ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଭାରତର ଅନେକ ନିର୍ବାଚନରେ ନାରା ବା ସ୍ଲୋଗାନ ଇତିହାସ ସୃଷ୍ଟି କରିଛି। ନେତାଙ୍କୁ ବାଜି ଜିତିବାରେ ସଫଳ ମଧ୍ୟ କରିଛି ନାରା।

କାମ ଭଳି କଥାର ମଧ୍ୟ ଦମ୍‌ ଥାଏ। ନିର୍ବାଚନ ସମୟରେ କଥା ହିଁ ବେଶୀ କାମ ଦିଏ। କାରଣ ସବୁଥର ଭଳି ଭୋଟରମାନେ ନେତା ଓ ଦଳର ‘ନାରା’ ଉପରେ ଭରସା କରି ଭୋଟ ଦେଇଥାନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ବିଜୟ ପଛରେ ‘ନାରା’ର ବଡ଼ ଭୂମିକା ରହିଛି। ସ୍ଥିତିକୁ ଦେଖି ଲେଖାଯାଇଥିବା ‘ନାରା’ ପରବର୍ତ୍ତୀ ସମୟରେ ହିଟ ସାବ୍ୟସ୍ତ ହୋଇଛି।

ଜୟ ଯବାନ, ଜୟ କିଷାନ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୂର ଶାସ୍ତ୍ରୀ କହିଥିଲେ, “ଜୟ ଜବାନ, ଜୟ କିଶାନ”। ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଶାସ୍ତ୍ରୀଜୀ ଦେଇଥିବା ଏହି ‘ନାରା’ ଯବାନମାନଙ୍କ ଆତ୍ମବିଶ୍ଵାସ ଓ ଉତ୍ସାହ ବଢ଼ାଇଥିଲା।  ଚାଷୀମାନଙ୍କ ବିଷୟରେ କେନ୍ଦ୍ରର କଂଗ୍ରେସ ସରକାର ଚିନ୍ତା କରୁଛି ବୋଲି ମଧ୍ୟ ଚାଷୀଙ୍କର ବିଶ୍ଵାସ ଆସିଲା। ୧୯୬୭  ନିର୍ବାଚନ ପ୍ରଚାରରେ ଏହି ନାରାକୁ ବ୍ୟବହାର କରିଥିଲା କଂଗ୍ରେସ। ଏହି ନିର୍ବାଚନ ପୂର୍ବରୁ କେତେକ ବିଧାନସଭା ନିର୍ବାଚନରେ କଂଗ୍ରେସ ଖରାପ କରିଥିଲେ ମଧ୍ୟ, ସାଧାରଣ ନିର୍ବାଚନରେ ଭଲ କରିବା ସହ କେନ୍ଦ୍ରରେ କଂଗ୍ରେସ କ୍ଷମତା ବଜାୟ ରଖିଥିଲା।

ଗରିବୀ ହଟାଓ

୧୯୭୧ ସାଧାରଣ ନିର୍ବାଚନରେ ଇନ୍ଦିରା ଗାନ୍ଧୀ ନେତୃତ୍ଵ ନେଇଥିଲେ। ତାଙ୍କର ନାରା ଥିଲା ‘ଗରିବୀ ହଟାଓ’। ସ୍ଵାଧୀନତା ମିଳିବାକୁ ୨୫ ବର୍ଷ ପୂରି ନଥାଏ, ଦେଶରେ ଗରିବୀ, ଅନାହାର ବହୁତ ମାତ୍ରାରେ ରହିଥିଲା। ଖାଇବାକୁ ମିଳିଲେ ଗରିବୀ ହଟିଯିବ ବୋଲ ସେତେବେଳେ ଲୋକଙ୍କ ଧାରଣା ଥିଲା। ସେତେବେଳେ ‘ଗରିବୀ ହଟାଓ’ ନାରା ଲୋକଙ୍କ ପାଇଁ ସବୁଠୁ ବଡ଼ ଆଶ୍ଵାସନା ପାଲଟି ଥିଲା। ବାମପନ୍ଥୀ, ସାମ୍ୟବାଦୀ ଦଳ ଶକ୍ତିଶାଳୀ ଥିଲେ ମଧ୍ୟ ଇନ୍ଦିରା ଗାନ୍ଧୀ ଏହି ନାରା ମାଧ୍ୟମରେ ଗରିବଙ୍କୁ ଆଶ୍ଵସ୍ତି ଦେଇ କଂଗ୍ରେସ ପାଇଁ ବିରାଟ ବିଜୟ ଆଣି ଦେଇଥିଲେ ବୋଲି କୁହାଯାଏ।

