନ କରନ୍ତୁ। ଡ୍ରାଇଭିଂ ଲାଇସେନ୍ସ ଫିକୁ ହ୍ରାସ କରାଯାଉ। ସେମାନଙ୍କୁ ଦ୍ଵିତୀୟ ସୈନିକର ମାନ୍ୟତା ମିଳୁ। ଜାତୀୟ ରାଜପଥର ପ୍ରତ୍ୟକ ଶହେ କିଲୋମିଟରେ ଡ୍ରାଇଭରଙ୍କ ପାଇଁ ବିଶ୍ରାମସ୍ଥଳୀ ତିଆରି ହେଉଠି। ଡ୍ରାଇଭରଙ୍କୁ ୫ ଲକ୍ଷ ଟଙ୍କାର ସ୍ଵାସ୍ଥ୍ୟ ବୀମା ପ୍ରଦାନ କରାଯାଉ। ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରଙ୍କୁ ୨୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ସହ ୧୦ ଲକ୍ଷ ଟଙ୍କାର ବୀମା ଦିଆଯାଉ। ୫୫ ବର୍ଷ ବୟସ ହେଲେ ଡ୍ରାଇଭରଙ୍କୁ ପେନ୍‌ସନ ପ୍ରଦାନ କରାଯାଉ। ନିର୍ଦ୍ଦିଷ୍ଟ ଦରମା ସ୍ଥିର ହେଉ, ପିଲାଙ୍କ ପାଇଁ ମାଗଣା ଶିକ୍ଷା ଓ ଡ୍ରାଇଭରମାନଙ୍କୁ ଆବାସ ଯୋଜନାରେ ଘର ମିଳୁ ବୋଲି ଡ୍ରାଇଭରଙ୍କ ସଂଘ ଦାବି କରିଛି।

ଡ୍ରାଇଭର ସଂଘରେ ଫାଟ

ରାଜ୍ୟରେ ବିଭିନ୍ନ ଗାଡ଼ି ପାଇଁ ବିଭିନ୍ନ ସଂଘ ରହିଛି। ଗୋଟେ ପଟେ ମାଲିକ ସଂଘ ଅନ୍ୟ ପଟେ ଡ୍ରାଇଭର ସଂଘ। ଟ୍ରକ୍, ବସ ଡ୍ରାଇଭର ଆସୋସିଏସନ ବି ଅଛି। ଅଟୋ ଚାଳକ, ଆମ୍ବୁଲାନ୍ସ ଚାଳକ ଏମିତି ଅନେକ ସଂଘ ରହିଛି। ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ସମସ୍ତେ ସମର୍ଥନ କରି ନାହାନ୍ତି। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ, ରାଜ୍ୟ ଟ୍ରକ୍‌ ମାଲିକ ସଂଘ ଏହାକୁ ସମର୍ଥନ କରି ନାହାନ୍ତି। ଅନ୍‌ ଲାଇନ୍ ଅଟୋଚାଳ ସଂଘ ମଧ୍ୟ ଏ ଆନ୍ଦୋଳନରୁ ଓହରି ଯାଇଛି। ରାଜ୍ୟ ଟ୍ରକ୍ ମାଲିକ ସଂଘର କହିବା କଥା, ଡ୍ରାଇଭର ହେଲପର୍‌ମାନଙ୍କର ବୀମା କରାଯାଉଛି। ଯିଏ ପରିବହନ ସଂସ୍ଥା କରିଛି ତାର ଇପିଏଫ୍ ଓ ବୀମାର ବ୍ୟବସ୍ଥା ରହିଛି। ତେବେ ପରୀକ୍ଷା ଋତୁ ଚାଲିଥିବା ବେଳେ ଡ୍ରାଇଭର ମହାସଂଘର ଏ ଆନ୍ଦୋଳନକୁ ବିଭିନ୍ନ ବଡ଼ ସଂଘ ସମର୍ଥନ କରି ନାହାନ୍ତି।

