ଓଡ଼ିଶାଲାଇଭ୍ ବ୍ୟୁରୋ

ଶନିବାର ଓଡ଼ିଶା ବାର କାଉନସିଲ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ରାଜ୍ୟର ୩୦ଟି ଜିଲ୍ଲାର ଅଦାଲତରେ ଭୋଟ ଗ୍ରହଣ ହେବ। ଏଥିଲାଗି ୧୬୭ଟି ବୁଥର ବ୍ୟବସ୍ଥା କରାଯାଇଛି। ଏହି ନିର୍ବାଚନରେ ୩୪ ହଜାର ୯୦୮ ଜଣ ଆଇନଜୀବୀ ମତଦାନ କରିବେ। ନିର୍ବାଚନ ପାଇଁ ଶନିବାର ଓଡ଼ିଶାରେ ହାଇକୋର୍ଟ ସମେତ ସବୁ ଅଦାଲତ ଛୁଟି ରହିବ।
୨୦୨୩ର ଓଡ଼ିଶା ବାର କାଉନସିଲର ନିର୍ବାଚନରେ ୨୫ଟି ସଦସ୍ୟ ପଦ ପାଇଁ ଭୋଟ ଗ୍ରହଣ କରାଯିବ। ଏହି ପଦଗୁଡ଼ିକ ପାଇଁ ୯୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଏହି ନିର୍ବାଚନରେ ପୋଲିଂ ଅଫିସର ଭାବେ ବିଚାରବିଭାଗୀୟ ମାଜିଷ୍ଟ୍ରେଟମାନେ ଦାୟିତ୍ଵ ନିର୍ବାହ କରିବେ। ଏଥିଲାଗି ଜିଲ୍ଲା ଅଦାଲତଗୁଡ଼ିକରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।
ଏହି ନିର୍ବାଚନ ପାଇଁ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପ୍ରମଥ ପଟ୍ଟନାୟକ ରିଟର୍ଣ୍ଣିଂ ଅଫିସର ରହିଛନ୍ତି। ସେହିଭଳି ଆଇନଜୀବୀ ବାସୁଦେବ ପୂଜାରୀ ଏବଂ ପ୍ରଫୁଲ୍ଲ କୁମାର ରଥ ସହକାରୀ ରିଟର୍ଣ୍ଣିଂ ଅଫିସର ଭାବେ ନିର୍ବାଚନ ପରିଚାଳନାର ଦାୟିତ୍ଵ ନେବେ।
ମତଦାନ ପାଇଁ ଥିବା ବିଭିନ୍ନ ନିୟମ ବିଷୟରେ ସବୁ ଜିଲ୍ଲା ବାର୍ ଆସୋସିଏସନକୁ ଜଣାଇ ଦିଆଯାଇଛି। ପୋଲିଂ ବୁଥ ଭିତରକୁ ଓକିଲମାନେ ମୋବାଇଲ ଫୋନ, କ୍ୟାମେରା ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀ ଆଦି ନେଇପାରିବେ ନାହିଁ ବୋଲି ନିୟମ ରଖାଯାଇଛି।
Tags: #OdishaStateBarCouncil #Election #Advocates #Voting #DistrictBarAssociations

















