ଓଡ଼ିଶାଲାଇଭ୍ ବ୍ୟୁରୋ

ମେ’ ମାସ ତାରିଖ ଆଜିର ଦିନରେ ଓଡ଼ିଶାକୁ ଛାରଖାର କରିଥିଲା ବାତ୍ୟା ଫନି’ ଏହି ଘଟଣାକୁ ୪ ବର୍ଷ ପୂରିଛି, ହେଲେ ଆଜି ବି ଫନି ପ୍ରଭାବିତଙ୍କ ମନରୁ ଡର ଯାଇନି

ମେ’ ମାସ ୩ ତାରିଖ ୨୦୧୯, ଓଡ଼ିଶା ଆକାଶରେ ଘୋଟି ଯାଇଥିଲା ଘନ ଅନ୍ଧକାର। ବାତ୍ୟା ଫନିର କରାଳ ଗର୍ଭରେ ଛାରଖାର ହୋଇଯାଇଥିଲା ଓଡ଼ିଶାର ପ୍ରମୁଖ ଜିଲ୍ଲା। ଆଜି ଏହି ଘଟଣାକୁ ପୂରି ୪ ବର୍ଷ ପୂରିଛି। ହେଲେ ଆଜି ବି ସମସ୍ତଙ୍କ ମନରେ ବାତ୍ୟା ଫନିର ସ୍ମୃତି ତାଜା ହୋଇ ରହିଛି। ଏବେ ବି ବାତ୍ୟାର ନାଁ ଶୁଣିଲେ ଲୋକଙ୍କ ଆଖିକୁ ଫନିର ସେହି ଭୟାବହ ଚିତ୍ର ଚାଲିଆସୁଛି। ଘୁ ଘୁ ପବନ ସାଙ୍ଗକୁ ଛାତି ଥରାଇ ଦେବା ଭଳି ଗର୍ଜନ। ଯେଉଁଆଡ଼େ ଦେଖିବ ଧ୍ୱଂସର ତାଣ୍ଡବ ଲୀଳା ଚଲାଇଥିଲା ବାତ୍ୟା ଫନି। ଯେଉଁ ଲୋକମାନେ ଏହି ବାତ୍ୟାର ଶିକାର ହେବା ସହ ଏହାର କରାଳ ରୂପକୁ ପାଖରୁ ଦେଖିଥିଲେ ସେମାନଙ୍କ ମନରୁ ଏହା କେବେ ବି ପାସୋର ଯିବନି।

୨୦୧୯ ମସିହାକୁ ମାତ୍ର ଚାରି ମାସ ବିତିଥାଏ। ହେଲେ ହଠାତ୍ ଖବର ଆସିଲା ଓଡ଼ିଶାକୁ ବାତ୍ୟା ଆସୁଛି। ଗଣମାଧ୍ୟମରେ ସାଙ୍ଗେ ସାଙ୍ଗେ ଖବର ପ୍ରକାଶ ପାଇଲା। ଲୋକମାନଙ୍କୁ ସଚେତନ କରାଗଲା ଯେ, ସେମାନେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯାଆନ୍ତୁ। ପ୍ରଶାସନଠାରୁ ଆରମ୍ଭ କରି ସମାଜସେବୀ ସଙ୍ଗଠନ ପର୍ଯ୍ୟନ୍ତ ସମସ୍ତେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରୟାସ ଆରମ୍ଭ କରିଦେଇଥିଲେ।

 

ମେ’ ୩ ତାରିଖ ସକାଳୁ ସକାଳୁ ଚନ୍ଦ୍ରଭାଗା ଉପକୂଳ ବାଲୁଖଣ୍ଡ ଅଭୟାରଣ୍ୟ ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ଫନି। ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ପୁରୀ ଜିଲ୍ଲା ସହ ରାଜଧାନୀ ଭୁବନେଶ୍ୱର ଓ କେନ୍ଦ୍ରପଡ଼ାରେ ଆରମ୍ଭ ହୋଇଯାଇଥିଲା ଆଖିବୁଜା ପବନ। ଏପରିକି ଲୋକମାନେ ରାସ୍ତାରେ ସିଧା ହୋଇ ଠିଆ ହୋଇପାରୁନଥିଲେ। ବାସ୍, ଲ୍ୟାଣ୍ଡଫଲ୍ କରିବା ପରେ ସତେ ଯେମିତି ସବୁକିଛି ଓଲଟ ପାଲଟ ହୋଇଗଲା। ଲୋକମାନଙ୍କ ରହିବା ଜାଗା ମିଶନ କେଉଁଟା? ପଶୁମାନଙ୍କ ରହିବା ଜାଗା କେଉଁଟା? ଜାଣିବା ବଡ଼ ମୁସ୍କିଲ ହୋଇଯାଇଥିଲା।

