ଓଡ଼ିଶାଲାଇଭ୍ ବ୍ୟୁରୋ

ମାଟିରେ ମିଶିଲା ଆତଙ୍କର ଅନ୍ୟ ନାଁ ଅତିକ ଅହମ୍ମଦ। ଆତିକର ହତ୍ୟା ଏବେ ରାଜନୀତିର ଏକ ଅନ୍ଧକାର ଦିଗକୁ ସାମ୍ନାକୁ ଆଣିଛି।

ଅପରାଧରୁ ରାଜନୀତି ଓ ରାଜନୀତିରୁ ଅପରାଧ, ହିନ୍ଦୀ ହାର୍ଟଲାଣ୍ଡରେ କିଛି ନୂଆକଥା ନୁହେଁ। ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡରେ ଅପରାଧୀଙ୍କ ସିଣ୍ଡିକେଟ ରାଜନେତାଙ୍କ ପୋଷ୍ୟପୁତ୍ର ଭଳି ପ୍ରୋତ୍ସାହନ ପାଇଛି। ନିକଟରେ ଦୁର୍ବୃତ୍ତଙ୍କ ଗୁଳିରେ ପ୍ରାଣ ହରାଛନ୍ତି ଅତିକ ଅହମ୍ମଦ ଓ ଭାଇ ଅସରଫ। ଅତିକ ନିଜେ ଯେଉଁ ଅପରାଧର ମଞ୍ଜି ବୁଣିଥିଲା, ତାକୁ ରାଜନୀତି ହିଁ ବିରାଟ ଦ୍ରୁମରେ ପରିଣତ କରିଥିଲା।

ଧର୍ମ ଓ ଜାତି ଆଧାରିତ ରାଜନୀତିର ପ୍ରୟୋଗଶାଳା ଉତ୍ତରପ୍ରଦେଶ। ସଂଖ୍ୟାଲଘୁ ରାଜନୀତି ଅତିକର ଅଭ୍ୟୁଦୟକୁ ବଳ ଦେଇଥିଲା। ଜଣେ ଟାଙ୍ଗାବାଲାର ମାଟ୍ରିକ ଫେଲ୍ ପୁଅ ଗଳିର ଗୁଣ୍ଡାରୁ ରାଜନୈତିକ ପ୍ରୋତ୍ସାହନ ପାଇ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା।

ମାଟ୍ରିକ ଫେଲ୍ ହେବା ପରେ ଅତିକ ପାଠପଢ଼ା ଛାଡ଼ି ଦେଇଥିଲା। ମାତ୍ର ୧୭ ବର୍ଷ ବୟସରେରେ ହତ୍ୟାକାଣ୍ଡରେ ସାମିଲ ହୋଇଥିବା କୁହାଯାଉଛି। କିନ୍ତୁ ଏହି ଅପରାଧ ପାଇଁ ପୋଲିସ ରେକର୍ଡରେ ଆତିକର ନାଁ ନାହିଁ। ଏହି ହତ୍ୟାକାଣ୍ଡରୁ ଅତିକ ନିଜ ଅପରାଧର ଡେବ୍ୟୁ କରିଥିବା ଶୁଣିବାକୁ ମିଳୁଛି।

ଉତ୍ତରପ୍ରଦେଶ ପୁଲିସ ସେବାର ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ କହିବା ଅନୁସାରେ ଅତିକ ବହୁତ ବଡ଼ ହେବାକୁ ଚାହୁଁଥିଲା। କିନ୍ତୁ ଚାକିରି କରିବା ପାଇଁ ତା’ର ଯୋଗ୍ୟତା ନଥିଲା। ବ୍ୟବସାୟ କରିବା ପାଇଁ ଆର୍ଥ ବଳ ମଧ୍ୟ ନଥିଲା। କିଛି ଭଲ ରାସ୍ତାରେ ଯାଇ ରୋଜଗାର କରିବା ଭଳି ସଂସ୍କାର ମଧ୍ୟ ତାକୁ ମିଳିନଥିଲା। କାରଣ ତା’ର ଟାଙ୍ଗାବାଲା ବାପା ମଧ୍ୟ ଥିଲା ଜଣେ ଗଳିର ଗୁଣ୍ଡା।

