ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ସରକାର ରାଜ୍ୟରେ ମୋଟର ଏଗ୍ରିଗେଟର ନିୟମ ଲାଗୁ କରିଛନ୍ତି। ରାଜ୍ୟରେ ଅନଲାଇନ ଯାତ୍ରୀ ପରିବହନ ସେବାକୁ ସୁରକ୍ଷିତ ଓ ସୁଗମ କରିବା ପାଇଁ ଏହି ନିୟମ ଲାଗୁ କରାଯାଇଛି। ଆପ୍ ବେସଡ ଯାତ୍ରୀ ପରିବହନ ସେବା ଯୋଗାଉଥିବା ଓଲା, ଉବର ଓ ରାପିଡୋ ଭଳି କମ୍ପାନି ଏହି ନିୟମର ଅନ୍ତର୍ଭୁକ୍ତ ହେବେ। ଏନେଇ ରବିବାର ଦିନ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଓଡ଼ିଶା ଅନ ଡିମାଣ୍ଡ ଟ୍ରାନ୍ସପୋର୍ଟେସନ ଏଗ୍ରିଗେଟର ନିୟମର ଗାଇଡଲାଇନ ଜାରି ହୋଇଛି।
“ରାଜ୍ୟରେ ଆପ୍ ଆଧାରିତ କମ୍ପାନିଗୁଡ଼ିକର ପରିବହନ ସେବାକୁ ନିୟନ୍ତ୍ରଣ କରିବା ପାଇଁ ଆମେ ଏହି ନୂଆ ନିୟମ ଲାଗୁ କରିଛୁ। ଏଥିରେ ଯାତ୍ରୀମାନଙ୍କ ଅଭିଯୋଗର ସମାଧାନ ଏବଂ ଯାନବାହାନ ଚଳାଉଥିବା ଡ୍ରାଇଭରଙ୍କ ପାଇଁ ବିଭିନ୍ନ ନିୟମାବଳୀ ଉଲ୍ଲେଖ ରହିଛି। ଏଠାରେ ଆମେ ସୁରକ୍ଷିତ ଯାତ୍ରା ତଥା ଯାତ୍ରୀମାନଙ୍କ ସୁରକ୍ଷାକୁ ଅଧିକ ପ୍ରାଥମିକତା ଦେଇଛୁ”, କହିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷର ଯୁଗ୍ମ କମିଶନର ଦୀପ୍ତି ରଞ୍ଜନ ପାତ୍ର।
ଏହି ନୂଆ ନିୟମ ଅନୁସାରେ ଆପ୍ ଆଧାରିତ ପରିବହନ ସେବା କମ୍ପାନିମାନେ ବ୍ୟବହାର କରୁଥିବା ଗାଡ଼ିଗୁଡ଼ିକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ (ଏସଟିଏ) ନିକଟରେ ପଞ୍ଜିକୃତ ହେବ। ଏଥିସହ କମ୍ପାନିକୁ ମଧ୍ୟ ଏସଟିଏ ଅଧୀନରେ ପଞ୍ଜିକରଣ କରିବାକୁ ପଡିବ। ବିନା ପଞ୍ଜିକରଣରେ ଏହି ସଂସ୍ଥା ଗୁଡ଼ିକ କୌଣସି ଯାତ୍ରୀ ପରିବହନ କରିପାରିବେ ନାହଁ।
