ଓଡ଼ିଶାଲାଇଭ୍ ବ୍ୟୁରୋ
ବରିଷ୍ଠ ନେତା ମନମୋହନ ସାମଲ ଓଡ଼ିଶା ବିଜେପିର ନୂଆ ସଭାପତି ହୋଇଛନ୍ତି। ଗୁରୁବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ତାଙ୍କୁ ରାଜ୍ୟ ବିଜେପି ସଭାପତି ଭାବେ ନିଯୁକ୍ତ କରିଛନ୍ତି। ସେ ଓଡ଼ିଶା ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ସ୍ଥାନ ନେଇଛନ୍ତି। ଏନେଇ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଓଡ଼ିଶା ବିଜେପି ସଭାପତି ଭାବେ ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ସମୀରଙ୍କ ସ୍ଥାନରେ ଏବେ ମନମୋହନ ସାମଲଙ୍କୁ ରାଜ୍ୟ ବିଜେପିର ସଭାପତି କରାଯାଇଛି। ତେବେ ଓଡ଼ିଶାରେ ଆଗକୁ ଆସୁଥିବା ୨୦୨୪ ନିର୍ବାଚନରେ ଦଳ ମନମୋହନଙ୍କ ନେତୃତ୍ଵରେ ଲଢ଼ିବ।
“ମତେ ଏବେ ଦଳରେ ଏକ ନୂଆ ଦାୟିତ୍ଵ ମିଳିଛି। ମୁଁ ଦଳରେ ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବି। ଅଣେ ସମସ୍ତେ ମିଳିମିଶି ରାଜ୍ୟରେ ଦଳକୁ ଆହୁରି ସଦୃଢ କରୁବାକୁ କାମ କରିବୁ। ରାଜ୍ୟର ଲୋକମାନଙ୍କୁ ଆମେ ଏକ ବିକଳ୍ପ ସରକାର ଦେବୁ”, କହିଛନ୍ତି ମନମୋହନ ସାମଲ।
ମନମୋହନ ସାମଲ ଓଡ଼ିଶାରେ ବିଜେପିର ଜଣେ ପୁରୁଣା ନେତା। ସେ ପୂର୍ବରୁ ମଧ୍ୟ ୨ ଥର ରାଜ୍ୟ ବିଜେପିର ସଭାପତି ଦାୟିତ୍ଵ ତୁଲାଇଥିଲେ। ସେ ୧୯୯୯ରୁ ୨୦୦୦ ମସିହା ଏବଂ ୨୦୦୧ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଓଡ଼ିଶା ବିଜେପିର ସଭାପତି ଥିଲେ।
ମନମୋହନ ସାମଲ ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ସରକାରରେ ଦୁଇଟି ବିଭାଗର ମନ୍ତ୍ରୀ ମଧ୍ୟ ରହିଥିଲେ। ସେ ରାଜସ୍ଵ ଓ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଥିଲେ। ସେ ୨୦୦୪ ମସିହା ନିର୍ବାଚରେ ଧାମନଗର ବିଧାନସଭା ଅସନରୁ ବିଧାୟକ ହୋଇଥିଲେ।
Tags: #ManmohanSamal #President #OdishaBJP #BJP #JPNadda