ପ୍ରଥମେ ଛୋଟ ଛୋଟ ଅପରାଧ, ପଇସା ଅସୁଲ, ଗୁଣ୍ଡାଗିରିରେ ଲିପ୍ତ ଥିଲା ଅତିକ। ଲୋକଙ୍କ ଡର ତାକୁ ସମ୍ମାନ ଭଳି ଲାଗିଲା। ଲୋକେ ଏତେ ମାତ୍ରାରେ ଡରିଲେ ଯେ ଅତିକ ବିରୋଧରେ ମୁହଁ ଖୋଲିବାକୁ କେହି ସାହସ କରିପାରିଲେନାହିଁ। ୧୦ ବର୍ଷ ଭିତରେ ସେ ପଶ୍ଚିମ ଆହ୍ଲାବାଦରୁ ବାହାରି ଝାଡ଼ଖଣ୍ଡ ପର୍ଯ୍ୟନ୍ତ ପହଞ୍ଚି ସାରିଥିଲା।

ଅପରାଧରୁ ରାଜନୀତି

୧୯୭୯ରୁ ୧୯୮୯ ମସିହା ଯାଏଁ ବିଭିନ୍ନ ଅପରାଧରେ ଲିପ୍ତ ଅତିକ ୮୦ ଦଶକ ଶେଷ ବେଳକୁ ରାଜନୀତିକୁ ପ୍ରବେଶ କରିବାକୁ ଯୋଜନା କରିଥିଲା। କାରଣ ସେ ଏତେ ମାତ୍ରାରେ ଅପରାଧ କରିସାରିଥିଲା ଯେ ତାକୁ ଶାସନ ଓ ପୋଲିସ ପ୍ରଶାସନ କବଳରୁ ସୁରକ୍ଷାର ଆବଶ୍ୟକତା ଥିଲା। ରାଜନୈତିକ କ୍ଷମତା ହିଁ ତାକୁ ସୁରକ୍ଷା ଦେଇପାରିବ ବୋଲି ସେ ଚିନ୍ତା କରିଥିଲା।

୧୯୮୯ ମସିହାରେ ବିଧାନସଭା ନିର୍ବାଚନରେ ଆହ୍ଲାବାଦ (ପଶ୍ଚିମ)ରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଜିତିଥିଲା ଅତିକ। ରାଜନୀତିରେ ପ୍ରବେଶ କରିବା ପରେ ମଧ୍ୟ ଅପରାଧରୁ ପାଦ ହଟାଇ ପାରିନଥିଲା ସେ। ରାଜନୈତିକ କ୍ଷମତା ତାକୁ ଅନ୍ଧ କରିଦେଇଥିଲା। ସମସ୍ତଙ୍କୁ ତା’ ରାସ୍ତାରୁ ହଟାଇବା ପାଇଁ ଚେଷ୍ଟା କରୁଥିଲା।

ଯିଏ ନ ମାନିଲା ସିଏ ମଲା

ବିଧାନସଭା ନିର୍ବାଚନରେ ଅତିକର ପ୍ରତିଦ୍ଵନ୍ଦ୍ଵୀ ଥିଲା ମାଫିଆ ଚାନ୍ଦବାବା। ତା’ ନାଁରେ ବି ଅନେକ ମାମଲା ରହିଥିଲା। ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ନକରିବା ଲାଗି ଚାନ୍ଦକୁ ଅତିକ ବାରଣ କରିଥିଲେ ମଧ୍ୟ ଶୁଣିନଥିଲା ଚାନ୍ଦ। ସେହିଦିନ ହିଁ ରାଜନୈତିକ ପ୍ରତିଦ୍ଵନ୍ଦ୍ଵରୁ ଅତିକର ଶତ୍ରୁ ହୋଇଯାଇଥିଲା ଚାନ୍ଦବାବା। ଏହି ନିର୍ବାଚନର ଫଳ ଆସିବା ପୂର୍ବରୁ ଅତିକର ଲୋକେ ଚାନ୍ଦବାବାକୁ ହଟାଇ ଦେଇଥିଲେ।

ଅପରାଧ ସିଣ୍ଡିକେଟ ଓ ନିଯୁକ୍ତି

ସ୍ଵାଧୀନ ବିଧାୟକ ଥିଲା ଅତିକ। କିନ୍ତୁ ଧମକ୍ ଏବଂ ଆକ୍ରମଣ କରି ସବୁ ଠିକା କାମ ସେ ହିଁ ନେଉଥିଲା। ହାତକୁ ପ୍ରବଳ ଅର୍ଥ ଆସିବା ସହ ବଡ଼ ଗୁଣ୍ଡାବାହିନୀ ତିଆରି କରି ଯୁବକମାନଙ୍କୁ ନିଯୁକ୍ତି ଦେଇଥିଲା ଅତିକ। ରାଜ୍ୟର ଅନେକ ଯୁବକ ଅପରାଧ ଗ୍ୟାଙ୍ଗରେ ସାମିଲ ହୋଇସାରିଥିଲେ।

