ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାର ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଉପରେ ଅତ୍ୟାବଶ୍ୟକ ସେବା ଆଇନ (ଏସମା) ଲାଗୁ କରିଛନ୍ତି। ଏହାଫଳରେ ସ୍ୱାସ୍ଥ୍ୟକର୍ମୀମାନେ ୬ ମାସ ଯାଏଁ ଆନ୍ଦୋଳନ କରିପାରିବେ ନାହିଁ। ଏନେଇ ସୋମବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ଆଇନ ସ୍ୱାସ୍ଥ୍ୟ ବିଭାଗର କାମ କରୁଥିବା ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଏବଂ ଅନ୍ୟାନ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଉପରେ ଲାଗୁ ହେବ। ସ୍ୱାସ୍ଥ୍ୟକର୍ମୀମାନେ ଯେଭଳି ସ୍ୱାସ୍ଥ୍ୟସେବାରେ ବ୍ୟାଘାତ ସୃଷ୍ଟି ନକରନ୍ତି, ସେଥିଲାଗି ଏହି ‘ଏସମା’ ଲାଗୁ ହୋଇଛି। ଏହି ଆଇନ ୬ ମାସ ଯାଏଁ ବଳବତ୍ତର ରହିବ।

ଏସମା ଲାଗୁ ହେବା ଫଳରେ ସୋମବାରଠାରୁ ହେବାକୁଥିବା ନର୍ସ ଓ ଫାର୍ମାସିଷ୍ଟଙ୍କ ଆନ୍ଦୋଳନ ଉପରେ ରୋକ୍ ଲାଗିଛି। ସେମାନେ ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନ କରିବା ପାଇଁ ପୂର୍ବରୁ ଯୋଜନା କରିଥିଲେ। ଏହାଛଡ଼ା ଏବେ ସ୍ୱାସ୍ଥ୍ୟକର୍ମୀମାନେ ଅଧିକ ଦିନ ପର୍ଯ୍ୟନ୍ତ ଲମ୍ବା ଛୁଟି ମଧ୍ୟ ନେଇପାରିବେ ନାହିଁ। ଏହାକୁ ଉଲଂଘନ କଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏବେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାଛଡ଼ା କୋଭିଡ୍-୧୯ର ମମାଲା ଦିନକୁ ଦିନ ବଢ଼ିବାରେ ଲାଗିଛି।  ଏହି ସମୟରେ ସ୍ୱାସ୍ଥ୍ୟ ସେବା ସୂଚାରୁ ରୂପେ ଚାଲିବାର ଯଥେଷ୍ଟ ଆବଶ୍ୟକତା ରହିଛି। ରାଜ୍ୟ ଜରୁରୀ ସେବା ଆଇନ ୧୯୮୮ ଆଧାରରେ ଏହି ଏସମା ଲାଗୁ କରିଛନ୍ତି।

Tags: #HealthcareWorkers #ESMA #BanonProtest #H&FWDept #Odisha

LEAVE A REPLY

Please enter your comment!
Please enter your name here