ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ରୀଷ୍ମ ପ୍ରକୋପରେ ଜଳୁଛି ସାରା ଓଡ଼ିଶା। ବୁଧବାର ଦିନ ଭୁବନେଶ୍ଵର ଏବଂ ସମ୍ବଲପୁର ଦିନ ୧୨ଟା ସୁଦ୍ଧା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଆହୁରି ଦୁଇ ଦିନ ଖରାର ପ୍ରକୋପ ବଢ଼ିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ବୁଧବାର ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ଵର ଓ ସମ୍ବଲପୁରର ତାପମାତ୍ରା ୩୯.୨ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଝାରସୁଗୁଡ଼ାରେ ୩୮.୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ହୀରାକୁଦରେ ୩୭.୪ ଡିଗ୍ରୀ, ଚାନ୍ଦବାଲିରେ ୩୫.୬ ଡିଗ୍ରୀ, କେନ୍ଦୁଝର ଓ ବାଲେଶ୍ଵରରେ ୩୫.୦ ଡିଗ୍ରୀ, ପୁରୀରେ ୩୩.୦ ଡିଗ୍ରୀ ଏବଂ ପାରାଦୀପ ଓ ଗୋପାଳପୁରରେ ୩୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ମଙ୍ଗଳବାର ଦିନ ନୂଆପଡ଼ାରେ ସର୍ବାଧିକ ୪୪.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଝାରସୁଗୁଡ଼ା, ତାଳଚେର ଏବଂ ଅନୁଗୁଳର ତାପମାତ୍ରା ୪୩ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିବାବେଳେ ସମ୍ବଲପୁର, ଭୁବନେଶ୍ଵର, ସୋନପୁର, ରାଉରକେଲା ଓ ଢେଙ୍କାନାଳର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା।

ସେହିପରି ବଲାଙ୍ଗୀର, କଟକ, ଚଣ୍ଡିଖୋଲ, ବରଗଡ଼, ସୁନ୍ଦରଗଡ଼, ଟିଟିଲାଗଡ଼, ବୌଦ୍ଧ ଓ କେନ୍ଦ୍ରାପଡ଼ାର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିବାବେଳେ ହୀରାକୁଦ, ବାରିପଦା, ଭବାନୀପାଟଣା, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର, ନୟାଗଡ଼ ଓ କେନ୍ଦୁଝରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ରେକର୍ଡ କରାଯାଇଥିଲା। ଗୋପାଳପୁରେ ସର୍ବନିମନ୍ନ ତାପମାତ୍ରା ୩୩.୬ ଡିଗ୍ରୀ ରେକର୍ଡ କରାଯାଇଥିଲା।

ସକାଳ ୮ଟା ପରେ ଏବେ ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି। ଗୁଳୁଗୁଳି ଯୋଗୁଁ ଘରେ ରହୁଥିବା ମଣିଷ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ଆହୁରି ଦୁଇ ଦିନ ତାପମାତ୍ରାରେ ବୃଦ୍ଧି ହେବାକୁ ଥିବାରୁ ଏହାକୁ ନେଇ ଚିନ୍ତାରେ ରହିଛନ୍ତି ରାଜ୍ୟବାସୀ।

Tags: #Weather #WeatherUpdates #SummerHeat #Odisha

LEAVE A REPLY

Please enter your comment!
Please enter your name here