ରାଜନୈତିକ ଅସ୍ଥିରତାରୁ ଅଭ୍ୟୁଦୟ

ଅତିକର ଅପରାଧ ସାମ୍ରାଜ୍ୟ ବଢ଼ିବାରେ ଲାଗିଥିଲା। ଅନ୍ୟପଟେ ଉତ୍ତରପ୍ରଦେଶରେ ରାଜନୈତିକ ଅସ୍ଥିରତା ଅପରାଧୀ ତତ୍ତ୍ଵଙ୍କର ପ୍ରଭାବ ବୃଦ୍ଧିରେ ସାହାଯ୍ୟ କରୁଥିଲା। ଉତ୍ତରପ୍ରଦେଶରେ ସ୍ଥିର ସରକାର ଗଠନ ହୋଇପାରୁନଥିଲା। ଖୁବ୍ କମ ସମୟ ମଧ୍ୟରେ ବାରମ୍ବାର ନିର୍ବାଚନ ହୋଇଥିଲା। ଏହି କ୍ରମରେ ଅତିକ ଆଲହାବାଦ-ପଶ୍ଚିମରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ୧୯୮୯, ୧୯୯୧ ଓ ୧୯୯୩ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲା। ଅତିକ ନିଜକୁ ନେତା ଭାବେ ପ୍ରମାଣିତ କରିସାରିଥିଲା। ଅନ୍ୟପଟେ ପ୍ରମାଣ ଅଭାବରୁ ଅତିକ ଅନେକ ଅପରାଧ ମାମଲାରୁ ମୁକୁଳିଯାଉଥିଲା।

ବନ୍ଧୁକ ମୁନରେ ବାଲଟ

ସ୍ଵାଧୀନତା ପରେ କିଛି ରାଜନେତାଙ୍କର ଅପରାଧୀଙ୍କ ସହ ସମ୍ପର୍କ ଘନିଷ୍ଠ ଥିଲା। ଗୁଣ୍ଡାବାହିନୀ ଦ୍ଵାରା ଉତ୍ତରପ୍ରଦେଶରେ ଭୋଟ୍‌ ରାଜନୀତି ନିୟନ୍ତ୍ରିତ ହେଉଥିଲା। କିନ୍ତୁ ମଣ୍ଡଳ କମିଶନ ଆନ୍ଦୋଳନ ପରେ ଉତ୍ତରପ୍ରଦେଶରେ ଅପରାଧୀମାନେ ସିଧାସଳଖ ରାଜନୀତିରେ ପଶିବା ପାଇଁ ଉଦ୍ୟମ କରିଥିଲେ। ଯେଉଁନେତାମାନେ ସେମାନଙ୍କ ବାହୁବଳର ଫାଇଦା ନେଇଥିଲେ ସେମାନଙ୍କୁ ଛାଡ଼ିପାରୁ ନଥିଲେ। ତଣ୍ଟିର କଣ୍ଟା ହୋଇଯାଇଥିଲେ ମାଫିଆମାନେ। ବାଧ୍ୟ ହୋଇ ସେମାନଙ୍କ ପାଇଁ ଟିକଟର ବ୍ୟବସ୍ଥା କରିଥିଲେ। ଏଥିପାଇଁ ଅତିକକୁ ବି ପ୍ରବଳ ସୁଯୋଗ ମିଳିଥିଲା।

‘ସାଇକେଲ’ରେ ବିଧାନସଭା

୩ ଥର ବିଧାୟକ ନିର୍ବାଚିତ ଅତିକର ସମ୍ପର୍କ ମୁଲାୟମଙ୍କ ସହ ବଢ଼ିବାରେ ଲାଗିଥିଲା। ମୁସ୍‌ଲିମ ଭୋଟ ପାଇଁ ମୁଲାୟମ ଅତିକର ଅପରାଧକୁ ଆଖି ବୁଜିଦେଇଥିଲେ। ୧୯୯୬ ମସିହାରେ ପୁଣି ବିଧାନସଭା ନିର୍ବାଚନ ହୋଇଥିଲା। ଏଥର ଅତିକ ସମାଜବାଦୀ ପାର୍ଟିରେ ସାମିଲ ହୋଇ ସାଇକେଲ ଚିହ୍ନରେ ନିର୍ବାଚନ ଲଢ଼ି ଜିତିଥିଲା। ୧୯୯୯ ମସିହାରେ ସେ ସମାଜବାଦୀ ପାର୍ଟି ଛାଡ଼ି ଅପନା ଦଳରେ ଯୋଗଦେବା ସହ ସେହି ଆହ୍ଲାବାଦ ପଶ୍ଚିମ ଆସନରୁ ନିର୍ବାଚନ ଜିତିଥିଲା।

