ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ ମେ’ ୨୨ ତାରିଖରୁ ଆରମ୍ଭ ହେଉଛି। ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ଏହି ଗ୍ରୀଷ୍ମ ଛୁଟି ଚାଲିବ। ତେବେ ଏହି ଛୁଟି ମଧ୍ୟରେ ୮ ଦିନ ହାଇକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ ବସିବ। ଏହାପରେ ଜୁନ୍ ୨୧ ତାରିଖରେ କୋର୍ଟ ଖୋଲିବ। ଏନେଇ ହାଇକୋର୍ଟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
ମେ’ ମାସ ୨୩, ୨୫, ୩୦ ତାରିଖ ଏବଂ ଜୁନ୍ ୧, ୬, ୮, ୧୨ ଓ ୧୩ ତାରିଖରେ ଓଡ଼ିଶା ହାଇକୋର୍ଟରେ ଅବକାଶକାଳୀନ ଖଣ୍ଡପୀଠ ବସିବ। ଏହି ଖଣ୍ଡପୀଠ ବିଭିନ୍ନ ମାମଲାର ଶୁଣାଣି ହେବ। ଏଥିପାଇଁ ହାଇକୋର୍ଟଙ୍କ ପକ୍ଷରୁ କିଛି ବିଚାରପତିଙ୍କୁ ଦାୟିତ୍ଵ ଦିଆଯାଇଛି।
ହାଇକୋର୍ଟଙ୍କ ବିଜ୍ଞପ୍ତି ଅନୁସାରେ ଜରୁରୀକାଳୀନ ମାମଲାଗୁଡ଼ିକର ଶୁଣାଣି ପାଇଁ ସେଗୁଡିକୁ ଦିନ ୧୧ଟାରୁ ୧୨ ମଧ୍ୟରେ କମ୍ପ୍ୟୁଟର ଫାଇଲିଂ କାଉଣ୍ଟରରେ ଦାୟର କରାଯିବ। ମାମଲାର ଶୁଣାଣି ପାଇଁ ଖଣ୍ଡପୀଠଙ୍କ ନିକଟରେ ତାଲିକାଭୁକ୍ତ କରାଯିବ।
ତେବେ ମେ’ ୨୩ ଓ ୨୫ ତାରିଖରେ ଜଷ୍ଟିସ୍ କେ.ଆର.ମହାପାତ୍ର, ଜଷ୍ଟିସ୍ ଏମ୍.ଏସ୍. ସାହୁ ଦୁଇଜଣିଆ ଖଣ୍ଡପୀଠରେ ବସି ମାମଲାର ସମାଧାନ କରିବେ। ସେହିପରି ଜଷ୍ଟିସ୍ ଭି.ନରସିଂହ, ଜଷ୍ଟିସ୍ ଚିତ୍ତରଂଜନ ଦାଶ ଜଣିକିଆ ଖଣ୍ଡପୀଠରେ ବସି ରାୟ ଶୁଣାଇବେ ବୋଲି ହାଇକୋର୍ଟଙ୍କ ପକ୍ଷରୁ କୁହାଯାଇଛି।
ମେ’ ୩୦ ତାରିଖରେ ଜଷ୍ଟିସ୍ କେ.ଆର.ମହାପାତ୍ର, ଜଷ୍ଟିସ୍ ଏମ୍.ଏସ୍. ସାହୁ ଦୁଇଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି କରିବାକୁ ଥିବାବେଳେ ଜଷ୍ଟିସ୍ ଭି. ନରସିଂହ, ଜଷ୍ଟିସ ଗୌରୀଶଙ୍କର ଶତପଥୀ ଜଣିକିଆ ଖଣ୍ଡପୀଠରେ ବସି ମାମଲା ଶୁଣାଣି କରିବେ।
ଅନ୍ୟପଟେ ଜୁନ ୧ ତାରିଖରେ ଜଷ୍ଟିସ ଏସ.କେ.ସାହୁ ଓ ଜଷ୍ଟିସ ଏମ.ଏସ.ରମଣଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏବଂ ଜଷ୍ଟିସ ବି.ପି.ରାଉତରାୟ ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀ ଜଣିକିଆ ଖଣ୍ଡପୀଠରେ ବସି ବିଚାର କରିବେ।

ଜୁନ ୬ ଓ ୮ ତାରିଖରେ ଜଷ୍ଟିସ ଏମ.ଏସ.ରମଣ ଓ ଜଷ୍ଟିସ ଏସ.କେ.ସାହୁଙ୍କ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ସେହିପରି ଜଷ୍ଟିସ ଶଶିକାନ୍ତ ମିଶ୍ର, ଜଷ୍ଟିସ ବି.ପି.ଶତପଥୀ ଜଣିକିଆ ଖଣ୍ଡପୀଠରେ ମାମଲା ଶୁଣାଣି ହେବ ବୋଲି ହାଇକୋର୍ଟଙ୍କ ବିଜ୍ଞପ୍ତିରେ କୁହାଯାଇଛି।
ଶେଷରେ ଜୁନ ୧୨ ଓ ୧୩ ତାରିଖରେ ଜଷ୍ଟିସ ଶଶିକାନ୍ତ ମିଶ୍ର, ଜଷ୍ଟିସ ଏସ.କେ.ମିଶ୍ରଙ୍କ ଦୁଇ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ଚାଲିବ। ସେହିପରି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ ବି.ପି.ଶତପଥୀ ଜଣିକିଆ ଖଣ୍ଡପୀଠରେ ବସି ମାମଲାଗୁଡ଼ିକର ଶୁଣାଣି କରିବେ।
Tags: #OdishaHighCourt #SummerVacation #HighCourtBench #Odisha


















