ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଏସସିବି ମେଡିକାଲରେ ଖୋଲିବ ଓଡ଼ିଶାର ପ୍ରଥମ ବୋନ (ଅସ୍ତି) ବ୍ୟାଙ୍କ। ଏଥିଲାଗି ଏସସିବି ମେଡିକାଲର ଅସ୍ତି ଶଲ୍ୟ (ଅର୍ଥପେଡିକ) ବିଭାଗରେ ସମସ୍ତ ଭିତ୍ତିଭୂମିର ନିର୍ମାଣ ସରିଛି। ଏବେ କେବଳ ଅସ୍ତି ରଖିବା ଲାଗି ଆବଶ୍ୟକ ଥିବା ମେସିନର ଟେଣ୍ଡର ଡକାଯାଇଛି। ଯାହାକି ମେ’ ମାସ ୨୯ ତାରିଖରେ ଖୋଲାଯିବ। ଏନେଇ ଏସସିବି ମେଡିକାଲ ଅର୍ଥପେଡିକ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।
“ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ବୋନ ବ୍ୟାଙ୍କ ସୁବିଧା ଉପଲବ୍ଧ ନାହିଁ। ସେଥିଲାଗି କୌଣସି ବ୍ୟବହାର ଉପଯୋଗୀ ହାଡ଼କୁ ରଖାଯାଇପାରୁ ନାହିଁ। ଖୁବ୍ଶୀଘ୍ର ଏସସିବିରେ ବୋନ ବ୍ୟାଙ୍କ ପ୍ରତିଷ୍ଠା କରାଯିବ। ଏଥିରେ ଅନେକ ଦିନ ପର୍ଯ୍ୟନ୍ତ ହାଡ଼ଗୁଡିକୁ ମହଜୁଦ ରଖାଯାଇପାରିବ। ଆବଶ୍ୟକତା ଅନୁସାରେ ଏଗୁଡ଼ିକୁ ଅନ୍ୟ ଲୋକଙ୍କଠାରେ ପ୍ରତିରୋପଣ କରାଯାଇପାରିବ”, କହିଛନ୍ତି ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ର।
ଏସସିବି ମେଡିକାଲର ଅର୍ଥପେଡିକ ବିଭାଗରେ ବୋନ ବ୍ୟାଙ୍କ ପାଇଁ ଦୁଇଟି ଗୃହ ନିର୍ମାଣ କରାଯାଇଛି। ଏଥିରେ ହାଡ଼କୁ ରଖିବା ପାଇଁ ଡିପ ଫ୍ରିଜର, ‘ଲୌପହାଇଲାଇଜର’ ମେସିନ ଓ ଅନ୍ୟାନ୍ୟ ଉପକରଣ ରହିବ। ଏଠାରେ ମହଜୁଦ ଥିବା ହାଡ଼କୁ ବୋନ କ୍ୟାନସର ଓ ଅନ୍ୟାନ୍ୟ ହାଡ଼ ଜନିତ ରୋଗରେ ପୀଡ଼ିତ ଥିବା ରୋଗୀଙ୍କଠାରେ ଲଗାଯାଇପାରିବ।
ବର୍ତ୍ତମାନ ସମୟରେ ଦୁର୍ଘଟଣା ହେଉ ବା ଅନ୍ୟ କିଛି କାରଣ ପାଇଁ ହାଡ଼ ନଷ୍ଟ ହେଉଥିଲେ ଅସ୍ତ୍ରୋପଚାର ସମୟରେ ସେହି ହାଡ଼କୁ କାଟି ଫିଙ୍ଗି ଦିଆଯାଉଥିଲା। ଏହା ଆଉ କୌଣସି ବ୍ୟବହାରରେ ଅସୁନଥିଲା। ହାଡ଼କୁ ସରଂକ୍ଷିତ ରଖା ନଯିବା ଫଳରେ ଅସ୍ତି ପ୍ରତିରୋପଣରେ ଅସୁବିଧା ହେବାର ଦେଖାଯାଏ।
ଏବେ ବୋନ ବ୍ୟାଙ୍କ ସ୍ଥାପନ ହେଲେ ହାଡ଼ ନଷ୍ଟ ହେବ ନାହିଁ। ଏହାକୁ ସଂରକ୍ଷିତ କରି ରଖାଯାଇପାରିବ। ଯାହାକି ପରବର୍ତ୍ତୀ ସମୟରେ ଅନ୍ୟ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯିବ।
୨୦୨୧ ମସିହାରେ ବୋନ ବ୍ୟାଙ୍କ ସ୍ଥାପନ ପାଇଁ ଏସସିବି ମେଡିକାଲ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଏଥିପାଇଁ ରାଜ୍ୟ ସରକାର ଅନୁମତି ମିଳିବା ପରେ ସର୍ଭେ ମଧ୍ୟ କରଯାଇଥିଲା।
Tags: #BoneBank #BoneStorage #BoneReplacement #SCBMedicalCollege #Cuttack
