୨୦୦୩ ମସିହାରେ ଅତିକ ସମାଜବାଦୀ ପାର୍ଟିକୁ ଫେରିବା ସହ ୨୦୦୪ ସାଧାରଣ ନିର୍ବାଚନରେ ଫୁଲପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ି ଜିତିଥିଲା। ଏହା ହେଉଛି ସେହି ଫୁଲପୁର ଯେଉଁଠାରୁ ଜବାହରଲାଲ ନେହେରୁ ଓ ଭିପି ସିଂହଙ୍କ ଭଳି ପ୍ରଧାନମନ୍ତ୍ରୀ ଏକାଧିକ ଥର ନିର୍ବାଚିତ ହୋଇଥିଲେ।

ଛୁଇଁବାକୁ ଡରୁଥିଲେ

ରାଜନୀତିର ଅପରାଧକରଣ ବି ଉତ୍ତରପ୍ରଦେଶରୁ ଆରମ୍ଭ ହୋଇଥିଲା। ରାଜନୈତିକ ପୃଷ୍ଠପୋଷକତା ପାଇଁ ଅନେକ ଅତିକ ଓ ଆଶ୍ରଫ ସୃଷ୍ଟି ହୋଇଥିଲେ। ଯେଉଁମାନେ ବନ୍ଧୁକ ମୁନରେ ଶାସନ ଓ ପ୍ରଶାସନ ଉଭୟକୁ ନିୟନ୍ତ୍ରଣ କରିବାରେ ଲାଗିଥିଲେ। ଆହ୍ଲାବାଦ ବା ବର୍ତ୍ତମାନର ପ୍ରୟାଗରାଜଠାରୁ ଆରମ୍ଭ କରି ଝାଡ଼ଖଣ୍ଡର ବୋକାରୋ ପର୍ଯ୍ୟନ୍ତ ଅନେକ ସଂଗଠିତ ଅପରାଧରେ ଅତିକ ନାଁ ଯୋଡ଼ିହେଲା। ମୁଲାୟମଙ୍କ ସରକାର ସମୟରେ ଅତିକକୁ କେହି ଛୁଇଁବାକୁ ସାହସ କରୁନବା ଶୁଣିବାକୁ ମିଳେ।

ପରାଜୟରୁ ପ୍ରତିହିଂସା

ଅତିକ ଫୁଲପୁରରୁ ଲୋକସଭାକୁ ନିର୍ବାଚିତ ହେବା ପରେ ସେ ବିଧାୟକ ଥିବା ଆହ୍ଲାହାବାଦ ପଶ୍ଚିମ ଆସନ ଖାଲି ପଡ଼ିଥିଲା। ଏହି ଆସନ ପାଇଁ ହୋଇଥିବା ଉପ ନିର୍ବାଚନରେ ଅତିକର ଭାଇ ଅସରଫ ଅହମ୍ମଦ ପ୍ରାର୍ଥୀ ହୋଇଥିଲା। ଅସରଫ ସମାଜବାଦୀ ପାର୍ଟିରୁ ପ୍ରାର୍ଥୀ ହୋଇଥିବା ବେଳେ ବିଏସ୍‌ପିରୁ ପ୍ରାର୍ଥୀ ହୋଇଥିଲେ ରାଜୁ ପାଲ୍। ରାଜୁ ପାଲଙ୍କୁ ପୂର୍ବ ନିର୍ବାଚନରେ ହରାଇଥିଲା ଅତିକ। ଏଥର ମଧ୍ୟ ରାଜୁ ପାଲ୍ ହାରିବା ସହ  ବିଧାନସଭାକୁ ଅସରଫ ନିର୍ବାଚିତ ହେବ ବୋଲି ଭାବିଥିଲା ଅତିକ। କିନ୍ତୁ ରାଜୁ ପାଲ ୫ ହଜାର ଭୋଟରରେ ଅସରଫକୁ ହରାଇଥିଲେ।

