ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ମିଶନ ଶକ୍ତି ବିଭାଗ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ (ଡବ୍ଲୁଏସଏଚଜି) ମାଧ୍ୟମରେ ରାଜ୍ୟର ମହିଳାମାନେ ଏବେ ବିଭିନ୍ନ ଅଣପାରମ୍ପରିକ କାର୍ଯ୍ୟରେ ନିୟୋଜିତ ହୋଇ ଅର୍ଥ ରୋଜଗାର କରୁଛନ୍ତି। ବିଭାଗ ତରଫରୁ ସେମାନଙ୍କୁ ସବୁ ପ୍ରକାର ସହାୟତା ଦିଆଯାଉଛି।

ଏବେ ଓଡ଼ିଶାରେ ଏସଏଚଜି ମହିଳାମାନେ ମିଶନ ଶକ୍ତି କାଫେ ଓ ମିଲେଟ ଉଦ୍ୟୋଗ ପରିଚାଳନା କରୁଛନ୍ତି। ଏହାଛଡ଼ା ସେମାନେ ବିଭିନ୍ନ କୃଷି ଉତ୍ପାଦକ ଗୋଷ୍ଠୀରେ ସାମିଲ ହୋଇ ନିଜ ଦ୍ରବ୍ୟକୁ ସହଜରେ ବିକ୍ରି କରିପାରୁଛନ୍ତି। ଏସଏଚଜି ମହିଳାମାନେ ଏବେ ମାଛ ଚାଷ, ପରିବା ଚାଷ ଓ ଅନ୍ୟାନ୍ୟ ଜିନିଷର ଉତ୍ପାଦନ କରୁଛନ୍ତି।

ଓଡ଼ିଶାରେ ୨୦୨୨-୨୩ ଆର୍ଥିକ ବର୍ଷରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୧୧ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି। ରାଜ୍ୟରେ ଏସଏଚଜି ମହିଳାଙ୍କୁ ଦିଆଯାଉଥିବା ହାରାହାରି ଋଣ ଏବେ ୩ ଲକ୍ଷ ଟଙ୍କାରୁ ଅଧିକ ହୋଇଛି। ଏନେଇ ଶନିବାର ଦିନ ହୋଇଥିବା ମିଶନ ଶକ୍ତି ବିଭାଗର କାର୍ଯ୍ୟ ସମୀକ୍ଷାରୁ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ବିଭାଗର କାର୍ଯ୍ୟ ସମୀକ୍ଷା କରିଥିଲେ।

ମିଶନ ଶକ୍ତି ବିଭାଗ ପକ୍ଷରୁ ଗତ ୪ ବର୍ଷରେ କରାଯାଇଥିବା କାର୍ଯ୍ୟଗୁଡ଼ିକ କେତେ ସଫଳ ହୋଇଛି ତାହା ଏଠାରେ ଦେଖା ଯାଇଥିଲା। ଏଠାରେ ୨୦୧୯ ନିର୍ବାଚନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ବିଭାଗ ପୂରଣ କରିଛି କି ନାହିଁ ତାହାର ସମୀକ୍ଷା କରାଯାଇଥିଲା। ଏନେଇ ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ସୁଜାତା ଆର୍ କାର୍ତ୍ତିକେୟନ ସୂଚନା ଦେଇଛନ୍ତି।

“ଓଡ଼ିଶାର ମହିଳାମାନଙ୍କୁ ସଶକ୍ତ କରିବାରେ ମିଶନ ଶକ୍ତି ବଡ଼ ଭୂମିକା ବହନ କରିଛି। ରାଜ୍ୟରେ ଏବେ ଏସଏଚଜି ମହିଳାମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ଯାଏଁ ଋଣ ଦିଆଯାଉଛି। ଓଡ଼ିଶାର ୮୬.୫ ପ୍ରତିଶତ ମହିଳା ପାଖରେ ଆଜି ବ୍ୟାଙ୍କ ଖାତା ଅଛି। ଏସଏଚଜି ମହିଳାଙ୍କୁ ଦିଆଯାଉଥିବା ଋଣରୁ ମାତ୍ର ୧.୯୯ ପ୍ରତିଶତ ଋଣ ‘ଏନପିଏ’ ହେଉଛି, ଯାହା ଦେଶରେ ସର୍ବନିମ୍ନ”, କହିଛନ୍ତି ସୁଜାତା ଆର୍ କାର୍ତ୍ତିକେୟନ।

