ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ବିଜେପି ରାଜ୍ୟ ସଭାପତି ହେବେ ମନମୋହନ ସାମଲ। ଓଡ଼ିଶା ବିଜେପି ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମନମୋହନ। ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୈସଓ୍ଵାଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ମନମୋହନ ସାମଲ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ଏପ୍ରିଲ ୮ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ କରାଯିବା ପରେ ରାଜ୍ୟ ବିଜେପି ସଭାପତିଙ୍କ ନାଁ ଘୋଷଣା ହେବ। ଅନ୍ୟ କେହି ପ୍ରାର୍ଥିପତ୍ର ଦାଖଲ କରିନଥିବାରୁ ମନମୋହନ ସାମଲ ପୁଣି ସଭାପତି ହେବା ଏକ ପ୍ରକାର ନିଶ୍ଚିତ ହୋଇଛି।
ଓଡ଼ିଶା ରାଜନୀତିର ଜଣେ ଟାଣୁଆ ନେତା ହେଉଛନ୍ତି ମନମୋହନ ସାମଲ। ରାଜନୀତିରେ ରହିଛି ତାଙ୍କର ଲମ୍ବା କ୍ୟାରିୟର। ୧୯୭୯ ମସିହାରେ ଭଦ୍ରକ ମହାବିଦ୍ୟାଳୟର ଛାତ୍ର ସଂଦସ ସଭାପତି ନିର୍ବାଚିତ ହୋଇଥିଲେ ସେ। ଛାତ୍ର ରାଜନୀତିରୁ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ କ୍ୟାରିୟର।
ପରେ ସେ ବିଜେପିରେ ଯୋଗ ଦେଇଥିଲେ। ୧୯୯୯ ମସିହାରେ ସେ ରାଜ୍ୟ ବିଜେପି ସଭାପତି ହୋଇଥିଲେ। ୨୦୦୪ରେ ସେ ଧାମନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ବିଜେଡି-ବିଜେପି ମେଣ୍ଟ ସରକାରରେ ମନମୋହନ ସାମଲ ରାଜସ୍ୱ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ୨୦୦୮ ପର୍ଯ୍ୟନ୍ତ ସେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଭାରତୀୟ ଜନତା ପାର୍ଟିର ସଭାପତି ଭାବେ ମନମୋହନ ସାମଲଙ୍କର ରହିଛି ୮ ବର୍ଷର ଅଭିଜ୍ଞତା।
Tags: #Politics #OdishaPolitics #ManmohanSamal #BJPStatePresident #Nomination

