ଅତିକ ଭାବିଥିଲା ରାଜୁ ପାଲ୍‌ଙ୍କ ଏହି ବିଜୟ ତା’ ପ୍ରତି ଲୋକଙ୍କର ଥିବା ଭୟକୁ ଶେଷ କରିଦେବ। ସେଥିପାଇଁ ସେ ରାଜୁ ପାଲ୍‌ଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା। ୨୦୦୫ ଜାନୁଆରି ୨୫ ତାରିଖରେ ଅତିକର ଗୁଣ୍ଡାମାନେ ରାଜୁ ପାଲ୍‌ଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ। ଶହ ଶହ ଲୋକ ରାସ୍ତା କଡ଼ରେ ଠିଆ ହୋଇଥିଲେ ମଧ୍ୟ ଅତିକର ଗୁଣ୍ଡା ବାହିନୀକୁ ସାମ୍ନା କରିବାକୁ ଭୟ କରିଥିଲେ।

ଏହା ପୂର୍ବରୁ ୨ ଥର ହତ୍ୟା ଉଦ୍ୟମ ବିଫଳ ହୋଇଥିଲେ ମଧ୍ୟ ତୃତୀୟ ଥରର ଉଦ୍ୟମ ସଫଳ ହୋଇଥିଲା। ସେତେବେଳେ ରାଜୁ ପାଲଙ୍କର ବାହାଘରକୁ ମାତ୍ର ୯ ଦିନ ହୋଇଥିଲା। କର୍ମ ଫଳ କୁହଯାଇ ପାରେ କିମ୍ବା ସଂଯୋଗ, ରାଜୁଙ୍କ ଦେହରେ ବି ୯ଟି ଗୁଳି ବାଜିଥିଲା। ଏବେ ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଆତିକ ଦେହରୁ ବି ୯ଟି ଗୁଳି ମିଳିଛି।

ହଟିଗଲା ଆଶୀର୍ବାଦର ହାତ

୨୦୦୭ ମସିହାରେ ମୁଲାୟମଙ୍କ ସରକାର ଚାଲିଯାଇଥିଲା। ଅତିକ ଉପରେ ଆଶୀର୍ବାଦର ଛତା ବି ହଟିଯାଇଥିଲା। ବିଏସ୍‌ପି ସରକାର ଅତିକର ଅପରାଧ ସାମ୍ରାଜ୍ୟ ଶେଷ କରିଦେବାକୁ ଚେଷ୍ଟା କରିଥିଲେ। ବାଧ୍ୟ ହୋଇ ଅତିକ ଓ ତା’ର ଭାଇ ୨୦୦୮ ମସିହାରେ ଆତ୍ମସମର୍ପଣ କରିଥିଲେ। କିନ୍ତୁ ୨୦୧୨ରେ ପୁଣି ସମାଜବାଦୀ ପାର୍ଟି ସରକାର ଆସିବା ପରେ ସେମାନଙ୍କୁ ଜେଲ୍‌ରୁ ମୁକ୍ତି ମିଳିଥିଲା। ଜେଲ୍‌ରେ ଥିବାବେଳେ ମଧ୍ୟ ସେଠାରୁ ଅପରାଧ ସାମ୍ରାଜ୍ୟ ନିୟନ୍ତ୍ର କରୁଥିଲା ଅତିକ।

ଜେଲ୍‌ରୁ ମୁକ୍ତି ମିଳିଥିଲେ ମଧ୍ୟ ସରକାରଙ୍କ ହାତ ଉଠିଯାଇଥିଲା ଅତିକ ଉପରୁ। ଏପଟେ ନିର୍ବାଚନ ବି ହାରିଥଲା ଅତିକ। ମୁଲାୟମଙ୍କ ପୁଅ ଅଖିଳେଶ ମୁଖ୍ୟମନ୍ତ୍ରୀ ହୋଇସାରିଥିଲେ। ଅପରାଧୀଙ୍କୁ ପସନ୍ଦ କରୁନଥିବା ଅଖିଳେଶ ଅତିକକୁ ନିଜ ପାଖକୁ ପଶିବାକୁ ଦେଉନଥିଲେ। ୨୦୧୪ ମସିହା ଲୋକସଭା ନିର୍ବାଚନ ବି ଅତିକ ହାରିଯାଇଥିଲା। ଧୀରେ ଧୀରେ ପ୍ରଶାସନିକ ସୁରକ୍ଷା ଆଉ ମିଳିନଥିଲା। କିନ୍ତୁ ନିଜର ଦବଦବା ଜାରି ରଖିବା ପାଇଁ ଅପରାଧ ଘଟାଇବା ଜାରି ରଖିଥିଲା ଅତିକ। ଅତିକର ଅପରାଧ ସାମ୍ରାଜ୍ୟ ଭୁଶୁଡ଼ିବା ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା।