ରାସ୍ତାରେ ଅଟକିଛି ଶହ ଶହ ଟ୍ରକ

ବିଭିନ୍ନ ସଂଘର ସମର୍ଥନ ନ ଥିଲେ ମଧ୍ୟ ଡ୍ରାଇଭରମାନେ ଆନ୍ଦୋଳନରେ ବସିଛନ୍ତି। ଅନ୍ୟ ରାଜ୍ୟରୁ ବିଭିନ୍ନ ଅତ୍ୟାବଶକ ସାମଗ୍ରୀ ଧରି ଆସିଥିବା ଟ୍ରକ୍ ଓ ଅନ୍ୟାନ୍ୟ ଗାଡ଼ିକୁ ଅଟକାଇଛନ୍ତି। ତେଣୁ ବିଭିନ୍ନ ସ୍ଥାନରେ ଶହଶହ ଟ୍ରକ୍ ଠିଆ ହୋଇଛି। ସହର ଭିତରକୁ ସାମଗ୍ରୀ ଆସିବାରେ ସମସ୍ୟା ହେଉଥିବା ବେଳେ ଅନ୍ୟପଟେ ଧୀରେଧୀରେ ବଜାରରୁ ବି ଏ ସବୁ ସରିବାକୁ ଲାଗିଲାଣି, ଯାହାର ସାଂଘାତିକ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିଛି।

ପେଟ୍ରୋଲ ଟାଙ୍କିରେ ତାଲା

ବହୁ ଟାଙ୍କିରେ ପେଟ୍ରୋଲ ନାହିଁ। ଯେଉଁ କେତେକ ଟାଙ୍କିରେ ଅଛି ସେଠାରେ ଲମ୍ବା ଧାଡ଼ି। ତେଣୁ ଲୋକଙ୍କ ଭିତରେ ଭାଳେଣୀ ପଡ଼ିଗଲାଣି। ଯଦି ତେଲ ନ ଆସିବ ତେବେ କେମିତି ଚାଲିବ ଜୀବନଯାତ୍ରା; ଏ ପ୍ରଶ୍ନ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଆନ୍ଦୋଳନ ପ୍ରତ୍ୟାହାର ହେବାରେ ଯେତେ ଡେରି ହେବ, ଅସୁବିଧା ସେତେ ଅଧିକ ହେବ। ଖାଲି ତେଲ ନୁହେଁ, ବଜାରରୁ ପରିବା, ଆଳୁ ପିଆଜ, ଅଣ୍ଡା ମାଛ ବି ଧୀରେଧୀରେ ସରିବାକୁ ଲାଗୁଛି। ସରିବାକୁ ଆଉ କିଛି ଦିନ ଲାଗିବ, କିନ୍ତୁ ଏହାର ଫାଇଦା ନେଇ କିଛି ଅସାଧୁ ଦୋକାନୀ ଅଧିକ ପଇସା ନେଉଛନ୍ତି।

ଆନ୍ଦୋଳନରେ ରାଜନୀତି

ପ୍ରଥମରୁ ଅଣରାଜନୈତିକ କୁହାଯାଉଥିବା ଡ୍ରାଇଭରଙ୍କ ଏ ଆନ୍ଦୋଳନରେ ରାଜନୀତି ପଶିଥିବା ଅଭିଯୋଗ ହେଲାଣି। କଂଗ୍ରେସ ଓ ବିଜେପି ନେତାମାନେ ଯାଇ ଡ୍ରାଇଭରଙ୍କ ଆନ୍ଦୋଳନସ୍ଥଳରେ ପହଞ୍ଚିଛନ୍ତି। ସେମାନଙ୍କ ଦାବି ଯଥାର୍ଥ ବୋଲି କହିବା ସହ ଏହାର ବିଚାର କରିବା ପାଇଁ ସରକାରଙ୍କୁ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ପ୍ରସଂଗରେ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବା ପାଇଁ ଟୁଇଟରରେ ଦାବି କରିଛନ୍ତି। ସେ କହିଛନ୍ତି ଡ୍ରାଇଭରମାନଙ୍କ ଦାବି ଯଥାର୍ଥ ତେଣୁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହାର ସମାଧାନର ରାସ୍ତା ବାହାର କରାଯାଉ।
ଏହାର ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର। ସେ ପାଲଟା ପ୍ରଶ୍ନ କରିଛନ୍ତି ଯେ ବିଜେପି ଶାସିତ କେଉଁ ରାଜ୍ୟରେ ଡ୍ରାଇଭରମାନଙ୍କ ପାଇଁ ସ୍ଵତନ୍ତ୍ର ନୀତି ପ୍ରଣୟନ ହୋଇଛି। ଆନ୍ଦୋଳନକୁ ପ୍ରୋତ୍ସାହନ ଦେଇ ବିଜେପି ରାଜନୀତି କରୁଛି ବୋଲି ବିଜେଡି କହିଛି। କେନ୍ଦ୍ର ସରକାର ଡ୍ରାଇଭରଙ୍କ ପାଇଁ କିଛି କରନ୍ତୁ ବୋଲି ବିଜେଡି ଆହ୍ଵାନ ଦେଇଛି। ଏ ପ୍ରସଂଗକୁ ନେଇ ବିଧାନସଭାରେ ଆଲୋଚନା ହୋଇଛି।

