ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପୂର୍ବରୁ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ସୋମବାର ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହି ଲଘୁଚାପଟି ମଙ୍ଗଳବାର ଦିନ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ତେବେ ବାତ୍ୟା ହେଲେ ଓଡ଼ିଶା ଉପରେ ଏହାର ପ୍ରଭାବ କ’ଣ ରହିବ ସେନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ।

ବାତ୍ୟା ନେଇ ଏ ଯାଏଁ କୌଣସି ସତର୍କ ସୂଚନା ଜରି କରାଯାଇ ନାହିଁ। ଅନ୍ୟପଟେ ଏହା ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ବାତ୍ୟା ସୃଷ୍ଟି ହେବାପରେ ଏହା ବଙ୍ଗୋପସାଗରର ମଧ୍ୟ ଭାଗକୁ ଗତି କରିବ। ଏହାପରେ ମେ’ ୧୧ ତାରିଖ ବେଳକୁ ଏହା ବାଂଲାଦେଶ ଓ ମିଆଁମାର ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ବାତ୍ୟାର ରୂପ ନେବା ପରେ ଏହାର ନାମ ‘ମୋଚା’ ରଖାଯିବ।

ଏହାପୂର୍ବରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ଶନିବାର ଦିନ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା। ତେବେ ଆଗକୁ ବାତ୍ୟା ସମ୍ବନ୍ଧୀୟ ଅଧିକ ସୂଚନା ପାଣିପାଗ ବିଭାଗ ପକ୍ଷରୁ ଦିଆଯିବ।

Tags: #WeatherUpdates #LowPressure #BayofBengal #CycloneAlert #IMD

LEAVE A REPLY

Please enter your comment!
Please enter your name here