ଇନ୍ଦିରା ହଟାଓ, ଦେଶ୍ ବଚାଓ

ଧୀରେ ଧୀରେ ଇନ୍ଦିରା ଗାନ୍ଧୀଙ୍କ ଲୋକପ୍ରିୟତା କମିବାକୁ ଲାଗିଥାଏ। ୧୯୭୧ ଭଳି ତାଙ୍କର ଲୋକ ପ୍ରିୟତା ନଥିଲା। ଜରୁରୀକାଳିନ ପରିସ୍ଥିତି ଲାଗୁ କରିଥିବାରୁ ଇନ୍ଦିରା ଗାନ୍ଧୀ ବଦନାମ ହୋଇସାରିଥିଲେ। ଲୋକଙ୍କର ମଧ୍ୟ ପ୍ରବଳ ଆକ୍ରୋଶ ଥିଲା ତାଙ୍କ ଉପରେ। ଇନ୍ଦିରାଙ୍କ ବିରୋଧରେ ଥିବା ଆକ୍ରୋଶର ଫାଇଦା ନେବା ପାଇଁ ଜନତା ପାର୍ଟି ଚେଷ୍ଟା କରିଥିଲା।

ଇନ୍ଦିରାଙ୍କୁ କ୍ଷମତାରୁ ହଟାଇବା ପାଇଁ ଜନତା ପାର୍ଟିର ନାରା ଥିଲା ‘ଇନ୍ଦିରା ହଟାଓ, ଦେଶ ବଚାଓ’। ଏହି ନାରାର ବହୁତ ପ୍ରଭାବ ପଡ଼ିଥିଲା। ପୂର୍ବ ନିର୍ବାଚନ ଅପେକ୍ଷା ୧୯୮ ଆସନ ହରାଇଥିଲା କଂଗ୍ରେସ। ୨୯୫ ଆସନ ଜିତି ଜନତା ପାର୍ଟି ସରକାର ଗଠନ କରିଥିଲା।

ଜବତକ୍ସୁରଜ ଚାନ୍ଦ ରହେଗା, ଇନ୍ଦିରା ତେରା ନାମ୍ ରହେଗା

ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଅଙ୍ଗରକ୍ଷୀ ହତ୍ୟା କରିଥିଲେ। ୧୯୮୪ ନିର୍ବାଚନ ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଥିଲା। ୧୯୮୪ ସାଧାରଣ ନିର୍ବାଚନରେ କଂଗ୍ରେସର ନାରା ଥିଲା, ଜବତକ୍ ସୁରଜ ଚାନ୍ଦ ରହେଗା, ଇନ୍ଦିରା ତେରା ନାମ୍‌ ରହେଗା। ଏହି ନାରା ଦେଇ କଂଗ୍ରେସ ବୃହତ୍‌ ବିଜୟ ହାସଲ କରିଥିଲା। ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇଥିଲେ। କଂଗ୍ରେସର ହାଓ୍ଵା ଆଗରେ ସମସ୍ତେ ଧୂଳିସାତ ହୋଇଯାଇଥିଲେ। ୨୯୨ ଆସନରେ ଜିତିଥିବା ଜନତା ପାର୍ଟି ୧୦କୁ ଖସି ଆସିଥିଲା। କେବଳ ଆଞ୍ଚଳିକ ଦଳ ଭାବେ ଏନ୍‌ଟି ରାମାରାଓଙ୍କ ଟିଡିପି ୩୦ ଆସନ ଜିତିଥିଲା।

ସବ୍କୋ ଦେଖା ବାରି ବାରି, ଅବ୍କି ବାରି ଅଟଳ ବିହାରୀ

୧୯୯୧-୧୯୯୬ କଂଗ୍ରେସର ସରକାର ଥିଲା। ଅନେକ ବୈପ୍ଳବିକ ପରିବର୍ତ୍ତନ ଆସୁଥିଲା। ଏହା ସହିତ ଲୋକେ ରାଜନୀତିରେ ବି ପରିବର୍ତ୍ତନ ଖୋଜୁଥିଲେ। ଠିକ୍ ଏହି ସମୟରେ ବିଜେପି ନେତା ଅଟଳ ବିହାରୀ ବାଜପେୟୀ ଦେଶରେ ଲୋକପ୍ରିୟତା ସାଉଁଟୁଥିଲେ। ବିଜେପି ଏଥର ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲା। ୧୩ଦିନ ହେଉ ପଛେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ବାଜପେୟୀ। ଏହାପରେ ପୁଣି ୨ଟି ବିଫଳ ମେଣ୍ଟ ସରକାର ପରେ ପୁଣି ସାଧାରଣ ନିର୍ବାଚନ ହୋଇଥିଲା। ଏଥର ପୁଣି ଏକ ଝୁଲା ସରକାର କରିଥିଲେ ବାଜପେୟୀ। କିନ୍ତୁ ୧୯୯୯ରେ ବିଜେପିର ମେଣ୍ଟ ସରକାର ପୂରା କାର୍ଯ୍ୟକାଳ ପୂରଣ କରିଥିଲା।

