ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦଶ ଦିନ ବି ରହିଲାନି ଖୁସି; କେଜ୍ରିଓ୍ଵାଲଙ୍କ ରାସ୍ତାରେ କଣ୍ଟା ସାଜିଲା କେନ୍ଦ୍ର ସରକାରଙ୍କ ଅର୍ଡିନାନ୍ସ।
- କେନ୍ଦ୍ରର ଅର୍ଡିନାନ୍ସ ଦ୍ଵାରା ଦିଲ୍ଲୀ ସରକାରଙ୍କ ପ୍ରଶାସନ ଉପରେ ନିୟନ୍ତ୍ରଣ ହ୍ରାସ
- ପୂର୍ବଭଳି ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ଦେଲା ଅର୍ଡିନାନ୍ସ
- କେଜ୍ରିଓ୍ଵାଲ-ଉପରାଜ୍ୟପାଳ ଲଢ଼େଇ ଆହୁରି ବଢ଼ିବାର ଆଶଙ୍କା
ଦିଲ୍ଲୀ ସରକାରଙ୍କ ପ୍ରଶାସନ ଉପରେ ନିୟନ୍ତ୍ରଣର କ୍ଷମତା ଏକ ଅର୍ଡିନାନ୍ସ ବା ଅଧ୍ୟାଦେଶ ବଳରେ ପୁଣି କେନ୍ଦ୍ର ହାତକୁ ଚାଲିଯାଇଛି। ଏହି ଅର୍ଡିନାନ୍ସ ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ଦେଇଛି, ଯାହା ଆଗାମୀ ଦିନରେ କେଜ୍ରିଓ୍ଵାଲ-ଉପ ରାଜ୍ୟପାଳ ଲଢ଼େଇକୁ ଆହୁରି ଇନ୍ଧନ ଦେବ।
ଜାତୀୟ ରାଜଧାନୀ ଅଞ୍ଚଳ ସରକାର(ସଂଶୋଧିତ) ଅର୍ଡିନାନ୍ସ-୨୦୨୩ ପାଇଁ ପୁଣି ସାଧାରଣରେ ବିତର୍କ ଆରମ୍ଭ ହୋଇଯାଇଛି। ତାହା ହେଉଛି ରାଜ୍ୟରେ ନିର୍ବାଚିତ ସରକାର କ୍ଷମତାଶାଳୀ ନା ପ୍ରଶାସନିକ ଅଧିକାରୀ। ଏହି ଅର୍ଡିନାନ୍ସ ସୁପ୍ରିମକୋର୍ଟ ଦିଲ୍ଲୀର କେଜ୍ରିଓ୍ଵାଲ ସରକାରଙ୍କୁ ପ୍ରଶାସନ ଉପରେ ଦେଇଥିବା ନିୟନ୍ତ୍ରଣକୁ ନିରସ୍ତ୍ର କରିଛି।
କେନ୍ଦ୍ର ସରକାରଙ୍କ ଏ ଅର୍ଡିନାନ୍ସ କିନ୍ତୁ ଦିଲ୍ଲୀର ନିର୍ବାଚିତ ସରକାରଙ୍କ କ୍ଷମତାକୁ ସଂକୁଚିତ କରିଛି। ଏହି ଅର୍ଡିନାନ୍ସ ବଳରେ ଏକ କମିଟି ଗଠନ ହେବ। ସେହି କମିଟି ଗ୍ରୁପ୍ ଏ ଓ ଅନ୍ୟ ଅଧିକାରୀମାନଙ୍କ ବଦଳି ଓ ପୋଷ୍ଟିଂ ସମ୍ପର୍କିତ ନିଷ୍ପତ୍ତି ନେବ। ଯାହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ବିଭିନ୍ନ ରାଜନୈତିକ ଦଳ କହିଛନ୍ତି। କେଜ୍ରିଓ୍ଵାଲ ଏହାକୁ ଗଣତନ୍ତ୍ର ଓ ସମ୍ବିଧାନର ହତ୍ୟା ବୋଲି କହିଛନ୍ତି।
