ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶାସକ ଦଳ ବିରୋଧରେ ଏକୁଟିଆ ଲଢ଼ିବା ସମ୍ଭବ ନହେଲେ ଏକାଠି ଲଢ଼ିବାକୁ ପ୍ରୟାସ କରନ୍ତି ବିରୋଧୀ।

ଯେତେବେଳେ ଶାସକ ଦଳ ବିରୋଧରେ ଏକୁଟିଆ ଲଢ଼ିବା ସମ୍ଭବ ହୁଏନି, ସେତେବେଳେ ବିରୋଧୀ ଦଳ ଏକାଠି ଲଢ଼ିବାକୁ ପ୍ରୟାସ କରନ୍ତି। କିନ୍ତୁ ବିରୋଧୀଙ୍କୁ ବି ଜଣେ ନେତା ଦରକାର। ବିରୋଧୀଙ୍କ ନେତା କିଏ ହେବ ତାହା ବର୍ତ୍ତମାନ ସ୍ଥିତିରେ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।

୧୯୭୭ ମସିହାକୁ ଛାଡ଼ିଦେଲେ ଇତିହାସ କେବେ ବି ବିରୋଧୀ ଏକତା ସପକ୍ଷରେ ନଥିଲା। କିନ୍ତୁ କୌଣସି ଦଳକୁ କ୍ଷମତାରୁ ଦୂରରେ ରଖିବା ପାଇଁ ଭାରତୀୟ ରାଜନୀତି ଧୀରେ ଧୀରେ ମେଣ୍ଟ ସରକାର ଉପରେ ନିର୍ଭରଶୀଳ ହୋଇଆସୁଛି।­

୨୦୨୪ ନିର୍ବାଚନକୁ  ଆଉ ମାତ୍ର ବର୍ଷେ ବାକି ରହିଛି। ବିଜେପି ସୁବିଧାଜନକ ସ୍ଥିତିରେ ଥିବାବେଳେ କଂଗ୍ରେସ ଏକୁଟିଆ ବିଜେପି ବିରୋଧରେ ଲଢ଼ିବା ପାଇଁ ଶକ୍ତି ଜୁଟାଇ ପାରୁନି। ଏହି ପରିସ୍ଥିତିରେ ବିରୋଧୀ ଦଳ କେମିତି ଏକାଠି ହେବେ, ତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। କାରଣ ଅନେକ ବିରୋଧୀ ଦଳ କେନ୍ଦ୍ରରେ ଏକାଠି ହେବାକୁ ଚାହୁଁଥିଲେ ମଧ୍ୟ ରାଜ୍ୟରେ ସେମାନଙ୍କର କଂଗ୍ରେସ ସହ ପ୍ରତିଦ୍ଵନ୍ଦ୍ଵିତା ରହିଛି। ଏ ପରିସ୍ଥିତିରେ କିଏ କ’ଣ ତ୍ୟାଗ କରିପାରିବ ତାହା ମଧ୍ୟ ସନ୍ଦେହରେ ରହିଛି।

ସାଧାରଣ ନିର୍ବାଚନ ପାଇଁ ସବୁଠାରୁ ବଡ଼ ପ୍ରଶ୍ନ କାହା ନେତୃତ୍ଵରେ ବିରୋଧୀ ଦଳ ନିର୍ବାଚନ ଲଢ଼ିବେ? ଯଦି ମ୍ୟାଜିକ ନମ୍ବର ମିଳେ ତେବେ କିଏ ପ୍ରଧାନମନ୍ତ୍ରୀ ହେବେ? ଏ ବିରୋଧୀ ଦଳ ଶାସନ ଦୃଷ୍ଟିରୁ ବିଜେପିଠାରୁ କ’ଣ ଭଲ ଦେବେ? ଏ ସବୁ ପ୍ରଶ୍ନର ଉତ୍ତର ସନ୍ତୁଷ୍ଟ କରିପାରିଲେ ହିଁ ବିରୋଧୀଙ୍କ ଉପରେ ଭୋଟରଙ୍କ ଆସ୍ଥା ଏକତ୍ରିତ ହେବ ବୋଲି ରାଜନୈତିକ ପଣ୍ଡିତମାନେ ମତ ଦିଅନ୍ତି। ରାଜନୀତି ବିଶେଷଜ୍ଞଙ୍କ ମତରେ ବିରୋଧୀଙ୍କ ପାଖରେ ଭୋଟରଙ୍କୁ ପ୍ରଭାବିତ କରୁଥିବା ଭଳି ପ୍ରସଂଗ ଥିବା ଦରକାର। ଖାଲି ବିଜେପି ହଟାଅ ସ୍ଲୋଗାନ ହୁଏତ କାମ କରିବ ନାହିଁ।