ଫନି ବାତ୍ୟାର ପବନ ଏତେ ଅଧିକ ଥିଲା ଯେ, ଛପର ଘରର ଚାଳ କ’ଣ ଆଜବେଷ୍ଟସ ଘରର ଛାତ ମଧ୍ୟ ତା ଆଗରୁ ବର୍ତ୍ତି ପାରିନଥିଲା। ବିଶେଷ କରି ଭୁବନେଶ୍ୱର, ପୁରୀ ଓ କେନ୍ଦ୍ରପଡ଼ା ଜିଲ୍ଲାରେ ଫନି ନିଜର ଧ୍ୱଂସଲୀଳା ମଚାଇଥିଲା। ବଡ଼ ବଡ଼ ଦ୍ରୁମ ମଧ୍ୟ ଏହା ଆଗରେ ହାର ମାନି ଉପାଡ଼ି ହୋଇପଡ଼ିଥିଲେ। ଜନଜୀବନ ବଞ୍ଚିବା ପାଇଁ ହା ହା କାର ହୋଇଥିଲେ।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସ୍ଥିତି ବେଶ୍ ଖରାପ ଥିଲା। ଯୁଆଡ଼େ ଦେଖିଲେ କେବଳ ରାସ୍ତା ଉପରେ ଭଙ୍ଗା ଗଛ ପଡ଼ିଥିବାରୁ ଦେଖିବାକୁ ମିଳୁଥିଲା। ଲାଇନ୍ କଟିବା ସାଙ୍ଗକୁ ଫୋନ୍ କରିବା ମଧ୍ୟ ମୁସ୍କିଲ ହୋଇଯାଇଥିଲା। ସତେ ଯେମିତି ରାଜଧାନୀ ଭୁବନେଶ୍ୱର ୫୦ ବର୍ଷ ପଛକୁ ଚାଲିଯାଇଛି ଭଳି ଅନୁଭବ ହେଉଥିଲା। ପୁରୀର କଥା କହିବା ମଧ୍ୟ ତା’ଠାରୁ ଅଧିକ ଖରାପ। ପୁରୀର ଯେଉଁ ନଡ଼ିଆ ଗଛକୁ ଦେଖିବ ତାହା ଗୋଟିଏ ମୁହାଁ ହୋଇ ଠିଆ ହୋଇଥିଲା। ଚାଳ ଘରଠାରୁ ଆରମ୍ଭ କରି ଆଜବେଷ୍ଟସ ଘର ସବୁକିଛି ମାଟିରେ ମିଶିଯାଇଥିଲା।

ପୁରୀ, ଭୁବନେଶ୍ୱରରେ ଲୋକମାନେ ମାସେରୁ ଅଧିକ ସମୟ ଧରି ଅନ୍ଧାରରେ ରହିଲେ। ଲାଇନ୍ ଆଣିବାକୁ ସରକାର ରାଜ୍ୟ ବାହାରୁ କାରିଗର ଆଣିଥିଲେ ମଧ୍ୟ ସ୍ଥିତି ସୁଧାରିବାକୁ ଏତେ ସମୟ ଲାଗିଯାଇଥିଲା। ଏନଡିଆରଏଫ୍ ଟିମ୍ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଦଳ ସମସ୍ତେ ସ୍ଥିତି ସୁଧାରିବାକୁ ପ୍ରଶାସନ ସହ ହାତ ମିଶାଇଥିଲେ। ଲୋକମାନେ ମଧ୍ୟ ନିଜ ତରଫରୁ ଅନେକ ଚେଷ୍ଟା ଜାରି ରଖିଥିଲେ।

୧୯୯୯ ମସିହାର ମହାବାତ୍ୟା ପରେ ଲୋକମାନେ ହୁଡହୁଡ, ତିତିଲି ଭଳି ବାତ୍ୟାକୁ ଦେଖିଥିଲେ। ତେବେ ଫନି ସମସ୍ତଙ୍କ ପାଇଁ ଦୁଃଖ ନେଇ ଆସିଥିଲା। ପୂର୍ବ ବାତ୍ୟାମାନଙ୍କର ତୁଳନାରେ ଏହାର ଭୟାବହତା ଯଥେଷ୍ଟ ଅଧିକ ଥିଲା ବୋଲି ଲୋକମାନେ କହିଥିଲେ। ୧୯୯୯ ମସିହାର ମହାବାତ୍ୟା ପରେ ଏହା ଓଡ଼ିଶା ଇତିହାସରେ ଆଉ ଏକ ବଡ଼ ବାତ୍ୟା ଭାବେ ପରିଚିତ ହୋଇଛି। ବିଂଶ ଶତାବ୍ଦୀ ପରେ ଜନ୍ମ ନେଇଥିବା ପିଲାମାନଙ୍କ ପାଇଁ ଏହା ସବୁଠାରୁ ଭିନ୍ନ ଥିଲା। କାରଣ ୧୯୯୯ମସିହାର ମହାବାତ୍ୟାକୁ ସେମାନେ ଦେଖିନଥିଲେ। ଏହି ବାତ୍ୟା ସେମାନଙ୍କ ପାଇଁ ବହୁତ କିଛି ଅନୁଭୂତି ଦେଇଥିଲା।

Tags: #Cyclone #CycloneFani #FaniDestroy #Odisha

LEAVE A REPLY

Please enter your comment!
Please enter your name here