ସଫଳତାରୁ ବିଫଳତା

୨୦୧୭ ମସିହା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଥିଲା। ଏକ ବିଶ୍ଵବିଦ୍ୟାଳୟର କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଅତିକକୁ ଗିରଫ କରାଯାଇଥିଲା। ଅଖିଳେଶଙ୍କ ସରକାର ଯିବା ପୂର୍ବରୁ ତାକୁ ଜେଲ୍ ଯିବାକୁ ପଡ଼ିଥିଲା। ରାଜନୀତି ହିଁ ସୁରକ୍ଷା ଦେବ ବୋଲି ଭଲଭାବେ ବୁଝିଥିଲେ ମଧ୍ୟ ଭୋଟରମାନେ ବି ନିଜର ଶକ୍ତି ବୁଝି ସାରିଥିଲେ।

୨୦୧୯ ମସିହାରେ ଅତିକ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବାରଣାସୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ମଧ୍ୟ ମାତ୍ର ୮୫୫ ଖଣ୍ଡ ଭୋଟ୍ ପାଇଥିଲା। ୧୯୮୯ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସବୁ ନିର୍ବାଚନ ଜିତିଥିଲା ଅତିକ। କିନ୍ତୁ ଏହା ପରଠାରୁ ଲୋକେ ଭୋଟ୍‌ରେ ଜବାବ ଦେବା ଆରମ୍ଭ କରିଥିଲେ। ଏହା ପରଠାରୁ ଆଉ ଗୋଟିଏ ବି ନିର୍ବାଚନ ଜିତିପାରି ନଥିଲା ଅତିକ।

କୋର୍ଟ ବାହାରେ ଫଇସଲା

ଅତିକ ବିରୋଧରେ ଶହେରୁ ଅଧିକ ଅପରାଧ ମାମଲା ରୁଜୁ ହୋଇଥିଲା। ଏମିତି କିଛି ଅପରାଧର ଦଫା ନଥିଲା ଯାହା ଅତିକ ବିରୋଧରେ ଲାଗି ନଥିଲା। କିନ୍ତୁ ଅନେକ ମାମଲାରେ ସେ ମୁକୁଳି ଯାଉଥିଲା। କେଉଁ ମାମଲାରେ ସାକ୍ଷୀ ଡରୁଥିଲେ ତ ଆଉ କେଉଁ ମାମଲାରେ ସାକ୍ଷୀମାନଙ୍କର ସନ୍ଦେହଜନକ ଭାବେ ହତ୍ୟା ହେଉଥିଲା। ଅନେକ ମାମଲାକୁ ଅତିକ କୋର୍ଟ ବାହାରେ ହିଁ ଫଇସଲା କରୁଥିଲା। କାହାକୁ ଧମକାଇ ଆଉ କାହାକୁ ପଇସାର ଲୋଭ ଦେଖାଇ ସେ ଚୁପ୍‌ କରାଉଥିଲା।

ତଣ୍ଟିରେ ‘ରାଜୁ କଣ୍ଟା’

ଆତଙ୍କରାଜ ଚଳାଇଥିବା ଅତିକକୁ ନଡରି ତା’ ବିରୋଧରେ ଜଣେ ମହିଳା ଲଢ଼େଇ ଜାରି ରଖିଥିଲେ। ୨୦୦୫ ମସିହାରେ ଅତିକ ହତ୍ୟା କରିଥିବା ବିଧାୟକ ରାଜୁ ପାଲଙ୍କ ପତ୍ନୀ ପୂଜା ପାଲ୍ ରାଜନୈତିକ ଲଢ଼େଇ ସହ ନ୍ୟାୟିକ ଲଢ଼େଇ ଜାରି ରଖିଥିଲେ। ବିଧାୟକ ରାଜୁ ହତ୍ୟା ମାମଲା ଅତିକର ତଣ୍ଟିରେ କଣ୍ଟା ଭଳି ଲାଗି ରହିଥିଲା।

ଅନେକ ମାମଲାରେ ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିଥିଲେ ମଧ୍ୟ ରାଜୁ ପାଲ୍ ହତ୍ୟାକାଣ୍ଡର ସାକ୍ଷୀଙ୍କୁ ପ୍ରଭାବିତ କରିବାରେ ବିଫଳ ହୋଇଥିଲା। ଏହି ମାମଲାର ସାକ୍ଷୀ ଉମେଶ ପାଲଙ୍କୁ ଅପହରଣ କରି ଧମକାଇବାକୁ ଚେଷ୍ଟା କରିଥିଲା। ୨୦୦୬ ମସିହାରେ ଅପହରଣ ଓ ଧମକ ପରେ ମଧ୍ୟ ଉମେଶ ଅଟଳ ରହିଥିଲେ।