ଆନ୍ଦୋଳନରେ ହିଂସା

ଗଣତନ୍ତ୍ରରେ ଦାବି ରଖିବା ଅଧିକାର ସମସ୍ତଙ୍କର ରହିଛି। କିନ୍ତୁ ଆନ୍ଦୋଳନରେ ହିଂସା ଆଉ ରକ୍ତପାତ ଆଦୌ ଗ୍ରହଣୀୟ ନୁହେଁ। ଗୋଟିଏ ପଟେ ସରକାର ଆନ୍ଦୋଳନ ବନ୍ଦ କରି ୩ ମାସ ଅପେକ୍ଷା କରିବାକୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଡ୍ରାଇଭର ମହାସଂଘ ଏହାକୁ ଶୁଣିନାହିଁ। ବିଭିନ୍ନ ସ୍ଥାନରେ ସାଧାରଣ ଲୋକ, ଆନ୍ଦୋଳନରେ ସାମିଲ ନ ଥିବା ଡ୍ରାଇଭରମାନଙ୍କ ସହ ଆନ୍ଦୋଳନକାରୀଙ୍କ ମଧ୍ୟରେ ମତଭେଦରୁ ଉତ୍ତେଜନା ଓ ହାତାହାତି ହେବାର ଘଟଣା ଦେଖିବାକୁ ମିଳିଛି। ବ୍ରହ୍ମପୁରରେ ଡ୍ରାଇଭର-ପୁଲିସ ଗଣ୍ଡଗୋଳରେ ଉଭୟ ପକ୍ଷରୁ ଆହତ ହୋଇଛନ୍ତି।

ସରକାରଙ୍କ ପ୍ରତିଶ୍ରୁତି ପରେ ଡ୍ରାଇଭରଙ୍କ ଆନ୍ଦୋଳନ ସ୍ଥଗିତ

ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓଡ଼ିଶା ଡ୍ରାଇଭର ମହାସଂଘର ଏକ ପ୍ରତିନିଧି ଦଳ ସହ ଗୁରୁବାର ବୈଠକ କରିଥିଲେ। ସରକାର ୩ ମାସ ମଧ୍ୟରେ ଡ୍ରାଇଭରଙ୍କ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ଡ୍ରାଇଭରମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିଥିଲେ। ଶେଷରେ ଶୁକ୍ରବାର ଓଡ଼ିଶା ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ସ୍ଥଗିତ ରଖିବାର ଘୋଷଣା କରିଛି। ୩ ମାସ ଯାଏଁ ଏହି ଆନ୍ଦୋଳନକୁ ବନ୍ଦ କରାଯାଇଥିବା ସଂଘର ସଭାପତି ପ୍ରଶାନ୍ତ ମେନ୍ଦୁଲି କହିଛନ୍ତି।

Tags: #DriverStrike #OdishaDriverMahasangha #Protest #CommercialVehicles #Market #Odisha

Comment