ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁନ ୨ ତାରିଖ, ଶୁକ୍ରବାର ରାତି ପ୍ରାୟ ୧୧ଟା ହେବ ହଠାତ ଫୋନ ବାଜିଉଠିଲା। ହ୍ୟାଲୋ କହିବା ପରେ ଶୁଣିବାକୁ ମିଳିଥିଲା “ତୁମ ସ୍ଵାମୀ ଯାଉଥିବା କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣା ହୋଇଛି”। ଏତିକି ଶୁଣିବା ପରେ ନିର୍ବାକ ହୋଇଯାଇଥିଲେ ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ଗୁରା ପଲେଇଙ୍କ ପତ୍ନୀ ସୋମା।

ଝାଡ଼ଖଣ୍ଡର ଗୁରା ପଲେଇ ଚେନ୍ନାଇ ଯିବା ପାଇଁ ଜୁନ ୨ ତାରିଖରେ କରମଣ୍ଡଳ ଏକ୍ସପ୍ରେସରେ ଚଢ଼ିଥିଲେ। କିନ୍ତୁ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ। ଏହି ଦୁର୍ଘଟଣାରେ ୨୮୮ ଜଣ ଯାତ୍ରୀଙ୍କର ଅକାଳରେ ଜୀବନ ଚାଲିଗଲା। ହେଲେ ସୌଭାଗ୍ୟ ବସତଃ ବଞ୍ଚିଗଲେ ଗୁରା ପଲେଇ।

ସ୍ଵାମୀଙ୍କର ଦୁର୍ଘଟଣା ହୋଇଥିବା ଖବର ପାଇବା ପରେ ପାଦତଳୁ ମାଟି ଖସିଯାଇଥିଲା ସୋମା ପଲେଇଙ୍କର। ଗୁରାଙ୍କ ସାଙ୍ଗରେ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ସୋମା ଫୋନ କରି ସ୍ଵାମୀଙ୍କ ବିଷୟରେ ପଚାରି ଥିଲେ। କିନ୍ତୁ ସେ ଗୁରାଙ୍କ ଖୋଜଖବର ମିଳିନଥିବା କହିବାରୁ ଆହୁରି ଭାଙ୍ଗିପଡ଼ିଥିଲେ ସୋମା। ମନସ୍ଥ କରିଥିଲେ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଵାମୀଙ୍କୁ ଖୋଜିବେ।

ଗୋଟିଏ ପଟେ ଘରେ ରୋଗୀଣା ଶାଶୂ ଅନ୍ୟପଟେ ଦୁଇ ବର୍ଷର ଛୁଆ। ତଥାପି ସାହସ ଜୁଟାଇ ଛୋଟ ଛୁଆକୁ ସାଙ୍ଗରେ ଧରି ସ୍ଵାମୀଙ୍କୁ ଖୋଜିବାକୁ ବାହାରିଥିଲେ ସୋମା। ଗୁରା ବାଲେଶ୍ଵର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶୁଣି ସେ ସେଠାରେ ପହଞ୍ଚିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସ୍ଵାମୀଙ୍କୁ ଦେଖି ସେ ଭୋ ଭୋ ହୋଇ କାନ୍ଦି ପକେଇଲେ।

ସ୍ଵାମୀଙ୍କ ଜୀବନ ବଞ୍ଚି ଯାଇଥିବାରୁ ଭଗବାନଙ୍କୁ କୃତଜ୍ଞତା ଜଣାଇବା ସହ ସୋମା କହିଥିଲେ, “ଭଗବାନ ମୋ ସ୍ଵମୀଙ୍କୁ ବଞ୍ଚେଇ ଦେଲେ।”

Tags: #BahangaTrainTragedy #TrainAccidentinOdisha #Death #TrainAccident

Comment