ପୋଲିସକୁ ମିଳୁନଥିଲା ପ୍ରମାଣ

ଶହ ଶହ ମାମଲାର ଅଭିଯୁକ୍ତ ଅତିକକୁ ଗୋଟିଏ ବି ମାମଲାରେ ଦୋଷୀ ପ୍ରମାଣିତ କରି ପାରିନଥିଲା ଉତ୍ତରପ୍ରଦେଶ ପୋଲିସ। କେବଳ ଉମେଶ ପାଲ ଅପହରଣ ମାମଲାରେ ହିଁ ଆତିକ ଦୋଷୀ ସାବ୍ୟସ୍ତ ହୋଇଥିଲା। କିନ୍ତୁ ଅତିକର ଭାଇ ଅସରଫ ଓ ଅନ୍ୟ ୬ ଜଣଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରି ପାରିନଥିଲା ପୋଲିସ। ଉମେଶ ପାଲ୍ ମାମଲା ଏଇଠି ସରିନଥିଲା। ଅତିକ୍ ଜେଲରେ ଥିବାବେଳେ ଗତ ଫେବ୍ରୁଆରି ୨୪ ତାରିଖରେ ଅତିକର ପୁଅ ଅସାଦ ଓ ତା’ର ଲୋକମାନେ ଉମେଶ ପାଲଙ୍କୁ ବୋମା ପକାଇ ହତ୍ୟା କରିଥିଲେ।

ମିଟି ମେ ମିଲାଦେଙ୍ଗେ’

ଉତ୍ତରପ୍ରଦେଶରେ ଯୋଗୀ ସରକାର ଆସିବା ପରେ ପୋଲିସ ପ୍ରଶାସନ ଅତିକ ଓ ତା’ର ଅପରାଧ ସାମ୍ରାଜ୍ୟର ଅନ୍ତ ଘଟାଇବା ପାଇଁ ପୂରା ଲାଗି ପଡ଼ିଥିଲା। ଅତିକର ବେଆଇନ ସମ୍ପତ୍ତି ଜବତ କରାଯିବା ସହ ଅନେକ ବେଆଇନ ନିର୍ମାଣ ଉପରେ ବୁଲ୍‌ଡୋଜର ଚଲାଇଥିଲେ ଯୋଗୀ ସରକାର। ଖାଲି ସେତିକି ନୁହେଁ, ଆତିକର ନାଁ ନନେଇ ବିଧାନସଭାରେ ଯୋଗୀ କହିଥିଲେ ମାଫିଆମାନଙ୍କୁ ମାଟିରେ ମିଶାଇ ଦେବେ। ଅତିକର ଗ୍ୟାଙ୍ଗ ସଦସ୍ୟମାନେ ପୋଲିସ ନଜରରେ ରହିବା ସହ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା।

ବାପା ଯେମିତି, ପୁଅ ବି ସେମିତି

ବାପା ଭଳି ପୁଅ ଅସାଦ ବି ସମାନ ରାସ୍ତାରେ ଚାଲିଥିଲା। ହତ୍ୟା, ଅପହରଣ, ଧମକ, ଟଙ୍କା ଅସୁଲି ଭଳି ଗୁଣ ସେ ଉତ୍ତରାଧିକାର ସୂତ୍ରରେ ପାଇଥିଲା। ବାପା ବିରୋଧରେ ସାକ୍ଷୀ ଦେଉଥିବା ରାଜୁ ପାଲ ହତ୍ୟା ମାମଲାର ସାକ୍ଷୀ ଉମେଶ ପାଲଙ୍କୁ ରାସ୍ତାରୁ ହଟାଇବା ପାଇଁ ଅତିକ ଜେଲ୍‌ରୁ ଯୋଜନା କରିଥିଲା। ଏହାକୁ ରୂପ ଦେଇଥିଲା ଅତିକର ପୁଅ ଅସାଦ ଓ ତା’ର ସହଯୋଗୀ। ଉମେଶଙ୍କ ଘର ସାମ୍ନାରେ ହିଁ ବୋମା ପକାଇ ହତ୍ୟା କରିଥିଲେ। ଏଥିରେ ଜଣେ ପୋଲିସ ସୁରକ୍ଷାକର୍ମୀଙ୍କ ସହ ଅନ୍ୟ ଜଣେ ବି ପ୍ରାଣ ହରାଇଥିଲା।