ମଞ୍ଚରେ ନୁହେଁ, ଭିତରୁ ଏକତା ଜରୁରୀ

ବିରୋଧୀଙ୍କୁ ଖାଲି ମଞ୍ଚରେ ଏକାଠି ହେଲେ ଚଳିବ ନାହିଁ। ବରଂ ଆଦର୍ଶ ଦୃଷ୍ଟିରୁ ବି ଏକତ୍ର ହେବା ଜରୁରୀ। ପଲିଟିକାଲ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କ କହିବା ଅନୁସାରେ ଉପରେ ଉପରେ ଏକାଠି ହେଉଛନ୍ତି ବିରୋଧୀ, ଯାହା ୨୦୨୪ ନିର୍ବାଚନରେ କାମ ନ କରିପାରେ।

ହିନ୍ଦୁତ୍ଵ, ଜାତୀୟତାବାଦ ଓ ଜନମଙ୍ଗଳ ଉପରେ ବିଜେପିର ରାଜନୀତି ଆଧାରିତ। ବିଜେପି ସପକ୍ଷରେ ଭୋଟର ଧ୍ରୂବୀକରଣ ହେବା ପଛରେ ଏହି ୩ଟି କାରଣ ଥିବାବେଳେ ବିରୋଧୀଙ୍କୁ ଅତି କମରେ ଦୁଇଟିକୁ ଭାଙ୍ଗିବାକୁ ପଡ଼ିବ। କଂଗ୍ରେସକୁ ବିଜେପିକୁ ମାତ୍ ଦେବାକୁ ହେଲେ ପୁନଃସଂଗଠିତ ହେବା ଜରୁରୀ।

ବିରୋଧୀ ଏକତା ସପକ୍ଷରେ ଇତିହାସ ନିରବ

୧୯୭୭ ମସିହାକୁ ଛାଡ଼ିଦେଲେ ବିରୋଧୀ ଏକାଠି ହୋଇ ଶାସକ ଦଳକୁ କ୍ଷମତାଚ୍ୟୁତ କରିବାର ପ୍ରୟାସ କେବେ ବି ଶତ ପ୍ରତିଶତ ସଫଳ ହୋଇନାହିଁ। ୧୯୭୭ ମସିହାରେ ସବୁ ଦଳ ଶତ ପ୍ରତିଶତ ଭାବେ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଏକାଠି ହୋଇପାରିଥିଲେ। ବହୁଦଳ ଜନତା ଦଳରେ ମିଶି ଏକ ପ୍ରଭାବୀ ବିରୋଧୀ ଦଳ ଗଠନ କରିପାରିବାରୁ ଇନ୍ଦିରା ଗାନ୍ଧୀଙ୍କୁ ମାତ୍ ଦେଇଥିଲେ। କିନ୍ତୁ ବର୍ତ୍ତମାନ ସେଭଳି ସ୍ଥିତି ନାହିଁ। ଆଞ୍ଚଳିକ ଦଳ ନିଜ ରାଜ୍ୟରେ ମଜବୁତ। ତେଣୁ କଂଗ୍ରେସର ବଡ଼ ଭାଇପଣିଆକୁ ସେମାନେ କେତେ ବରଦାସ୍ତ କରି ପାରିବେ ତାକୁ ନେଇ ବଡ଼ ଦ୍ଵନ୍ଦ୍ଵ ରହିଛି।