କଂଗ୍ରେସକା ହାଥ୍, ଆମ୍ ଆଦ୍ମୀ କେ ସାଥ୍

ବିଜେପିର ଇଣ୍ଡିଆ ସାଇନିଂ ବା ଭାରତ ଉଦୟକୁ ମାତ୍ ଦେଇଥିଲା କଂଗ୍ରେସର ନାରା ‘କଂଗ୍ରେସ କା ହାଥ୍, ଆମ୍ ଆଦ୍‌ମୀ କେ ସାଥ୍’।୨୦୦୪ ନିର୍ବାଚନରେ ବିଜେପି ୪୪ଟି ଆସନ ହରାଇଥିବା ବେଳେ କଂଗ୍ରେସ ୩୮ଟି ଅଧିକ ଆସନ ସହ ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇଥିଲା। କଂଗ୍ରେସ ନେତୃତ୍ଵାଧୀନ ୟୁପିଏ ମେଣ୍ଚ ସରକାର କରିଥିଲା।

ଅବ୍କେ ବାର୍ ମୋଦୀ ସରକାର

କଂଗ୍ରେସ ଲଗାତର ୨୦୦୪ ଓ ୨୦୦୯ରେ ନିର୍ବାଚନ ଜିତି ସରକାର ଗଠନ କରିଥିଲା। ଦରଦାମ୍ ବୃଦ୍ଧି, ଦୁର୍ନୀତି ପାଇଁ କଂଗ୍ରେସ ବିରୋଧରେ ଅନ୍ତଃସ୍ରୋତ ବାହାରକୁ ବାହାରି ସାରିଥିଲା। ଗୁଜରାଟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଜେପି ପ୍ରଧାନମନ୍ତ୍ରୀ ଚେହେରା କରିସାରିଥିଲା। ଏଲ୍‌କେ ଆଡଭାନୀ ଆଉ ଚର୍ଚ୍ଚାରେ ନଥିଲେ। ବିଜେପିର କ୍ୟାମ୍ପେନ ମୋଦୀଙ୍କଠାରୁ ହିଁ ଆରମ୍ଭ ହୋଇଥିଲା। ଏହାର ନାରା ଥିଲା ‘ଅବ୍‌କି ବାର୍ ମୋଦୀ ସରକାର’। ଏ ସ୍ଲୋଗାନ ବେଶ କାମ ଦେଇଥିଲା। ଲୋକେ ବିଜେପିକୁ ସ୍ପଷ୍ଟ ବହୁମତ ଦେଇଥିଲେ।

ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନରେ ବି ନାରା ବହୁତ ପ୍ରଭାବ ପକାଇଛି। ଆଞ୍ଚଳିକ ପ୍ରସଂଗ ହେଉ କି ସ୍ଥାନୀୟ ଲୋକଙ୍କୁ ନେଇ ପ୍ରସ୍ତୁତ ନାରା, ଲୋକଙ୍କୁ ଅନେକ ସମୟରେ ଯୋଡ଼ିବାରେ ସଫଳ ହୋଇଛି। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନାରା ‘ଆପଣମାନେ ଖୁସି ତ’, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ‘ମା’, ମାଟି, ମାନୁଷ’, ‘ଏଥର ଖେଲା ହବେ’ ତୃଣମୂଳ କଂଗ୍ରେସ ଦଳ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥିଲା। କେଜ୍ରିଓ୍ଵାଲଙ୍କ ‘୫ସାଲ୍ କେଜ୍ରିଓ୍ଵାଲ’ ଆମ୍‌ ଆଦ୍‌ମୀ ପାର୍ଟିକୁ କ୍ଷମତାକୁ ଆଣିଥିଲା। ନିକଟରେ କର୍ଣ୍ଣାଟକ ନିର୍ବାଚନ ସମୟରେ କଂଗ୍ରେସର ‘୪୦ ପର୍ସେଣ୍ଟ ସରକାର’  ନାରା ବିଜେପିକୁ ମାଟି କାମୁଡ଼ିବାକୁ ବାଧ୍ୟ କରିଦେଇଥିଲା।

ନାରା ଅନେକ ରାଜନୈତିକ ବାଜିକୁ ପଟଲି ଦେବାର ନଜିର ରହିଛି। କାହାକୁ ସଫଳତା ମିଳିଛି ତ ଆଉ କାହାକୁ ଜିତିବାକୁ ଥିବା ବାଜି ହାରିବାକୁ ପଡ଼ିଛି।

Tags: #Politics #IndianPolitics #Nara #Slogan #Election #NaraPolitics

Comment