ଓଡ଼ିଶାଲାଇଭ୍ ବ୍ୟୁରୋ

  • ୨୦୨୨ରେ ଓଡ଼ିଶାରେ ମୋଟ ୧ ଲକ୍ଷ ୭୮ ହଜାର ୧୯୦‌ଟି ଅପରାଧିକ ମାମଲା ରୁଜୁ
  • ପୂର୍ବବର୍ଷ ତୁଳନାରେ ରାଜ୍ୟରେ ଅପରାଧ ହାରରେ ୧୪.୬୫ ପ୍ରତିଶତ ବୃଦ୍ଧି
  • ୨୦୨୨ରେ ଓଡ଼ିଶାରେ ମାଓବାଦୀ କାର୍ଯ୍ୟକଳାପ ଜନିତ ସ୍ଥିତି ନିୟନ୍ତ୍ରଣାଧୀନ

ଓଡ଼ିଶା ଗୃହ ବିଭାଗ ପକ୍ଷରୁ ବର୍ଷ ୨୦୨୨ ପାଇଁ ଶ୍ୱେତପତ୍ର ପ୍ରକାଶ ପାଇଛି। ସୋମବାର ରାଜ୍ୟ ସରକାର ବିଧାନସଭାରେ ଏହି ଶ୍ୱେତପତ୍ର ଉପସ୍ଥାପନ କରିଛନ୍ତି। ଏଥିରେ ୨୦୨୨ ମସିହାରେ ଓଡ଼ିଶାରେ ସଂଗଠିତ ଅପରାଧ ଓ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ତଥ୍ୟ ରଖିଛନ୍ତି ସରକାର।

ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଏହି ଶ୍ଵେତପତ୍ରରେ ୨୦୨୨ରେ ପୂର୍ବବର୍ଷ ତୁଳନାରେ ରାଜ୍ୟରେ ଅପରାଧ ହାର ପ୍ରାୟ ୧୪.୬୫ ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଇଛି। ୨୦୨୨ ମସିହାରେ ଓଡ଼ିଶାରେ ୧ଲକ୍ଷ ୭୮ହଜାର ୧୯୦‌ଟି ଅପରାଧିକ ମାମଲା ପଞ୍ଜିକୃତ ହୋଇଛି। ୨୦୨୧ ମସିହାରେ ତୁଳନାରେ ଏଥିରେ ୨୨,୭୭୦ଟି ମାମଲା ବୃଦ୍ଧି ପାଇଛି। ୨୦୨୧ ମସିହାରେ ରାଜ୍ୟରେ ମୋଟ ଅପରାଧିକ ମାମଲା ସଂଖ୍ୟା ୧ଲକ୍ଷ ୫୫ ହଜାର ୪୨୦ ଥିଲା।

୨୦୨୧ ତୁଳନାରେ ୨୦୨୨ ମସିହାରେ ହତ୍ୟା, ଦୁଷ୍କର୍ମ ମାମଲା କମିଥିଲାବେଳେ ଚୋରି, ଡକାୟତି ମାମଲା ବଢ଼ିଛି। ୨୦୨୨ ମସିହାରେ ରୁଜୁ ହୋଇଥିବା ମୋଟ ୧.୭୮ ଲକ୍ଷ ଅପରାଧିକ ମାମଲା ମଧ୍ୟରେ ୧୩୭୯ଟି ହତ୍ୟା ମାମଲା ରହିଛି। ସେହିପରି ଏଥିରେ ୩୧୮୪ଟି ଦୁଷ୍କର୍ମ ମାମଲା ରହିଛି। ଏହାଛଡ଼ା ୧ ଲକ୍ଷ ୩୦ ହଜାର ୩୮୦ଟି ଅନ୍ୟାନ୍ୟ ମାମଲା ରହିଛି।