୨୦୧୯ରେ ବିରୋଧୀ ମହାମେଣ୍ଟ, ଫାଇଦାରେ ମୋଦୀ

୨୦୧୪ ମସିହା ଅପେକ୍ଷା ୨୦୧୯ ମସିହାରେ ବିରୋଧୀ ଅଧିକ ସଂଗଠିତ ହୋଇଥିଲେ। କିନ୍ତୁ ଏହା ବିରୋଧୀଙ୍କୁ ଅଧିକ ସିଟ୍ ଦେବା ବଦଳରେ ବିଜେପିର ଶକ୍ତି ବୃଦ୍ଧି କରିଥିଲା। ବିରୋଧୀଙ୍କ ପାଇଁ ଏହି ସମୀକରଣ ବି ବଡ଼ ଜଟିଳ। କାରଣ ଏକାଠି ହେବା ପରେ ମଧ୍ୟ ବିଜେପି ସପକ୍ଷରେ ଭୋଟ୍ ଯାଇଥିଲା। ରାଜନୀତି ସମୀକ୍ଷକଙ୍କ ମତରେ, ଭୋଟରଙ୍କୁ ବିଶ୍ଵାସ ହେବା ଦରକାର ଯେ ବିରୋଧୀଙ୍କ ମେଣ୍ଟ ଏକ ସୁଯୋଗବାଦୀ ମେଣ୍ଟ ନୁହେଁ।

ବିଫଳ ହୋଇଥିଲା ‘ଇନ୍ଦିରା ହଟାଅ’ କଳ୍ପନା

ବିରୋଧୀ ଏକତାର ଇତିହାସ ବି ଭଲ ନୁହେଁ। ୧୯୬୭ ମସିହା ନିର୍ବାଚନ ପାଇଁ ପ୍ରଥମ ଥର ବିରୋଧୀମାନେ ଏକାଠି ହେବାକୁ ଚେଷ୍ଟା କରିଥିଲେ। ନେହେରୁଙ୍କ ମୃତ୍ୟୁ ପରେ ଲାଲବାହାଦୁର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ହୋଇଥିଲେ। ଶାସ୍ତ୍ରୀଙ୍କ ଅକସ୍ମାତ ଦେହାନ୍ତ ପରେ ଅଳ୍ପ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ନେହେରୁଙ୍କ  ବିନା କଂଗ୍ରେସର ଏହା ପ୍ରଥମ ନିର୍ବାଚନ ଥିଲା। ବିରୋଧୀ ଭାବିଥିଲେ ଅନଭିଜ୍ଞ ଇନ୍ଦିରାଙ୍କୁ ହଟାଇବା ସହଜ ହେବ। କିନ୍ତୁ ଏହା ସମ୍ଭବ ହୋଇ ନଥିଲା। କେବଳ ଜଣକୁ କ୍ଷମତାରୁ ଦୂରେଇ ରଖିବା ପାଇଁ  ହୋଇଥିବା ଏହି ପ୍ରୟାସ ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ରହିପାରିନଥିଲେ।