ଅର୍ଡିନାନ୍ସ ଅନୁସାରେ ଗଠନ ହେବାକୁ ଥିବା କମିଟିର ଅଧ୍ୟକ୍ଷ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଏଥିରେ ମୁଖ୍ୟ ସଚିବ ଓ ଗୃହ ବିଭାଗ ପ୍ରମୁଖ ସଚିବ ମଧ୍ୟ ରହିବେ। କେନ୍ଦ୍ର ଦ୍ଵାରା ନିଯୁକ୍ତ ଏହି ଦୁଇ ଅଧିକାରୀ ଚାହିଁଲେ ବଦଳି, କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ନିଷ୍ପତ୍ତିକୁ ରୋକି ଦେଇପାରିବେ। ଏହାକୁ ବିରୋଧ କରିଛି ଆମ ଆଦମୀ ପାର୍ଟି।
ସୁପ୍ରିମକୋର୍ଟ ଏ ଅର୍ଡିନାନ୍ସକୁ ଖାରଜ କରିବାର ସମ୍ଭାବନା ରହିଛି, ତେଣୁ କେନ୍ଦ୍ର ସରକାର ଏବେ ସୁପ୍ରିମକୋର୍ଟଙ୍କ ୬ ସପ୍ତାହ ପାଇଁ ଗ୍ରୀଷ୍ମ ଅବକାଶ ଆରମ୍ଭ ହେବା ପରେ ହିଁ ଏ ଅର୍ଡିନାନ୍ସ ଆଣିଛନ୍ତି ବୋଲି ଆମ ଆଦମୀ ପାର୍ଟି କହିଛି।
ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ କ୍ଷମତା ଦେବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅସହ୍ୟ କରିଛି ବୋଲି ଆମ ଆଦମୀ ପାର୍ଟି ଅଭିଯୋଗ କରିଛି। ସୁପ୍ରିମକୋର୍ଟଙ୍କ ରାୟ କେଜ୍ରିଓ୍ଵାଲ ସରକାରଙ୍କୁ ଦଶଗୁଣ ଅଧିକ ଗତିରେ କାମ କରିବା ପାଇଁ ସୁଯୋଗ ଦେଇଥାନ୍ତା। ଏହା ବିଜେପି ପାଇଁ ଅସୁବିଧା ହୋଇଥାନ୍ତା ବୋଲି ଦଳ ପକ୍ଷରୁ କୁହାଯାଇଛି।
ଅନ୍ୟପଟେ ବିଜେପି ଏହି ଅଧ୍ୟାଦେଶକୁ ସ୍ଵାଗତ କରିଛି। କେଜ୍ରିଓ୍ଵାଲ ମଦ ଦୁର୍ନୀତି ସମେତ ଅନ୍ୟ ଦୁର୍ନୀତିର ତଦନ୍ତକୁ ପ୍ରଭାବିତ କରିବା ପାଇଁ ବହୁ ବଦଳି କରିବାର ସମ୍ଭାବନା ଥିବାରୁ ଏହି ଅର୍ଡିନାନ୍ସ ଅଣାଗଲା। ପରବର୍ତ୍ତୀ ଅଧିବେଶନ ବିଳମ୍ବ ଥିବାରୁ ଅର୍ଡିନାନ୍ସ ଜରିଆରେ ବିଲ୍କୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବିଜେପି ପକ୍ଷରୁ କୁହାଯାଇଛି।
ଅର୍ଡିନାନ୍ସ କ’ଣ?