ପ୍ରୟାଗରାଜରେ ଅପେକ୍ଷା କରିଥିଲା ମୃତ୍ୟୁ

ଉତ୍ତରପ୍ରଦେଶରେ ଜେଲ୍‌ରେ ଥିବାବେଳେ ଗଣ୍ଡଗୋଳ ଯୋଗୁ ୨୦୧୯ ମସିହାରେ ଅତିକକୁ ଗୁଜରାଟ ସାବରମତୀ ଜେଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଉମେଶ ପାଲ୍ ହତ୍ୟା ମାମଲାରେ ପଚରାଉଚରା ପାଇଁ ତାକୁ ସେଠାରୁ ପୁଣି ପ୍ରୟାଗରାଜ ଜେଲ୍‌ ଅଣାଯାଇଥିଲା। ଅତିକ ପ୍ରୟାଗରାଜ ଆସି ସାରିଥିଲା। ଅନ୍ୟପଟେ ଅପରାଧୀମାନେ ଅତିକକୁ ହତ୍ୟା କରିବା ପାଇଁ ଯୋଜନା କରି ସୁଯୋଗକୁ ଅପେକ୍ଷା କରିଥିଲେ।

ପଏଣ୍ଟ ବ୍ଲାଙ୍କରୁ ଗୁଳି

ଉମେଶ ପାଲଙ୍କୁ ହତ୍ୟା କରିବା ପରେ ତା’ର ଦବଦବା ପୁଣି ବଢ଼ିବ ବୋଲି ଭାବିଥିବା ଅତିକର ପୁଅ ଅସାଦକୁ ପୋଲିସ ଦିନ ରାତି ଖୋଜୁଥିଲା। ପୋଲିସ ନଜରରୁ ଲୁଚିଲୁଚି ବୁଲୁଥିବା ବେଳେ ଗତ ଏପ୍ରିଲ ୧୩ ତାରିଖ ଦିନ ପୋଲିସ ଏନ୍‌କାଉଣ୍ଟରରେ ଅସାଦର ମୃତ୍ୟୁ ହୋଇଥିଲା। ଠିକ୍ ଦୁଇ ଦିନ ପରେ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଉ ଥିବାବେଳେ ୩ ଜଣ ସାମ୍ବାଦିକ ବେଶରେ ଆସି ପଏଣ୍ଟ ବ୍ଲାଙ୍କରେ ଦୁଇ ଭାଇ ଅତିକ ଓ ଅସରଫଙ୍କୁ ହତ୍ୟା କରିଦେଇଥିଲେ।

ଗଣତନ୍ତ୍ରରେ ଅପରାଧତନ୍ତ୍ର

ଅତିକର ହତ୍ୟାକାରୀମାନଙ୍କୁ ଗିରଫ କରାଯାଇ ସାରିଛି। ଏଥିରେ ଜେରା ହେବ, ସାକ୍ଷୀ ପ୍ରମାଣ ଯୋଡ଼ା ହେବ ଏବଂ କୋର୍ଟରେ ବିଚାର ହେବ। କିନ୍ତୁ ଗଣତନ୍ତ୍ରରେ ଅପରାଧତନ୍ତ୍ରର ଦବଦବା ସବୁଦିନ ପାଇଁ ଉତ୍ତରପ୍ରଦେଶକୁ କଳଙ୍କିତ କରିବ। ଏବେ ଉତ୍ତରପ୍ରଦେଶ ପୋଲିସ ଅପରାଧ ସାମ୍ରାଜ୍ୟ ମାଟିରେ ମିଶାଇବା ପାଇଁ ଉଦ୍ୟମ ଚଳାଇଥିବା ଦାବି କରୁଛନ୍ତି। ଠିକ୍ ଏହି ସମୟରେ ୩ ଜଣ ଯୁବକ ପୋଲିସର ସୁରକ୍ଷାକୁ ଚ୍ୟାଲେଞ୍ଜ କରି ସମସ୍ତଙ୍କ ଆଗରେ ଦୁଇ ଅଭିଯୁକ୍ତଙ୍କୁ ହତ୍ୟା କରିବା ଉତ୍ତରପ୍ରଦେଶର ଅପରାଧତନ୍ତ୍ରକୁ ପଦାରେ ପକାଇଦେଇଛି।

Tags: #AtifAhmed #Gangstar #Politics #AtifAhmedMurder

Comment