ଏକାଠି ହେଲେ ପୁଣି ଭାଙ୍ଗି ଗଲେ

୧୯୭୭ ମସିହାରେ ସ୍ଥିତି ଅଲଗା ଥିଲା। ଇନ୍ଦିରା ଓ କଂଗ୍ରେସ ଉଭୟ ବଦନାମ ହୋଇଥିଲେ। ଜରୁରୀକାଳିନ ପରିସ୍ଥିତିର ରାଜନୈତିକ ଯନ୍ତ୍ରଣା ଓ ଲୋକମାନଙ୍କ ଯନ୍ତ୍ରଣା ବିରୋଧୀଙ୍କୁ ଏକାଠି କରିବା ସହ ଭୋଟରଙ୍କୁ ଇନ୍ଦିରା ଏବଂ କଂଗ୍ରେସ ବିରୋଧୀ କରିଥିଲା। ଯାହାର ଫଳ ବିରୋଧୀ ଦଳକୁ ମିଳିଥିଲା। ଏଥର ସେମାନେ ଭିନ୍ନ ଭିନ୍ନ ଦଳ ଏକ ମେଣ୍ଟ ନକରି ଜନତା ଦଳରେ ମିଶି ଯାଇଥିଲେ। ଯାହା ଫଳରେ ଗୋଟେ ନେତୃତ୍ଵ ମିଳିଥିଲା, ଭୋଟରଙ୍କ ସମର୍ଥନ ମଧ୍ୟ ମିଳିଥିଲା। ଆଦର୍ଶଗତ ଏକତା ନ ଥିବାରୁ ପୁଣି ଏହ ବାରଭାୟା ଆଖଡ଼ା ଭଳି ଭାଙ୍ଗିଯାଇଥିଲା।

ବିନା କଂଗ୍ରେସ-ବିଜେପିରେ ମେଣ୍ଟ

ଭାରତ ଇତିହାସରେ ବିରୋଧୀଙ୍କ ମହାଏକତାକୁ ଭଲ ସମର୍ଥନ ମିଳିନାହିଁ। କିନ୍ତୁ ମେଣ୍ଟକୁ ସରକାର ଗଠନ କରିବାକୁ ସୁଯୋଗ ବାରମ୍ବାର ମିଳିଛି। ଏହି ମେଣ୍ଟର ନେତୃତ୍ଵ କଂଗ୍ରେସ କିମ୍ବା ବିଜେପି ନେଇଛନ୍ତି। ତେଣୁ କଂଗ୍ରେସର ବିନା ନେତୃତ୍ଵରେ ବିରୋଧୀ ଏକତା ସଫଳ ହେବା ରାଜନୀତି ବିଶାରଦଙ୍କୁ ବିଶ୍ଵାସ ହେଉନାହିଁ। ଅବଶ୍ୟ ବିଜେପି ଓ କଂଗ୍ରେସ ପରସ୍ପରକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଅନ୍ୟ ଛୋଟ ମେଣ୍ଟକୁ ସମର୍ଥନ କରି ଦେଶକୁ ଅସ୍ଥିର ସରକାର ଦେଇଛନ୍ତି। ପୁଣି ଦେଶରେ ନିର୍ବାଚନ ହୋଇଛି। ଯଦି ଏକ ନେତା, ଏକ ଆଦର୍ଶ ଓ ଏକ ବିଚାର ଉପରେ ବିରୋଧୀ ଦଳଗୁଡ଼ିକ ଏକମତ ହୋଇ ନପାରନ୍ତି, ତେବେ ୧୯୭୧ ମସିହାରେ ଇନ୍ଦିରାଙ୍କୁ ଯେଉଁ ଫାଇଦା ମିଳିଥିଲା, ୨୦୨୪ ମସିହାରେ ସେ ଫାଇଦା ମୋଦୀଙ୍କୁ ମିଳିବ ବୋଲି ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

ମେଣ୍ଟ ଗଣିତ ଓ ସମୀକରଣ

୨୦୧୯ ମସିହା ନିର୍ବାଚନ ଫଳାଫଳର ଗଣିତ ହିସାବରେ କଂଗ୍ରେସ ଓ ଏହାର ସହଯୋଗୀ ଦଳ ୩୫୦ ସିଟ୍‌ରେ ଏକ ନମ୍ବର କିମ୍ବା ଦ୍ଵିତୀୟ ଦଳ ଥିଲେ। କିନ୍ତୁ ବିଜେପି ଏବଂ ଏହାର ସହଯୋଗୀ ୪୩୦ ସିଟ୍‌ରେ ପ୍ରଥମ କିମ୍ବା ଦ୍ଵିତୀୟ ସ୍ଥାନରେ ରହିଥିଲେ। ୨୫୦ରୁ ଅଧିକ ସିଟ୍‌ରେ ୟୁପିଏ ଓ ଏନ୍‌ଡିଏ ମଧ୍ୟରେ ସିଧାସଳଖ ଲଢ଼େଇ ହୋଇଥିଲା। ଯଦି ବିରୋଧୀଙ୍କୁ ନେଇ ମହାମେଣ୍ଟ ଗଠନ ହୁଏ, ତେବେ ବିଜେପି ସପକ୍ଷରେ ଭୋଟର ଧ୍ରୂବୀକରଣ ହେବାର ଆଶଙ୍କା ରହିଛି। ତେଣୁ କଂଗ୍ରେସ ଅପେକ୍ଷା ବିଜେପି ସପକ୍ଷରେ ମତାମତ ଯିବାର ସମ୍ଭାବନା ରହିଛି ବୋଲି ପଲିଟିକାଲ ଷ୍ଟ୍ରାଟେଜିଷ୍ଟମାନେ ମତ ଦିଅନ୍ତି।