କୌଣସି ତତ୍କାଳ ସାମ୍ବିଧାନିକ ପଦକ୍ଷେପ ବା ଅନ୍ୟ ନିଷ୍ପତ୍ତି ନେବା ପାଇଁ ଅର୍ଡିନାନ୍ସ ବା ଅଧ୍ୟାଦେଶ ଅନୁମତି ଦେଇଥାଏ। ସଂସଦ ଅଧିବେଶନ ନ ଥିବା ବେଳେ କୌଣସି ନିଷ୍ପତ୍ତି ବା ଆଇନ ପ୍ରଣୟନର ଆବଶ୍ୟକତାକୁ ଅଧ୍ୟାଦେଶ ପୂରଣ କରିଥାଏ। କୌଣସି ଅର୍ଡିନାନ୍ସ ୬ ମାସ ଓ ୬ ସପ୍ତାହ ପାଇଁ ବୈଧ ରହିଥାଏ।
ସମ୍ଭିଧାନର ଧାରା ୧୨୩ ଅନୁସାରେ ଅର୍ଡିନାନ୍ସ ଜାରି କରିବାର କ୍ଷମତା ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କର ରହିଛି। କ୍ୟାବିନେଟର ସୁପାରିସ ଅନୁସାରେ ଏହା ପ୍ରସ୍ତୁତ ହୋଇଥାଏ।
ଆମ ଦେଶରେ ସମ୍ବିଧାନ କାର୍ଯ୍ୟକାରୀ ହେବା ପରଠାରୁ ୬୭୯ ଅର୍ଡିନାନ୍ସ ବା ଅଧ୍ୟାଦେଶ ଆଣିଛନ୍ତି ସରକାର। ଏହା ଭିତରୁ ଅନେକ ଅଧ୍ୟାଦେଶକୁ ନେଇ ବିବାଦ, ତର୍କ ସୃଷ୍ଟି ହୋଇଛି।
ଆଇନ ପ୍ରସ୍ତୁତି ଓ ଏହାକୁ ପାରିତ କରିବାରେ ସଂସଦର ଗୁରୁ ଦାୟିତ୍ଵ। ହଠାତ୍ କୌଣସି ଜରୁରୀ ପଡ଼ିଲେ ତତ୍କାଳ ଆଇନ କାର୍ଯ୍ୟକାରୀ ପାଇଁ ଅଧ୍ୟାଦେଶ ଜରୁରୀ ପଡ଼ିଥାଏ। କିନ୍ତୁ ସମ୍ବିଧାନ ଦେଇଥିବା ଏକ୍ଷମତାର ଅନେକ ବାର ଦୁରୂପଯୋଗ ହୋଇଥାଏ। ସାଂସଦମାନଙ୍କ କ୍ଷମତାକୁ ମଧ୍ୟ ସଂକୁଚିତ କରିଥାଏ।
ଗଣତନ୍ତ୍ରର ପ୍ରଥମ ୩୦ ବର୍ଷ ମଧ୍ୟରେ ବିଲ୍ ଓ ଅର୍ଡିନାନ୍ସ ଅନୁପାତ ୧୦:୨ ଥିଲା। କିନ୍ତୁ ୨୦୧୪ ପରଠାରୁ ଏହି ଅନୁପାତ ୧୦:୩.୫କୁ ବୃଦ୍ଧି ପାଇଛି। ପରିସଂଖ୍ୟାନ ଅନୁସାରେ ଏନ୍ଡିଏ ସରକାର ସମୟରେ ଅର୍ଡିନାନ୍ସ ସଂଖ୍ୟା ବୃଦ୍ଧି ପାଇଛି। ସଂସଦରେ ବିଲ୍ ପାସ୍ କରାଇବା ଅପେକ୍ଷା ଅର୍ଡିନାନ୍ସ ଜରିଆରେ କେନ୍ଦ୍ର ସରକାର ନିଷ୍ପତ୍ତି କାର୍ଯ୍ୟକାରୀ କରାଇଛନ୍ତି।
ଆଇନ ପାଇଁ ଗଳାବାଟର ବହୁଳ ବ୍ୟବହାର
୧୯୯୮ରୁ ୨୦୦୪ ମସିହା ମଧ୍ୟରେ ଏନ୍ଡିଏ ସରକାର ସମୟରେ ବର୍ଷକୁ ପାଖାପାଖି ୧୦ଟି ଅର୍ଡିନାନ୍ସ ଜାରି ହୋଇଛି। ଏହା ପରେ ୟୁପିଏ ସରକାର ସମୟରେ ଏହା ୫କୁ ହ୍ରାସ ପାଇଥିଲା।
