ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ରାହୁଲଙ୍କ ସମେତ କଂଗ୍ରେସ ପାଇଁ ବଢ଼ିଛି ଅଡ଼ୁଆ।

‘ମୋଦୀ’ ସରନେମକୁ ନେଇ ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ ଭାରି ପଡ଼ିଛି। ଏହି ଘଟଣାରେ ପୂର୍ବରୁ ବିଜେପି ପକ୍ଷରୁ ରାହୁଲଙ୍କ ବିରୋଧରେ ମାନହାନୀ ମକଦ୍ଦମା ରୁଜୁ କରିଥିବାବେଳେ ଗୁରୁବାର ଦିନ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ଗୁଜରାଟ ସୁରଟ ସେସନ୍ସ କୋର୍ଟ। କୋର୍ଟଙ୍କ ଏହି ରାୟ ପରେ ରହୁଲଙ୍କ ପାଇଁ ଏବେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାର ଦିନ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ରାହୁଲ ସହ କଂଗ୍ରେସ ପାଇଁ ମଧ୍ୟ ଅଡ଼ୁଆ ବଡ଼ିଛି।

ସାଂସଦ ଭାବେ ପୁନଃଥଇଥାନ ହେବାକୁ କୌଣସି ରାସ୍ତା ଖୋଲା ଅଛି କି ନାହିଁ ଜଣାନାହିଁ। ଯଦି କୌଣସି ରାସ୍ତା ନ ବାହାରେ ତେବେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବାକୁ ରାହୁଲଙ୍କୁ ଅନୁମତି ନ ମିଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସେମିତି ପରିସ୍ଥିତି ଉପୁଜିଲେ କଂଗ୍ରେସ କାହା ନେତୃତ୍ଵରେ ସାଧାରଣ ନିର୍ବାଚନ ଲଢ଼ିବ ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହେଲାଣି।

ମାନହାନୀ ମାମଲାର ବିଚାର କରି ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷର ଜେଲ୍‌ ଦଣ୍ଡାଦେଶ ଦେଇବା ପରେ ପରେ ରାହୁଲଙ୍କୁ ଜାମିନ ମିଳିଛି। ଏହି ଦଣ୍ଡଦେଶକୁ ମାସକ ପାଇଁ ସ୍ଥଗିତ ରଖିବା ସହ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଏହି ରାୟ ବିରୋଧରେ ଉପରକୋର୍ଟରେ ଆବେଦନ କରିବା ପାଇଁ ସୁଯୋଗ ମଧ୍ୟ ଦେଇଛନ୍ତି। ରାହୁଲ ଗାନ୍ଧୀ ଉପର କୋର୍ଟକୁ ଯିବା ପୂର୍ବରୁ ତାଙ୍କ ସଦସ୍ୟତା ରଦ୍ଦ ହୋଇଯାଇଛି। ଯଦି ଉପର କୋର୍ଟ ରହୁଲଙ୍କ ଦଣ୍ଡାଦେଶକୁ କୋହଳ କରନ୍ତି ତେବେ ସେ ତାଙ୍କର ସଦସ୍ୟତା ପଦ ପୁନର୍ବାର ପାଇବାର ସମ୍ଭାବନା ରହିଛି। ଯଦି ଉପରକୋର୍ଟରୁ ତାଙ୍କୁ ଆଶ୍ଵସ୍ତି ନମିଳେ ତେବେ ତାଙ୍କ ସଦସ୍ୟତା ରଦ୍ଦ ନିଷ୍ପତ୍ତି କାଏମ ରହିବ।

ଆର୍ଟିକିଲ ୧୩୬ ଅଧୀନରେ ସୁରଟ କୋର୍ଟଙ୍କ ରାୟ ବିରୋଧରେ ରାହୁଲ ସିଧାସଳଖ ସୁପ୍ରିମକୋର୍ଟ ଯାଇପାରିବେ। ଯେହେତୁ ଏହି ମାମଲାର ବିଚାର ପାଇଁ ତଳ କୋର୍ଟର ପ୍ରାବଧାନ ରହିଛି, ତେଣୁ ଏଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ସମ୍ଭାବନା କମ ବୋଲି କିଛି ଆଇନ ବିଶେଷଜ୍ଞ ମତ ଦେଇଛନ୍ତି।

କଂଗ୍ରେସ ଏବେ ଆଇନ ବିଶାରଦମାନଙ୍କ ସହ ଏ ମାମଲାରେ ତର୍ଜମା ଆରମ୍ଭ କରିଦେଇଛି। ଅନ୍ୟପଟେ ଏହାକୁ ନେଇ ଦେଶବ୍ୟାପୀ କଂଗ୍ରେସରେ ଅସନ୍ତୋଷ ଦେଖା ଦେବା ସହ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଲୋକଙ୍କ ପାଖକୁ ଯିବାକୁ ନିଷ୍ପତ୍ତି ନେଇଛି। ପ୍ରଦେଶ କଂଗ୍ରେସ କମିଟି ଗୁଡ଼ିକ ପ୍ରତିବାଦ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତୃତ୍ଵମାନଙ୍କ ମଧ୍ୟରେ ଘନଘନ ଆଲୋଚନା ଚାଲିଛି। ତୁରନ୍ତ ଆଇନଗତ ଓ ରାଜନୈତିକ ନିଷ୍ପତି ସାମ୍ନାକୁ ଆସିବାର ସମ୍ଭାବନା ରହିଛି।