ମୋଟର ଏଗ୍ରିଗେଟର ଗାଇଡଲାଇନ ଅନୁସାରେ କୌଣସି ଅପରାଧରେ ଜଡ଼ିତ ବ୍ୟକ୍ତିଙ୍କୁ ଗାଡ଼ି ଚଳାଇବା ପାଇଁ କମ୍ପାନି ରଖିପାରିବେ ନାହିଁ। ଏଥିରେ ଟ୍ରାଫିକ ନିୟମ ଉଲଂଘନକାରୀ, ଠକେଇ, ଯୌନ ନିର୍ଯ୍ୟାତନା ଓ ହିଂସାକାଣ୍ଡ ଭଳି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ଗାଡ଼ି ଚଳାଇବାକୁ ଅନୁମତି ମିଳିବ ନାହିଁ। କୌଣସି ବ୍ୟକ୍ତିକୁ ଡ୍ରାଇଭର ନିଯୁକ୍ତି ଦେବା ପୂର୍ବରୁ କମ୍ପାନି ସେମାନଙ୍କ ପୋଲିସ ରେକର୍ଡ ଯାଞ୍ଚ କରିବେ।
ପରିବହନ ସେବା ଯୋଗାଉଥିବା ଆପ୍ ଆଧାରିତ କମ୍ପାନି ନିଜର ଚାଳକ ଏବଂ ଯାତ୍ରୀମାନଙ୍କର ବିବରଣୀ ଅତିକମରେ ଏକ ବର୍ଷ ପାଇଁ ସଂରକ୍ଷିତ କରି ରଖିବେ। ପ୍ରଶାସନକୁ କୌଣସି ତଦନ୍ତ କିମ୍ବା ଅନୁସନ୍ଧାନ ପାଇଁ ଏହି ତଥ୍ୟର ଆବଶ୍ୟକତା ପଡ଼ିଲେ କମ୍ପାନି ଏଗୁଡ଼ିକୁ ଯୋଗାଇବେ। ସେହିପରି ଆପ୍ ଆଧାରିତ ଗାଡ଼ିରେ ଜିପିଏସ୍ ଲାଗିବା ବାଧ୍ୟତାମୂଳକ। ସେହିପରି ପ୍ରତି ଗାଡ଼ିରେ ଯାତ୍ରୀଙ୍କ ପାଇଁ ଏକ ପାନିକ୍ ବଟନ ରହିବ। ଯାହାକୁ ସେମାନେ କୌଣସି ଅସୁବିଧା ସମୟରେ ବ୍ୟବହାର କରି ପୋଲିସକୁ ସତର୍କ କରାଇବେ।
ଏହି ନିୟମ ଅନୁଯାୟୀ ପ୍ରତି ଗାଡ଼ିରେ ଡ୍ରାଇଭରର ବ୍ୟକ୍ତିଗତ ସୂଚନା ଥିବା ଏକ ଫଳକ ଲାଗିବ। ଏଥିରେ ତାଙ୍କ ନାଁ, ଫଟୋ, ଫୋନ୍ ନମ୍ବର, ଡ୍ରାଇଭିଂ ଲାଇସେନ୍ସ ନମ୍ବର, ପୋଲିସ ପକ୍ଷରୁ ଜାରି ପରିଚୟପତ୍ର ଆଦି ରହିବ। କମ୍ପାନିମାନେ ନିଜ ଚାଳକମାନଙ୍କ ପାଇଁ ପ୍ରତିବର୍ଷ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରଖିବେ। ଏଥିରେ ସେମାନଙ୍କୁ ସୁରକ୍ଷିତ ଗାଡ଼ି ଚାଳନା, ଯାତ୍ରୀ ତଥା ମହିଳାମାନଙ୍କୁ ଉତ୍ତମ ବ୍ୟବହାର କରିବା ଲାଗି ପ୍ରଶିକ୍ଷଣ ଦିଆଯିବ।
ଭାରତରେ ଯାତ୍ରୀ ପରିବହନ କ୍ଷେତ୍ରରେ ଏହି ମୋଟର ଏଗ୍ରିଗେଟର ନିୟମ ଲାଗୁ କରିବାରେ ଓଡ଼ିଶା ଷଷ୍ଠ ରାଜ୍ୟ। ଏହାପୂର୍ବରୁ କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ, ତାମିଲନାଡୁ ଓ ଦିଲ୍ଲୀ ଭଳି ରାଜ୍ୟରେ ଏହି ନିୟମ କାର୍ଯ୍ୟକାରୀ ହୋଇଛି।
Tags: #MotorAggregatorLaw #AppbasedTransportCompany #Regulation #Odisha


