୨୦୧୪ରୁ ୨୦୧୯ ମସିହା ମଧ୍ୟରେ ମୋଦୀଙ୍କ ପ୍ରଥମ ପାଳିରେ ବର୍ଷକୁ ଅର୍ଡିନାନ୍ସ ପୁଣି ୧୦କୁ ବୃଦ୍ଧି ପାଇଥିଲା। ଏମିତିକି ୨୦୧୯ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବି ୧୦ଟି ଅର୍ଡିନାନ୍ସ ଜାରି ହୋଇଥିଲା।
ରାଜନୀତି ସମୀକ୍ଷକଙ୍କ ମତ ଅନୁସାରେ ସଂସଦରେ ବିନା ଆଲୋଚନାରେ ଆଇନ ପ୍ରଣୟନ କରିବାର ଗଳାବାଟ ଅଧିକ ବିଜେପି ସରକାରଙ୍କ ସମୟରେ ହୋଇଛି।
ସେମାନଙ୍କ ମତରେ ସଂସଦରେ ତର୍ଜମା, ପୁଣି ସଂଶୋଧନ ପାଇଁ ବିଲ୍ ଫେରିବା, ସଂଶୋଧନ ପରେ ବିଲ୍ ପାରିତ ହେବା ଏକ ଆଇନ ପ୍ରଣୟନର ସୁସ୍ଥ ପରମ୍ପରା। ଏସବୁକୁ ବାଦ୍ ଦେଇ ତତ୍କାଳ ଆଇନ ପ୍ରଣୟନକୁ ଅଭ୍ୟାସରେ ପରିଣତ କରିବା ଭଲ ପରମ୍ପରା ନୁହେଁ।
ଖାଲି କେନ୍ଦ୍ରରେ ନୁହେଁ, ଅଧିକାଂଶ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଆଇନ ପ୍ରଣୟନ ବ୍ୟବସ୍ଥା ଅର୍ଡିନାନ୍ସ ବା ଅଧ୍ୟାଦେଶମୁଖୀ ହୋଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟରେ ବିଭିନ୍ନ ସମୟରେ ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କଠାରୁ ମତାମତ ନ ନେଇ, ଗୃହରେ ଆଲୋଚନାର ସୁଯୋଗ ସୃଷ୍ଟି ନ କରି ଅଧ୍ୟାଦେଶ ବଳରେ ପୁରୁଣା ଆଇନର ଉଚ୍ଛେଦ ଓ ନୂଆ ଆଇନର ପ୍ରଣୟନ ହୋଇଛି।
କେବଳ ବିଜେପି ଶାସିତ ରାଜ୍ୟ ନୁହେଁ, ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ତରବରିଆ ଭାବେ ଅର୍ଡିନାନ୍ସ ଆଣି ନିଷ୍ପତ୍ତି କାର୍ଯ୍ୟକାରୀ କରାଇବାର ଅନେକ ଉଦାହରଣ ରହିଛି।