୨୦୨୧ ତୁଳନାରେ ୨୦୨୨ ମସିହାରେ ଓଡ଼ିଶାରେ ଚୋରି, ଡକାୟତି ବଢ଼ିଛି। ରାଜ୍ୟରେ ୨୦୨୧ରେ ୧୩ ହଜାର ୨୪ଟି ଚୋରି ମାମଲା ରୁଜୁ ହୋଇଥିବାବେଳେ ୨୦୨୨ରେ ଏହି ସଂଖ୍ୟା ୧୪ ହଜାର ୮୯୩ ହୋଇଛି। ଚୋରି ହୋଇଥିବା ୧୭୭ କୋଟି ୩୦ ହଜାର ୭୦୨ ଟଙ୍କାର ମୂଲ୍ୟର ସମ୍ପତ୍ତି ମଧ୍ୟରୁ ମାତ୍ର ୩୨ ‌କୋଟି ୫୩ ଲକ୍ଷ ୨ ହଜାର ୪୦୧ ଟଙ୍କାର ସମ୍ପତ୍ତି ଉଦ୍ଧାର କରାଯାଇପାରିଛି।

ଶ୍ୱେତପତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଓଡ଼ିଶାରେ ୧୧,୬୬୩ଟି ମୋଟରଯାନ ଦୁର୍ଘଟଣା ମାମଲା ରୁଜୁ ହୋଇଛି। ଅନ୍ୟପଟେ ରାଜ୍ୟରେ ରୁଜୁ ହୋଇଥବା ମୋଟ ଅପରାଧିକ ମାମଲା ମଧ୍ୟରୁ ବର୍ଷ ଶେଷସୁଦ୍ଧା ୧ ଲକ୍ଷ ୧୮ ହଜାର ୫୪୭ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି।

ସେହିପରି ୨୦୨୧ରେ ୫୫୨ଟି ଡାକୟତି ମାମଲା ହୋଇଥିଲା ୨୦୨୨ରେ ଏହି ସଂଖ୍ୟା ୬୨୬ରେ ପହଞ୍ଚିଛି। ବିଭିନ୍ନ ଡକାୟତି ମାମଲାରେ ୧୩ କୋଟି ୨୯ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟ ସମ୍ପତ୍ତି ଲୁଟ୍‌ ହୋଇଥିଲା ବେଳେ ୭ କୋଟି ୩୭ ଲକ୍ଷରୁ ଅଧିକ ମୂଲ୍ୟର ସମ୍ପତ୍ତି ଉଦ୍ଧାର ହୋଇଛି।

୨୦୨୨ରେ ଓଡ଼ିଶାରେ ମୋଟ ୬୬୨ଟି ଡାକୟତି ମାମଲା ରୁଜୁ ହୋଇଛି। ୨୦୨୧ରେ ରାଜ୍ୟରେ ୫୫୨ଟି ଡାକୟତି ମାମଲା ହୋଇଥିଲା।  ସେହିପରି ଓଡ଼ିଶାରେ ୧ ହଜାର ୯୮୩ଟି ସାଇବର ଅପରାଧ ମାମଲା ପଞ୍ଜିକୃତ ହୋଇଛି। ଏହି ଅପରାଧରେ ୪୪୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଶ୍ୱେତପତ୍ରରେ ଦିଆଯାଇଥିବା ସୂଚନା ଅନୁସାରେ ୨୦୨୨ରେ ଓଡ଼ିଶାରେ ମାଓବାଦୀ କାର୍ଯ୍ୟକଳାପ ଜନିତ ସ୍ଥିତି ନିୟନ୍ତ୍ରଣାଧୀନ ଥିଲା। ୨୦୨୨ ମସିହାରେ ରାଜ୍ୟରେ ମୋଟ ୨୭ଟି ମାଓବାଦୀ ହିଂସା ଘଟିଥିଲା। ଅନ୍ୟପଟେ ପୋଲିସର କାର୍ଯ୍ୟାନୁଷ୍ଠାନରେ ୭ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲାବେଳେ ୧୨ ଜଣ ଗିରଫ ହୋଇଥିଲେ ଓ ୩ ଜଣ ଆତ୍ମସମର୍ପଣ କରିଥିଲେ। ଏହାଛଡ଼ା ରାଜ୍ୟ ସରକାରଙ୍କ ‘ଅପରେସନ୍ ଘର ୱାପସି’ ଅଭିଯାନରେ ୩ ହଜାରରୁ ଅଧିକ ସକ୍ରିୟ ମାଓବାଦୀ ଓ ସମର୍ଥକ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ।

Tags: #HomeDepartment #WhitePaper #OdishaAssembly #Crime #CrimeRate

Comment