ସେ ଆହୁରି ଅଧ୍ୟ କହିଛନ୍ତି, “ଓଡ଼ିଶାର ୨୫ଟି ଜିଲ୍ଲାରେ ଏବେ ଏସଏଚଜି ମହିଳାଙ୍କୁ ନେଇ ୧୦୨ଟି ମିଶନ ଶକ୍ତି କାଫେ ଖୋଲିଛି। ପ୍ରତି କାଫେ ମାସିକ ୫୦ ହଜାର ଟଙ୍କାର ବ୍ୟବସାୟ କରୁଛନ୍ତି। ଏହାଛଡ଼ା ରାଜ୍ୟର ବିଭିନ୍ନ ସ୍ଥାନରେ ୧୧୪୭ଟି ମିଲେଟ ଉଦ୍ୟୋଗ ପ୍ରତିଷ୍ଠା କରାଯାଇଛି। ଏସଏଚଜି ମହିଳାମାନେ ଏହାର ପରିଚାଳନା କରୁଛନ୍ତି। ଆର୍ଥିକ ବର୍ଷ ୨୦୨୨-୨୩ରେ ୧୩ ହଜାରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀ ମାଛ ଚାଷ କରି ୧୩୯ କୋଟି ଟଙ୍କାର ବ୍ୟବସାୟ କରିଛନ୍ତି।

ସେ ଆହୁରି କହିଛନ୍ତି, “ଗତ ଚାରିବର୍ଷରେ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ଅନେକ ସ୍ଵୟଂ ସହାୟକ ଗୋଷ୍ଠୀଙ୍କଠାରୁ ୪ ହାଜର ୯୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦ୍ରବ୍ୟ କିଣାଯାଇଛି। ଏସଏଚଜିମାନଙ୍କ ଉତ୍ପାଦିତ ଦ୍ରବ୍ୟର ବିକ୍ରିକୁ ସୁବିଧାଜନକ କରିବା ପାଇଁ ବିଭାଗ ତରଫରୁ ବଜାର ଭିତ୍ତିଭୂମି ଯୋଗାଇ ଦିଆଯାଇଛି। ଏଥିରେ ୬ ହାଜର ୬୬୨ଟି ମିଶନ ଶକ୍ତି ଗୃହ, ୧୨୭ଟି ବ୍ଲକସ୍ତରୀୟ ମିଶନ ଶକ୍ତି ଭବନ, ୨୨ଟି ଜିଲ୍ଲାରେ ୧୧୯ଟି ମିଶନ ଶକ୍ତି ଆଉଟଲେଟ ନିର୍ମାଣ କରାଯାଇଛି। ଏବେ ୪ଟି ଜିଲ୍ଲାସ୍ତରୀୟ ମିଶନ ଶକ୍ତି ବଜାର ନିର୍ମାଣଧୀନ ରହିଛି।”

ମିଶନ ଶକ୍ତି ବିଭାଗ ପକ୍ଷରୁ ଆଗକୁ ଏସଏଚଜି ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରାଯିବ। କୌଣସି ମହିଳା ଦୁର୍ଘଟଣାର ଶିକାର ହେଲେ କିମ୍ବା ମୃତ୍ୟୁ ମୁଖରେ ପଡ଼ିଲେ, ଏହି ପାଣ୍ଠିରୁ ସେମାନଙ୍କୁ ଆର୍ଥିକ ସହାୟତା ଦିଆଯିବ।

କୋଭିଡ୍ ସମୟରେ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ କରିଥିବା କାମକୁ ଶନିବାର ଦିନ ସମୀକ୍ଷାବେଳେ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।

Tags: #MissionShaktiDept #ReviewMeeting #SelfHelpGroups #WomenEmpowerment #Odisha

LEAVE A REPLY

Please enter your comment!
Please enter your name here