ଇନ୍ଦିରାଙ୍କର ସଦସ୍ୟତା ବି ରଦ୍ଦ ହୋଇଥିଲା

ରାହୁଲ ଗାନ୍ଧୀଙ୍କ ଜେଜେମା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସଦସ୍ୟତା ବି ରଦ୍ଦ ହୋଇଥିଲା। ଆହ୍ଲାବାଦ ହାଇକୋର୍ଟ ଏକ ମାମଲାର ବିଚାର କରି ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଦେଇଥିଲେ। ୧୯୭୧ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ସଂଯୁକ୍ତ ସମାଜବାଦୀ ପାର୍ଟି ପ୍ରାର୍ଥୀ ରାଜ ନାରାୟଣ ଲୋକସଭା ନିର୍ବାଚନ ଲଢ଼ିଥିଲେ। ଏଥିରେ ଇନ୍ଦିରା ଜିତିବା ସହ ତାଙ୍କର ସରକାର ଗଠନ କରିଥିଲେ।

ତେବେ ନିର୍ବାଚନରେ ଦୁର୍ନୀତି ସହ ସରକାରୀ ଅଧିକାରୀଙ୍କୁ ନିର୍ବାଚନ ଦାୟିତ୍ଵରେ ନିୟୋଜିତ କରିଥିବା ଅଭିଯୋଗ କରି ହାଇକୋର୍ଟ ଯାଇଥିଲେ ରାଜନାରାୟଣ। ୧୯୭୫ରେ ଏହି ମାମଲାର ଶୁଣାଣି କରି ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଦେଇଥିଲେ। ଅବଶ୍ୟ ଇନ୍ଦିରାଙ୍କ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେଇଥିଲେ। ୧୯୭୬ ମସିହାରେ ଦୋଷମୁକ୍ତ କରିଦେଇଥିଲେ ସୁପ୍ରିମକୋର୍ଟ।

ଇନ୍ଦିରା ଗାଦି ଛାଡ଼ନ୍ତୁ ବୋଲି ଦାବି କରି ବିରୋଧୀ ଦଳ ଜୋରଦାର ଆନ୍ଦୋଳନ କରିଥିଲେ। ଦେଶ ସାରା ଇନ୍ଦିରା ଓ କଂଗ୍ରେସ ବିରୋଧରେ ପ୍ରଦର୍ଶନ କରିଥିଲେ। ଏହାପରେ ୧୯୭୫ରେ ଦେଶରେ ଏମର୍ଜେନ୍ସି ଜାରି ହୋଇଥିଲା। ଅନେକ ରାଜୈନତିକ ପରିବର୍ତ୍ତନ ହୋଇଥିଲା। ୧୯୭୭ରେ ଏମର୍ଜେନ୍ସି ହଟିବା ପରେ ନିର୍ବାଚନ ହୋଇଥିଲା। ଏଥିରେ ଇନ୍ଦିରା ଓ ତାଙ୍କ ଦଳ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ଏହି ନିର୍ବାଚନରେ ରାଜନାରାୟଣ ଇନ୍ଦିରାଙ୍କୁ ୫୦ ହଜାରରୁ ଅଧିକ ଭୋଟ୍‌ରେ ହରାଇଥିଲେ।­­

ପୂର୍ବରୁ ରହୁଲଙ୍କ ବିରୋଧରେ ରୁଜୁ ହୋଇଛି ମାମହାନୀ ମାମଲା

ଏହା ନୂଆ ଘଟଣା ନୁହେଁ। ବିବାଦୀୟ ମନ୍ତବ୍ୟ ଦେଇ କଂଗ୍ରେସ ନେତା ରହୁଲ ଗାନ୍ଧୀ ବାରମ୍ବାର ବିବାଦ ଘେରକୁ ଆସିଛନ୍ତି। ତାଙ୍କ ବିରୋଧରେ ଅନେକ ମାନହାନୀ ମକଦ୍ଦମା ମଧ୍ୟ ରୁଜୁ ହୋଇଛି। ୨୦୧୯ ମସିହାରେ ‘ଚୌକିଦାର ଚୋର ହୈ’ ବୟାନକୁ ନେଇ ହରଡ଼ଘଣାରେ ପଡ଼ିଥିଲେ ରାହୁଲ। ବିଜେପି ପକ୍ଷରୁ ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା ରୁଜୁ ହୋଇଥିଲା। ଏହି ମାମଲାରେ ପରେ କ୍ଷମା ପ୍ରାର୍ଥନ କରିଥିଲେ ରହୁଲ।

କେବେଳ ସେତିକି ନୁହେଁ ସରାବୁଦ୍ଦିନ ସେକ୍ ଏନକାଣ୍ଟର ମାମଲାରେ ଅମିତ ଶାହଙ୍କ ହାତ ରହିଥିବା କହିବାରୁ ତାଙ୍କ ବିରୋଧରେ ମଧ୍ୟ ମାନହାନୀ ମକଦ୍ଦମା ହୋଇଥିଲା। କିନ୍ତୁ ୨୦୧୯ ମସିହାରେ ‘ମୋଦୀ’ ସରନେମକୁ ନେଇ ରାହୁଲ ଦେଇଥିବା ବୟାନ ତାଙ୍କୁ ଭାରି ପଡ଼ିଲା।

Tags: #Politics #IndianPolitics #RahulGandhi #SuratCourt #ControversialStatement #ParliamentMembership

LEAVE A REPLY

Please enter your comment!
Please enter your name here