ଗଣତନ୍ତ୍ରରେ ଆଲୋଚନା, ଭିନ୍ନ ମତକୁ ସମ୍ମାନର ଗୁରୁତ୍ଵ ରହିଛି। ତରବରିଆ ଅଧ୍ୟାଦେଶ ଆଣିବା ପଛରେ ଅନେକ ସମୟରେ ଦଳୀୟ ସ୍ଵାର୍ଥ ବା ରାଜନୀତି ଥାଏ ବୋଲି ଅଭିଯୋଗ ହୋଇଆସିଛି। କେବଳ ଭାରତ, ବାଂଲାଦେଶ ଓ ପାକିସ୍ତାନରେ ଅର୍ଡିନାନ୍ସ ଭଳି ଗଳାବାଟ ରହିଛି। ବିଶ୍ଵର ଅନ୍ୟ କୌଣସି ଦେଶରେ ଏ ଭଳି ଗଳାବାଟ ନାହିଁ। ଇଂରେଜଙ୍କ ଶାସନ କାଳରେ ଥିବା ଏ ଅର୍ଡିନାନ୍ସ ବ୍ୟବସ୍ଥାକୁ ବର୍ତ୍ତମାନ ମଧ୍ୟ ଆମ ସମ୍ବିଧାନ ଗ୍ରହଣ କରିଛି। ଅନ୍ୟ ସବୁଦେଶରେ ଯେ କୌଣସି ବିଲ୍ ପାରିତ କରିବାକୁ ହେଲେ ସଂସଦୀୟ ଅଧିବେଶନ ଜରୁରୀ।
ଏବେ ଦିଲ୍ଲୀ ପ୍ରସଙ୍ଗରେ ଆସିଥିବା ଅର୍ଡିନାନ୍ସକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହା ପୂର୍ବରୁ କେନ୍ଦ୍ର ସରକାର କୃଷି ସମ୍ପର୍କିତ ଅର୍ଡିନାନ୍ସ ଆଣିଥିଲେ। ଯାହାକୁ ଚାଷୀଙ୍କ ଆନ୍ଦୋଳନ ପାଇଁ ପ୍ରତ୍ୟାହାର କରିବାକୁ ପଡ଼ିଥିଲା।
ୟୁପିଏ-୨ ସରକାର ସମୟରେ ମଧ୍ୟ କୃଷି ସମ୍ପର୍କିତ ଅଧ୍ୟାଦେଶକୁ ନେଇ ବିବାଦ ହୋଇଥିଲା। ଏହା ରାଷ୍ଟ୍ରପତି ଭବନରୁ ମୋହର ବାଜି ଫେରିବା ପୂର୍ବରୁ ରାହୁଲ ଗାନ୍ଧୀ ଏହାକୁ ତୀବ୍ର ବିରୋଧ କରିଥିଲେ। ଫଳରେ ଏହାକୁ ସେତେବେଳର ସରକାର ଫେରାଇ ଆଣିଥିଲେ। ଏହା ସହିତ ଲୋକପ୍ରତିନିଧି ସଦସ୍ୟତା ରଦ୍ଦ ସମ୍ପର୍କିତ ଏକ ଅର୍ଡିନାନ୍ସକୁ ବି ନନ୍ସେସନ୍ସ ଅର୍ଡିନାନ୍ସ କହି ଚିରିଦେଇଥିଲେ ରାହୁଲ।
କୃଷି ଓ ଲୋକପ୍ରତିନିଧି ସଦସ୍ୟତା ରଦ୍ଦ ଅର୍ଡିନାନ୍ସ ଆଣିବା ପଛରେ ବି ୟୁପିଏ-୨ ସରକାରଙ୍କ ବଡ଼ ସ୍ଵାର୍ଥ ଥିଲା। କୃଷକ ଅପେକ୍ଷା ଉଦ୍ୟୋଗୀଙ୍କ ସ୍ଵାର୍ଥ ପାଇଁ କୃଷି ଅର୍ଡିନାନ୍ସ ଉଦ୍ଦିଷ୍ଟ ଥିଲା। ସେହିଭଳି ସିବିଆଇ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବାକୁ ଥିବା ଲାଲୁଙ୍କ ସୁରକ୍ଷା ପାଇଁ ଲୋକପ୍ରତିନିଧି ସଦସ୍ୟତା ରଦ୍ଦ ସମ୍ପର୍କିତ ଅର୍ଡିନାନ୍ସ ପ୍ରସ୍ତୁତ କରିଥିଲା ୟୁପିଏ-୨।
Tags: #DelhiGovt #CentralGovt #Ordinance #ArvindKejriwal #ExecutivePower #Politics