ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ୍ ଟ୍ରାଜେଡ଼ି ନେଲାଣି ପ୍ରାୟ ୩୦୦ ଯାତ୍ରୀଙ୍କ ଜୀବନ। ଏଭଳି ଏକ ବଡ଼ ବିପର୍ଯ୍ୟୟ ସମୟରେ ଆହତମାନଙ୍କୁ ଆଶୁ ଚିକିତ୍ସା ସେବା ଯୋଗାଇଦେବା ହେଉଛି ପ୍ରାଥମିକତା। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଟିମ୍‌ ଓ ବାଲେଶ୍ୱର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏଥିପାଇଁ ନନ୍‌ଷ୍ଟପ୍ ଅପରେସନ୍ ଚଳାଇଛି।

ବଗି ଭିତରୁ ଯାତ୍ରୀମାନେ ମୃତାହତ ଅବସ୍ଥାରେ ଯେଭଳି ଉଦ୍ଧାର ହେଉଛନ୍ତି, ତାହା ହୃଦୟବିଦାରକ। ଆହତଙ୍କ ଭିତରେ ମହିଳା, ଶିଶୁ, ବରିଷ୍ଠ ନାଗରିକ ଆଦି ଅଛନ୍ତି। ସେମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବା ହେଉଛି ବଡ଼ ଆବଶ୍ୟକତା। ଭୂବନେଶ୍ଵର ଏମ୍ସ ପକ୍ଷରୁ ମଧ୍ୟ ଏକ ଡାକ୍ତରୀ ଦଳକୁ ବାଲେଶ୍ଵର ପଠାଯାଇଛି।

ଦୁର୍ଘଟଣା ସ୍ଥଳରୁ ଆହତମାନଙ୍କୁ ଉଦ୍ଧାର ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଓ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହାଛଡ଼ା ଖନ୍ତାପଡ଼ା, ସୋର, ଗୋପାଳପୁରରେ ଥିବା ଡାକ୍ତରଖାନାରେ ଆହତମାନଙ୍କ ଚିକିତ୍ସା କରାଯାଉଛି ଓ ଅଧିକ ଗୁରୁତରମାନଙ୍କୁ କଟକ ବଡ଼ ଡାକ୍ତରଖାନା ଅଣାଯାଉଛି। ଶୁକ୍ରବାର ରାତିରୁ ଏହି ପ୍ରକ୍ରିୟା ଜାରି ରହିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାନଗା ଗସ୍ତକରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତ ଯାତ୍ରୀମାନଙ୍କୁ ଭେଟି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ସଚିବ ଶାଳିନୀ ପଣ୍ଡିତ କଟକ ବଡ଼ ମେଡିକାଲ ଗସ୍ତକରି ସ୍ୱାସ୍ଥ୍ୟସେବା ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଦୁର୍ଘଟଣା ପରେ ଘଟଣାସ୍ଥଳରେ ଆଶୁ ଚିକିତ୍ସା ସେବା ଓ ସ୍ଥାନାନ୍ତର ପାଇଁ ୨୦୦ଟି ଆମ୍ବୁଲାନ୍ସ ଓ ୪୫ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଟିମ୍ ନିୟୋଜିତ ଅଛନ୍ତି। ଏସ୍‌ସିବିର ୨୫ଟି ଡାକ୍ତରୀ ଟିମ୍ ସ୍ୱାସ୍ଥ୍ୟସେବା କାର୍ଯ୍ୟରେ ଲାଗିଛନ୍ତି। ଏହାସହ ୫୦ ଜଣ ଅତିରିକ୍ତ ଡାକ୍ତର ମଧ୍ୟ ଏହି ଅଭିଯାନରେ ନିୟୋଜିତ ଅଛନ୍ତି। ଫୋରେନ୍‌ସିକ ମେଡିସିନ୍ ସ୍ପେଶାଲିଷ୍ଟମାନେ ମଧ୍ୟ ଏଥିରେ ନିଯୁକ୍ତ ହୋଇଛନ୍ତି।

୭ଟି ଏନ୍‌ଡିଆର୍‌ଏଫ୍ ଟିମ୍‌, ୫ଟି ଓଡ୍ରାଫ୍ ଟିମ୍ ଏବଂ ୨୪ଟି ଅଗ୍ନିଶମ ସେବା ୟୁନିଟ୍‌, ସ୍ଥାନୀୟ ପୋଲିସ ଓ ସ୍ୱେଚ୍ଛାସେବୀମାନେ ଉଦ୍ଧାର କାର୍ଯ୍ୟକରେ ନିୟୋଜିତ ହୋଇଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

Tags: #TrainTragedy #BahanagaTrainaccident #Odisha #IndianRailways

 

LEAVE A REPLY

Please enter your comment!
Please enter your name here