ମହାମେଣ୍ଟ ଅପେକ୍ଷା ସୁସଂଗଠିତ ୟୁପିଏ ସପକ୍ଷରେ ଅନେକ ପଲିଟିକାଲ ଷ୍ଟ୍ରାଟେଜିଷ୍ଟଙ୍କ ମତ। ପ୍ରଶାନ୍ତ କିଶୋର ବି ଏକ ସାକ୍ଷାତକାରରେ କହିଥିଲେ, “କଂଗ୍ରେସ ପାଖରେ ଶକ୍ତି ଅଛି, ଏହା ପୁନଃସଂଗଠିତ ହେବା ଦରକାର। ସାଧାରଣ ନିର୍ବାଚନ କଥା ଆସିଲେ ଅନେକ ରାଜ୍ୟର ଭୋଟର ଦୁଇ ଭାଗରେ ଭାଗ ହୁଅନ୍ତି। ଗୋଟିଏ କଂଗ୍ରେସ ଓ ଅନ୍ୟଟି ବିଜେପି।”

ରାଜନୀତି ସମୀକ୍ଷକଙ୍କ ମତରେ ୟୁପିଏ ଜେଡିୟୁ ଓ ଉଦ୍ଧବ ଠାକ୍‌ରେଙ୍କ ଶିବସେନାକୁ ଭରସା କରିପାରେ। ନୀତିଶ କୁମାର ବି ବେଶ କିଛି ଦିନ ହେଲା ବିରୋଧୀଙ୍କ ନେତୃତ୍ଵ ନେବା ପାଇଁ କଂଗ୍ରେସକୁ ଆହ୍ଵାନ ଦେବାରେ ଲାଗିଛନ୍ତି। ବିହାର, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ତାମିଲନାଡୁ, ଜମ୍ମୁ କଶ୍ମୀରରେ ସହଯୋଗୀଙ୍କ ସହ ଆହୁରି ସଂଗଠିତ ହେଲେ କଂଗ୍ରେସକୁ ଫାଇଦା ମିଳିବାର ସମ୍ଭାବନା ରହିଛି। ଏହି ରାଜ୍ୟଗୁଡ଼ିକରେ ଲୋକସଭାର ୨୭ ପ୍ରତିଶତ ଅର୍ଥାତ ୧୪୮ ଆସନ ରହିଛି।

୨୦୧୯ ମସିହାରେ କଂଗ୍ରେସ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଆସାମ, ଦିଲ୍ଲୀ, ଓ ଗୁଜରାଟରେ କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ହୋଇଥିଲା। କଂଗ୍ରେସ ଆସନ ଦୃଷ୍ଟିରୁ ଭଲ କରିନଥିଲେ ମଧ୍ୟ ବିଜେପି ସହ କଡ଼ା ମୁକାବିଲା କରିଥିଲା। ଏହି ସବୁ ରାଜ୍ୟଗୁଡ଼ିକରେ ୧୯୧ଟି ଲୋକସଭା ଆସନ ଥିବାବେଳେ, ଗୁଜରାଟ, ଦିଲ୍ଲୀ ଓ କର୍ଣ୍ଣାଟକକୁ ଛାଡ଼ିଦେଲେ କଂଗ୍ରେସକୁ ଏଠାରେ କାହା ସହ ମେଣ୍ଟ କରିବାର ଆବଶ୍ୟକତା ନାହିଁ।

