ଓଡ଼ିଶାଲାଇଭ୍ ବ୍ୟୁରୋ

- ଓଡ଼ିଶା ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ୧୧୭ତମ ବୈଠକ
- ବୈଠକରେ ୨୮୪୦ କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
- ରାଜ୍ୟରେ ୩୭୨୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଲକ୍ଷ୍ୟ
ଓଡ଼ିଶା ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ୧୧୭ତମ ବୈଠକ ଭୁବନେଶ୍ଵର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ବସିଥିବା ଏହି ବୈଠକରେ ୨୮୪୦ କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।
ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଏସଡବ୍ଲ୍ୟୁସିଏ) ସୋମବାର ମଞ୍ଜୁର କରିଥିବା ଶିଳ୍ପ ପ୍ରକଳ୍ପରୁ ୩୭୨୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ରେ ଅଂଶଗ୍ରହଣ କରି ରାଜ୍ୟରେ ପୁଞ୍ଜିନିବେଶ ପ୍ରସ୍ତାବ ଦେଇଥିବା ୯ଟି କମ୍ପାନୀର ପ୍ରକଳ୍ପ ଏଥିରେ ଅନ୍ତର୍ଭୁକ୍ତ ରହିଛି।
ଅନୁମୋଦିତ ହୋଇଥିବା ଶିଳ୍ପଗୁଡ଼ିକ ମଧ୍ୟରେ ଇସ୍ପାତ, ଆଲୁମିନିୟମ, ରାସାୟନିକ ଓ ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ଏବଂ ଅକ୍ଷୟ ଶକ୍ତି ଭଳି ବିଭିନ୍ନ କ୍ଷେତ୍ରର ପ୍ରକଳ୍ପ ସାମିଲ ଅଛି। ବଲାଙ୍ଗୀର, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ମୟୂରଭଞ୍ଜ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ପ୍ରକଳ୍ପଗୁଡ଼ିକ ପ୍ରତିଷ୍ଠା କରାଯିବ।
ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ବୈଠକରେ ୮୯୭ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆର.ସି.ଆର ଷ୍ଟିଲ ୱାର୍କସ ପ୍ରାଇଭେଟ ଲିମିଟେଡର ପ୍ରସ୍ତାବକୁ ଅନୁମୋଦନ କରିଛି। ଏହାଦ୍ଵାରା କମ୍ପାନି ମୟୂରଭଞ୍ଜର ଜାମଦାଠାରେ ଏକ ଇସ୍ପାତ କାରଖାନା ସ୍ଥାପନ କରିବ। ଏଥିରୁ ପ୍ରାୟ ୭୫୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଲକ୍ଷ୍ୟ ରଖାଯାଇଛି।
ସେହିପରି ରାୟଗଡ଼ା ଜିଲ୍ଲାରେ ଉତ୍କଳ ଆଲୁମିନା ଇଣ୍ଟରନାସନାଲ ଲିମିଟେଡ୍ ଏବଂ ସମ୍ବଲପୁରର ଲାପଙ୍ଗାସ୍ଥିତ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ସମ୍ପ୍ରସାରଣ ପ୍ରସ୍ତାବକୁ କମିଟି ଅନୁମୋଦନ କରିଛି। ଏଥିରେ ପ୍ରାୟ ୧୦୦୦ କୋଟି ଟଙ୍କା ନିବେଶ କରିବାକୁ କମ୍ପାନି ତରଫରୁ ପ୍ରତିଶ୍ରୁତି ଦିଆଯାଇଛି।
ଅନ୍ୟପଟେ ପର୍ଯ୍ୟଟନ କ୍ଷେତ୍ରରେ ମହିନ୍ଦ୍ରା ହଲିଡେଜ୍ ଆଣ୍ଡ ରିସର୍ଟସ୍ ଇଣ୍ଡିଆ ଲିମିଟେଡକୁ ଚିଲିକା ହ୍ରଦର ସୋମାଲୋ ଦ୍ୱୀପରେ ରିସୋର୍ଟ ପ୍ରତିଷ୍ଠା ପାଇଁ ଅନୁମତି ମିଳିଛି। ଏଥିପାଇଁ କମ୍ପାନି ୨୨୮ କୋଟି ଟଙ୍କା ବିନିଯୋଗ କରିବ। ଅନ୍ୟପଟେ ରସାୟନ କ୍ଷେତ୍ରରେ ଆୟନ ଏକ୍ସଚେଞ୍ଜ (ଇଣ୍ଡିଆ) ଲିମିଟେଡର ୩୦୩ କୋଟି ଟଙ୍କାର ନିବେଶକୁ ଅନୁମୋଦନ ମିଳିଛି। ଏଥିରେ କମ୍ପାନି ପାରାଦୀପରେ ଜଳ ବିଶୋଧନ କେମିକାଲ୍ ଏବଂ ମନୋମର୍ ଓ ପଲିମର୍ସ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛି।
ଏହି ବୈଠକରେ ବୟନ ଓ ପୋଷାକ କ୍ଷେତ୍ରରେ ଇଣ୍ଡିଆନ୍ ଷ୍ଟିଚେସ ପ୍ରାଇଭେଟ୍ ଲିମିଟେଡର ୧୦୦ କୋଟି ଟଙ୍କା ନିବେଶରେ ଏକ ଫେବ୍ରିକ୍ ପ୍ରୋସେସିଂ ପ୍ଲାଣ୍ଟର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ତାଜ୍ ସାଟସ୍ ଲିମିଟେଡର ପ୍ରସ୍ତାବିତ ଫୁଡ୍ ପ୍ରୋସେସିଂ ଓ ପ୍ୟାକେଜିଂ ୟୁନିଟ୍ ସ୍ଥାପନ ପାଇଁ ମଞ୍ଜୁରୀ ମିଳିଛି।
Tags: #OdishaSingleWindowClearanceAuthority #SLSWCA #IndustrialProjects #Odisha



















