ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ୨୦୧୯ରୁ ୨୦୨୩ ଯାଏଁ ୪ ବର୍ଷ ଭିତରେ ୬୮୦୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି। ରାଜ୍ୟରେ ପ୍ରଥମ ବିଜୁ ଏକ୍ସପ୍ରେସ ୱେ କାର୍ଯ୍ୟକ୍ଷମ ହୋଇଥିବାବେଳେ ଏବେ ଦ୍ଵିତୀୟ ବିଜୁ ଏକ୍ସପ୍ରେସ ୱେର ନିର୍ମାଣ ଆରମ୍ଭ ହୋଇଛି। ଏନେଇ ମଙ୍ଗଳବାର ଦିନ ହୋଇଥିବା ପୂର୍ତ୍ତ ବିଭାଗର କାର୍ଯ୍ୟ ସମୀକ୍ଷାରୁ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ପୂର୍ତ୍ତ ବିଭାଗର କାର୍ଯ୍ୟ ସମୀକ୍ଷା କରିଥିଲେ।

ପୂର୍ତ୍ତ ବିଭାଗ ସମୀକ୍ଷାବେଳେ ବିଭାଗ ପକ୍ଷରୁ ଗତ ୪ ବର୍ଷରେ ହୋଇଥିବା କାର୍ଯ୍ୟଗୁଡ଼ିକ କେତେ ସଫଳ ହୋଇଛି ତାହା ଦେଖାଯାଇଥିଲା। ଏଠାରେ ୨୦୧୯ ନିର୍ବାଚନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ବିଭାଗ ପୂରଣ କରିଛି କି ନାହିଁ ତାହାର ସମୀକ୍ଷା କରାଯାଇଥିଲା। ଏନେଇ ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

“ଓଡ଼ିଶାରେ ରାସ୍ତା ନିର୍ମାଣ ଦ୍ରୁତ ଗତିରେ ହେଉଛି। ୨୦୧୯ ନିର୍ବାଚନୀ ଘୋଷଣା ପତ୍ରରେ ସରକାରଙ୍କ ପକ୍ଷରୁ ୧୦୦୦ କିଲୋମିଟର ରାସ୍ତା ତିଆରି କରିବାକୁ କୁହାଯାଇଥିବା ବେଳେ ଏ ଯାଏଁ ୪ ବର୍ଷ ମଧ୍ୟରେ ରାଜ୍ୟରେ ୬୮୦୦ କିଲୋମିଟରରୁ ଅଧିକ ଲମ୍ବର ରାସ୍ତା ତିଆରି ହୋଇଛି। ଏଥିପାଇଁ ୧୮ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ରାଉରକେଲାରୁ କୋରାପୁଟ ଜିଲ୍ଲାର ଚାନ୍ଦିଲି ଯାଏଁ ୬୫୦ କିଲୋମିଟର ଲମ୍ବା ରାଜ୍ୟର ପ୍ରଥମ ବିଜୁ ଏକ୍ସପ୍ରେସ ୱେର ନିର୍ମାଣ ରେକର୍ଡ ସମୟରେ ଶେଷ ହୋଇଛି। ଏବେ ବ୍ରହ୍ମପୁରରୁ ଜଯପୁର ଯାଏଁ ଦ୍ଵିତୀୟ ବିଜୁ ଏକ୍ସପ୍ରେସ ୱେର ନିର୍ମାଣ ଆରମ୍ଭ ହୋଇଛି”, କହିଛନ୍ତି ପ୍ରଫୁଲ୍ଲ କୁମାର ମଲ୍ଲିକ।

ସେ ଆହୁରି ମଧ୍ୟ କହିଛନ୍ତି, “ଓଡ଼ିଶାର ବିଭିନ୍ନ ଶିଲ୍ପାଞ୍ଚଳରେ ରାସ୍ତାର ସୁଦୃଢ଼ିକରଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଏହି ଅଞ୍ଚଳରେ ରାସ୍ତାଗୁଡ଼ିକୁ ଆହୁରି ଚଉଡ଼ା କରାଯାଉଛି। ଏହାଛଡ଼ା ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରୁଥିବା ରାସ୍ତାର ମଧ୍ୟ ଉନ୍ନତିକରଣ କରାଯାଉଛି। ବିଭାଗ ପକ୍ଷରୁ ରାଜ୍ୟରେ ରାସ୍ତା କଡ଼ରେ ଯାତ୍ରୀଙ୍କ ପାଇଁ ୫୦ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର ତିଆରି ହୋଇଛି। ଏସଏଚଜି ମହିଳାମାନେ ଏହି କେନ୍ଦ୍ରଗୁଡ଼ିକୁ ପରିଚାଳନା କରୁଛନ୍ତି।”

ସେ ଆହୁରି କହିଛନ୍ତି, “ପୂର୍ତ୍ତ ବିଭାଗ ପକ୍ଷରୁ ଏହି ଚାରି ବର୍ଷ ମଧ୍ୟରେ ୫୨୧ଟି ଛୋଟ ବଡ଼ ବ୍ରିଜ ତିଆରି କରାଯାଇଛି। ଏବେ କଟକ, ଭୁବନେଶ୍ଵର, ବଲାଙ୍ଗୀର, ଝାରସୁଗୁଡ଼ା ଓ ସମ୍ବଲପୁର ଭଳି ଓଡ଼ିଶାର ବଡ଼ ସହରଗୁଡ଼ିକରେ ‘ରିଂ ରୋଡର’ ନିର୍ମାଣ ପାଇଁ ଯୋଜନା କରାଯାଇଛି। ଏହାଛଡ଼ା ରାଜ୍ୟର ଗ୍ରାମାଞ୍ଚଳଗୁଡ଼ିକୁ ସହରାଞ୍ଚଳ ସହ ଯୋଡ଼ିବା ପାଇଁ ବିଭାଗ ପକ୍ଷରୁ ଅନେକ କାମ ହାତକୁ ନିଆଯାଇଛି।”

ରାଜ୍ୟରେ ରାସ୍ତା ନିର୍ମାଣ ଛଡ଼ା ପୂର୍ତ୍ତ ବିଭାଗ ପକ୍ଷରୁ ଶିଳ୍ପ, ସ୍ଵାସ୍ଥ୍ୟ, ପର୍ଯ୍ୟଟନ, କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକର ବିକାଶ ପାଇଁ ଅନେକ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି।

ପୂର୍ତ୍ତ ବିଭାଗର କାର୍ଯ୍ୟଗୁଡ଼ିକର ସମୀକ୍ଷାବେଳେ ମୁଖ୍ୟମନ୍ତ୍ରୀ ବିଭାଗର ପ୍ରଶଂସା କରିଥିଲେ। ଅନ୍ୟପଟେ ମଙ୍ଗଳବାର ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯାଇଥିଲା।

Tags: #PWDDept #WorkReview #RoadConstruction #infrastructureDevelopment #Odisha

 

LEAVE A REPLY

Please enter your comment!
Please enter your name here