ସେହିପରି କେରଳରେ ମଧ୍ୟ ବିରୋଧୀ ଏକତାର ସମ୍ଭାବନା ଆଦୌ ନାହିଁ କହିଲେ ଚଳେ। ଏଠାରେ କଂଗ୍ରେସ ଓ ସିପିଏମ୍ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ। ତଥାପି ଏମାନେ ବିଜେପିର ବିରୋଧୀ ହୋଇଥିବାରୁ କେନ୍ଦ୍ରରେ ବିଜେପିକୁ ଶାସନରୁ ରୋକିବା ପାଇଁ ପଶ୍ଚିମବଙ୍ଗ, ତ୍ରିପୁରା ଭଳି ରାଜ୍ୟରେ ବନ୍ଧୁତ୍ଵପୂର୍ଣ୍ଣ ଲଢ଼େଇ ଲଢ଼ିପାରନ୍ତି।

ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପାଇଁ ବିରୋଧୀ ମେଣ୍ଟ ପାଇଁ ସୁଯୋଗ ମିଳିନପାରେ। କାରଣ ବିଜେଡି ସମଦୂରତା ଉପରେ ବିଶ୍ଵାସ କରୁଥିବା ବେଳେ ଉଭୟ ଓ୍ଵାଇଏସ୍‌ଆର୍‌ କଂଗ୍ରେସ ଓ ବିଜେଡି କଂଗ୍ରେସ ବିରୋଧୀ। ଉତ୍ତର ପ୍ରଦେଶରେ ବି ମହାମେଣ୍ଟର ପରିକଳ୍ପନା ଏକଦମ ସମ୍ଭବ ନୁହେଁ। କାରଣ ଏଠାରେ ଏସ୍‌ପି, ବିଏସ୍‌ପି ସହ ମେଣ୍ଚ କରି ଅତୀତରେ କଂଗ୍ରେସ କିଛି ବି ଫାଇଦା ପାଇନାହିଁ। ବରଂ ଏ ଆଞ୍ଚଳିକ ଦଳଗୁଡ଼ିକର ଛୋଟଭାଇର ମାନ୍ୟତା ପାଇଛି।

ୟୁପିରେ ୮୦ ଆସନ, ପଶ୍ଚିମବଙ୍ଗରରେ ୪୨, ତେଲେଙ୍ଗାନାରେ ୧୭ ଲୋକସଭା ଆସନ ରହିଛି। ବିଜେପିକୁ ଛାଡ଼ିଦେଲେ ଆଞ୍ଚଳିକ ଦଳଗୁଡ଼ିକ ନିଜର ଶକ୍ତି ବୃଦ୍ଧି କରିଛନ୍ତି। ତେଣୁ ଏଠାରେ କଂଗ୍ରେସ ପାଇଁ ବେଶୀ ସୁଯୋଗ ନଥିଲେ ମଧ୍ୟ ଏଠାକାର ଆଞ୍ଚଳିକ ଦଳଗୁଡ଼ିକ କେନ୍ଦ୍ରରେ ବିଜେପି ବିରୋଧୀ ସରକାର ପାଇଁ ସମର୍ଥନ କରିବାର ସମ୍ଭାବନା ରହିଛି। କିନ୍ତୁ ପ୍ରାକ୍ ନିର୍ବାଚନ ମେଣ୍ଟ କରି କଂଗ୍ରେସର କିଛି ଫାଇଦା ହେବା ସମ୍ଭବ ନୁହେଁ ବୋଲି ରାଜନୀତି ସମୀକ୍ଷକଙ୍କ ଆକଳନ କରିଛନ୍ତି।

Tags: #Politics #IndianPolitics #Opposition #PoliticalFight #OppositionUnity

LEAVE A REPLY

Please enter your comment!
Please enter your name here